‘ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଛନ୍ତି ମୁଖ୍ୟମନ୍ତ୍ରୀ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ରୋଗୀଙ୍କୁ ଚିକିତ୍ସା ଓ ପରିଚାଳନାରେ ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈମାତୃକ ମନୋଭାବ ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୈମାତୃକ ମନୋଭାବ ପ୍ରତିବାଦରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟର ସବୁ ସ୍ଥାନରେ କରୋନା ପରିଚାଳନାକୁ […]

jaynarayan-mishra

Manoranjan Sial
  • Published: Tuesday, 21 July 2020
  • , Updated: 21 July 2020, 10:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ରୋଗୀଙ୍କୁ ଚିକିତ୍ସା ଓ ପରିଚାଳନାରେ ପଶ୍ଚିମ ଓଡ଼ିଶା ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈମାତୃକ ମନୋଭାବ ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୈମାତୃକ ମନୋଭାବ ପ୍ରତିବାଦରେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ଉତ୍ତରାଂଚଳ ରାଜସ୍ୱ କମିଶନରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବିଜେପି ଅଭିଯୋଗ କରିଛି ଯେ, ରାଜ୍ୟର ସବୁ ସ୍ଥାନରେ କରୋନା ପରିଚାଳନାକୁ ଗୁରୁତ୍ୱ ଦେବା ତଥା କରୋନା ରୋଗୀଙ୍କ ଚିକିତ୍ସା ଏବଂ କୋଭିଡ୍ ହସ୍ପିଟାଲକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ‘ମୋ ସରକାର’ କାର୍ଯ୍ୟକ୍ରମରେ କରୋନା ପରିଚାଳନାକୁ ସାମିଲ କରିଛନ୍ତି। ମାତ୍ର ପଶ୍ଚିମ ଓଡ଼ିଶାରେ କୋଭିଡ୍ ପରିଚାଳନାର ବିପରିତ ଦିଗ ପରିଲକ୍ଷିତ ହୋଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ କରୋନା ରୋଗୀଙ୍କ ଚିକିତ୍ସା ଓ କରୋନା ପରିଚାଳନା ଦିଗରେ ବ୍ୟାପକ ଅବହେଳା କରାଯାଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ପାଇଁ ବୈମାତୃକ ମନୋଭାବ ଦେଖାଉଛନ୍ତି।

ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କୋଭିଡ୍ ପରିଚାଳନାରୁ ନିବୃତ୍ତ ରହୁଛନ୍ତି। ଗଞ୍ଜାମରେ ଅଧିକରୁ ଅଧିକ ଡାକ୍ତର ମାନଙ୍କୁ ନିଯୁକ୍ତ କରାଯାଉଥିବାବେଳେ ପଶ୍ଚିମ ଓଡିଶାର ଜିଲ୍ଲା ହସ୍ପିଟାଲମାନଙ୍କରେ ଡାକ୍ତରମାନଙ୍କୁ ଖାଲି କରି ଦିଆଯାଉଛି। ଏପର୍ଯ୍ୟନ୍ତ ସମ୍ବଲପୁର ଆଇସିୟୁରେ ୩୦ଟି ବେଡ୍ କାର୍ଯ୍ୟକ୍ଷମ ହୋଇପାରିନି। ରୋଗୀ ମାନଙ୍କୁ ଭୁବନେଶ୍ୱର ଏବଂ କଟକକୁ ସ୍ଥାନାନ୍ତର କରାଯାଉଛି।

ବୁର୍ଲା ମେଡିକାଲ କଲେଜର କର୍ମଚାରୀମାନେ ସମ୍ବଲପୁର କୋଭିଡ୍ ହସ୍ପିଟାଲକୁ ପରିଚାଳନା କରିବେ ବୋଲି ନିଷ୍ପତି ହୋଇଥିଲେ ହେଁ ସ୍ଥାନୀୟ ରୋଗୀଙ୍କୁ ଅନ୍ୟ ଜିଲ୍ଲା ଗୁଡିକର ହସ୍ପିଟାଲକୁ ପଠାଇ ଦିଆଯାଉଛି। କରୋନା ପରୀକ୍ଷା କରିବାକୁ ଆସୁଥିବା ଲୋକଙ୍କ ସ୍ୱାବକୁ ସିଧାସଳଖ ଭୁବନେଶ୍ୱରକୁ ପଠାଇ ଦିଆଯାଉଥିବା କାରଣରୁ ଅଯଥା ରିପୋର୍ଟ ଆସିବାରେ ବିଳମ୍ବ ପରିଲକ୍ଷିତ ହେଉଛି। ଅର୍ଥାତ୍ ସମ୍ଭାବ୍ୟ କରୋନା ପଜେଟିଭ୍ ବାହରିଥିବା ଲୋକଙ୍କୁ ହସ୍ପିଟାଲ୍ ନେବା ପର୍ଯ୍ୟନ୍ତ ସେ ଗାଁରେ ବୁଲାବୁଲି କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ କରିବାର ସମସ୍ୟା ଦେଖାଯାଇଛି।

