ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ପାଗରେ ପରିବର୍ତ୍ତନ । ଶୀତ, ବର୍ଷା, ଶୀତ ପରେ ପୁଣି ପାଗ କୋହଲା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ।
ରାଜ୍ୟରେ କେତେକ ସ୍ଥାନରେ ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଛି । ତାଳଚେର, ଟିଟିଲାଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆହୁରି ଅନେକ ଜାଗାରେ ଝିପିଝିପି ବର୍ଷା ହେଉଥିବା ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ କେଉଁଝର ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ୨ ଦିନ ପର୍ଯ୍ୟନ୍ତ ରାତିରେ ତାପମାତ୍ରା ସ୍ୱାଭାବିକ ରହିବ । ବର୍ଷା ଓ ମେଘୁଆ ପାଗ ଯୋଗୁଁ ରାତିରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖାଯିବ ନାହିଁ । ତା ପରେ ବାଦଲ ଅପସରି ଗଲେ ୮ ଓ ୯ ତାରିଖରୁ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ସେ କହିଛନ୍ତି।