ଏପରି ଗାଁ ସବୁ ଅଛି ହେଲେ କିଛି ନାହିଁ

ଭଦ୍ରକ(ପାର୍ଥ ସାରଥୀ ନାୟକ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା କରୁଛନ୍ତି। ହେଲେ କେଉଁଠି ନା କେଉଁଠି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ପାଇଁ ବିକାଶଠୁ ବହୁ ଦୂରରେ ରହିଯାଉଛି ଗାଁ। କେଉଁଠି ଗାଁକୁ ରାସ୍ତା ଅଛି ହେଲେ ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ , ଅଙ୍ଗନବାଡି କେନ୍ଦ୍ର ଅଛି ହେଲେ  ନିଜସ୍ୱ ଗୃହ ନାହିଁ। ସେହିପରି ବିଦ୍ୟାଳୟ ଅଛି ହେଲେ ନିଜସ୍ୱ ନୁହେଁ। ଫଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗାଁ ଲୋକେ ବାରମ୍ବାର […]

bhadrak

Jyoshna Pradhan
  • Published: Saturday, 28 September 2019
  • , Updated: 28 September 2019, 03:09 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ): ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା କରୁଛନ୍ତି। ହେଲେ କେଉଁଠି ନା କେଉଁଠି ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ପାଇଁ ବିକାଶଠୁ ବହୁ ଦୂରରେ ରହିଯାଉଛି ଗାଁ। କେଉଁଠି ଗାଁକୁ ରାସ୍ତା ଅଛି ହେଲେ ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ , ଅଙ୍ଗନବାଡି କେନ୍ଦ୍ର ଅଛି ହେଲେ  ନିଜସ୍ୱ ଗୃହ ନାହିଁ। ସେହିପରି ବିଦ୍ୟାଳୟ ଅଛି ହେଲେ ନିଜସ୍ୱ ନୁହେଁ।

ଫଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗାଁ ଲୋକେ ବାରମ୍ବାର ଦାବି କଲା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି। ଏପରି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତର ଡାଙ୍ଗୁଆପାଟଣା ଗାଁରୁ।

ଏହି ଗାଁରେ ଯେଉଁ ରାସ୍ତାଟିଏ ଅଛି ସାମାନ୍ୟ ବର୍ଷା ହେଲେ ସେଥିରେ ଆଣ୍ଠୁଏ ପାଣି ସହ କାଦୁଅ ଜମିଯାଉଛି। ଏହି ରାସ୍ତା ଉପରେ ତିନୋଟି ଗ୍ରାମବାସୀ  ନିର୍ଭର କରୁଛନ୍ତି। ତେଣୁ ଅସରାଏ ବର୍ଷା ହେଲେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ବର୍ଷା ଋତୁରେ ଏହି ରାସ୍ତାରେ ଯାତାୟତ କରିବା ସଂପୂର୍ଣ୍ଣ ଅସମ୍ଭବ। ଏହି ରାସ୍ତା ଦେଇ ତିନି ଖଣ୍ଡ ଗାଁର ଲୋକଙ୍କ ସହିତ ବିଦ୍ୟାଳୟ ଓ ଅଙ୍ଗନବାଡିର ଛାତ୍ରଛାତ୍ରୀମାନେ ମଧ୍ୟ ନିର୍ଭର କରିଥାଆନ୍ତି ।