ଅପରପକ୍ଷରେ ବୁର୍ଲା ମେଡିକାଲ୍ ଅନ୍ୟ ଜିଲ୍ଲାର ଲୋକମାନଙ୍କ ସାମ୍ପଲ୍ ଗ୍ରହଣ କରୁନାହିଁ । ବିଭାଗୀୟ କର୍ତ୍ତୃପକ୍ଷ କେବଳ ସମ୍ବଲପୁରବାସୀଙ୍କ ପରୀକ୍ଷା ହୋଇପାରିବ ବୋଲି କହୁଛନ୍ତି। ଏବେ ଏହି ରୋଗର ନୂଆ ଲକ୍ଷଣ କାର୍ଡିଆକ୍ ଏବଂ ନ୍ୟୁରୋ ଆରେଷ୍ଟ୍ ରିପୋର୍ଟ କରାଯାଇଥିବା ବେଳେ ଏହି ସମ୍ପର୍କିତ ରୋଗୀଙ୍କ ପାଇଁ ପଶ୍ଚିମ ଓଡିଶାର କୌଣସି ହସ୍ପିଟାଲରେ ବ୍ୟବସ୍ଥା ନାହିଁ। କରୋନା ରୋଗୀଙ୍କ ଚିକିତ୍ସା କରିବା ପାଇଁ କୌଣସି ବି ଡାକ୍ତର ଇଚ୍ଛାପ୍ରକାଶ କରୁନାହାନ୍ତି ଏବଂ ଏହି କାମ ବେସରକାରୀ ସଂସ୍ଥାର ବୋଲି କହୁଛନ୍ତି। ଇତିମଧ୍ୟରେ ବୁର୍ଲା ଭିମସାର୍ ମେଡିକାଲକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

ମେଡିକାଲର ଓପିଡି ଏବଂ ସର୍ଜରିକୁ ମଧ୍ୟ ବନ୍ଦ କରିଦିଆଯାଇଥିବା ବେଳେ କିଛି ଜରୁରୀକାଳୀନ ଚିକିତ୍ସାକୁ ଅନୁମତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପଶ୍ଚିମ ଓଡ଼ିଶାର ଲୋକଙ୍କୁ ବଡ଼ ଚିନ୍ତାରେ ପକାଇଛି। ଡାକ୍ତର ସୁବିଧା ଓ ଅନ୍ୟାନ୍ୟ କୋଭିଡ୍ ପରିଚାଳନା ଏବଂ ହସ୍ପିଟାଲର ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଖୁବଶୀଘ୍ର ଏଠାରେ କରୋନା ସଂକ୍ରମଣ ଯଥେଷ୍ଟ ବୃଦ୍ଧି ପାଇବାର ଆଶଙ୍କା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଏ ସମ୍ବନ୍ଧରେ ବିଚାର କରି ବିହିତ ପଦକ୍ଷେପ ନେବାକୁ ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାୟକ, କୁସୁମ ଟେଟେ, ଭବାନୀ ଭୋଇ, ଶଙ୍କର ଓରାମ, ସୁବାସ ପାଣିଗ୍ରାହୀ,ରାଜ୍ୟ ସଂପାଦକ ସୀମାଚଂଳ ଖଟେଇ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ, ଦେବେନ୍ଦ୍ର ମହାପାତ୍ର, ମାନସ ରଂଜନ ବକ୍ସି, ସମୀର ରଂଜନ ବାବୁ, ଅନ୍ନପୂର୍ଣ୍ଣା ବାରିକ, ଶିବ ଦିୱାନ ଓ ଗୋପାଳ ଅଗ୍ରୱାଲ ପ୍ରମୁଖ ସାମିଲ ଥିଲେ।

Related story