ସେହିପରି ଗାଁରେ ଅଙ୍ଗନବାଡି କେନ୍ଦ୍ରଟିଏ ଅଛି। ହେଲେ ଏହାର ସ୍ଥାୟୀ ଗୃହଟିଏ ନାହଁ। ତେଣୁ ଦୀର୍ଘଦିନ ଧରି ଏକ ଛୋଟିଆ କମ୍ୟୁନିଟି ସେଣ୍ଟରରେ ଅସ୍ଥାୟୀ ଭାବେ ଚାଲି ଆସୁଛି। ଏହି କମ୍ୟୁନିଟି ସେଣ୍ଟରର ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି। କେବଳ ରାସ୍ତା ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଗାଁର ସମସ୍ୟା ରହିନାହିଁ। ଗାଁରେ ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟ ଅଛି। ହେଲେ ବିଦ୍ୟାଳୟର ସ୍ଥାୟୀ ଗୃହଟିଏ ନାହିଁ ।  ଏକ ଭଡା ଘରେ ବିଦ୍ୟାଳୟ ଚାଲିଛି । ଗୋଟିଏ ଘରେ ୫ଟି ଶ୍ରେଣୀର ପିଲା ବସି ପାଠ ପଢୁଛନ୍ତି । ଏହାର  ଅବସ୍ଥା ମଧ୍ୟ ତଦ୍ରୂପ।  ଏହି ବିଦ୍ୟାଳୟ ପାଇଁ ଘର ଆରମ୍ଭ ହୋଇଛି ସତ କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହି ବିଦ୍ୟାଳୟ ଅଧପନ୍ତରିଆ ହୋଇପଡି ରହିଛି ।

ଏନେଇ ଗ୍ରାମବାସୀ ରସେନ୍ଦ୍ର ପଲେଇ କହିଛନ୍ତି,” ଗାଁ ମଝିରେ ଯେଉଁ ରାସ୍ତା ଅଛି ତାହା ତିନୋଟି ଗାଁକୁ ଛୁଇଁଛି। ତେବେ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଓ କାଦୁଅ ଜମୁଛି। ଫଳରେ ଗାଡ଼ି ମଟର ଯିବାରେ ଅସୁବିଧା ହେଉଛି। ଏଥିସହ ଅଙ୍ଗନବାଡ଼ି ଓ ପ୍ରାଇମେରୀ ସ୍କୁଲକୁ ଯାଉଥିବା ପିଲାମାନେ ଏହି ରାସ୍ତାରେ ସବୁବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।  ୪ ବର୍ଷ ହେଲାଣି ଲୋକେ ଏମିତି ହଇରାଣ ହେଉଛନ୍ତି। ଏନେଇ ପ୍ରଶାସନକୁ ବାରମ୍ୱାର ଅନୁରୋଧ କରିବା ସତ୍ତ୍ୱେ କୌଣସି ସୁଫଳ ନମିଳିବାରୁ ଗଣମାଧ୍ୟମକୁ ଜଣାଇଲୁ। କେବଳ ସେତିକି ନୁହେଁ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥାୟୀ ଘର ନାହିଁ। ସେହିପରି ପ୍ରାଇମେରୀ ସ୍କୁଲର ମଧ୍ୟ ସ୍ଥାୟୀ ଘର ନାହିଁ। ଏଭଳି ଗାଁରେ ବହୁ ସମସ୍ୟା ରହିଛି। ହେଲେ ସମାଧାନ ହୋଇପାରୁ ନାହିଁ।”

ସମସ୍ୟା ଘେରରେ ବୁଡି ରହିଛି ଏହି ଡାଙ୍ଗୁଆପାଟଣା ଗାଁ । ଭଲ ରାସ୍ତା, ଅଙ୍ଗନବାଡି ଗୃହ ଓ ସ୍କୁଲ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ସୁଫଳ ମିଳି ପାରୁ ନାହିଁ ।  ଏନେଇ ଧାମନଗର ବିଡିଓ ଦୁର୍ଗା ଚରଣ ମୁର୍ମୁ କହିଛନ୍ତି,“ କିଛି ଅବରୋଧ ପାଇଁ ରାସ୍ତା କାମ ଅଟକି ରହିଛି। ଅବରୋଧ ହଟାଯାଇ ତୁରନ୍ତ ସମାଧାନ କରାଯିବ। ଅଙ୍ଗନବାଡି ଟଙ୍କା ମଞ୍ଜୁର ହୋଇଛି ତୁରନ୍ତ କାମ ଆରମ୍ଭ ହୋଇଯିବ। ଯେଉଁ ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟ ଭଡା ଘରେ ଚାଲିଛି ତାର ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ତେଣୁ ତୁରନ୍ତ ଗାଁ ଲୋକଙ୍କ ସମସ୍ୟାକୁ ଲକ୍ଷ୍ୟ କରି ଏହାର ସମାଧାନ କରାଯିବ ।

 

 

Related story