କେଉଁ ଫର୍ମୁଲାକୁ ଅପଣାଇବେ ସରକାର? ସ୍କୁଲ ଖୋଲିଲେ ନିଷ୍ପତ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ଓ ସ୍କୁଲ ବନ୍ଦ ସ୍ଥିତିକୁ ଦେଖି ଉଭୟ ସିବିଏସ୍‌ଇ ଓ ଆଇସିଏସ୍‌ଇ ଚଳିତବର୍ଷ ସେମାନଙ୍କ କୋର୍ସ କମାଇ ସାରିଲେଣି। ହେଲେ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟର ଶହ ଶହ ଓଡ଼ିଆ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ। ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ୩୦ ପ୍ରତିଶତ ନୁହେଁ ବରଂ ତାଠୁ ଅଧିକ କୋର୍ସ ଏବର୍ଷ କମାଯାଇ ପାରେ। ତେବେ ସ୍କୁଲ ଖୋଲିଲେ ନିଷ୍ପତ୍ତି ନିଆଯିବ। ସିବିଏସ୍‌ଇ ନବମରୁ ଦ୍ୱାଦଶ ଯାଏଁ କମାଇଲା ୩୦ ପ୍ରତିଶତ […]

Matric

Manoranjan Sial
  • Published: Thursday, 09 July 2020
  • , Updated: 09 July 2020, 08:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ମହାମାରୀ ଓ ସ୍କୁଲ ବନ୍ଦ ସ୍ଥିତିକୁ ଦେଖି ଉଭୟ ସିବିଏସ୍‌ଇ ଓ ଆଇସିଏସ୍‌ଇ ଚଳିତବର୍ଷ ସେମାନଙ୍କ କୋର୍ସ କମାଇ ସାରିଲେଣି। ହେଲେ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟର ଶହ ଶହ ଓଡ଼ିଆ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ। ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ୩୦ ପ୍ରତିଶତ ନୁହେଁ ବରଂ ତାଠୁ ଅଧିକ କୋର୍ସ ଏବର୍ଷ କମାଯାଇ ପାରେ। ତେବେ ସ୍କୁଲ ଖୋଲିଲେ ନିଷ୍ପତ୍ତି ନିଆଯିବ।

ସିବିଏସ୍‌ଇ ନବମରୁ ଦ୍ୱାଦଶ ଯାଏଁ କମାଇଲା ୩୦ ପ୍ରତିଶତ କୋର୍ସ। ଆଇସିଏସଇ ମଧ୍ୟ ୨୫ ପ୍ରତିଶତ କୋର୍ସ ହ୍ରାସ କରିଛି। ତେଣୁ ଏଠି ପ୍ରଶ୍ନ ଉଠୁଛି, କଣ ହେବ ଓଡ଼ିଆ ମାଧ୍ୟମିକ ବୋର୍ଡର ଆଗାମୀ ପଦକ୍ଷେପ? ରାଜ୍ୟ ସରକାର ସିବିଏସ୍ଇ ନା ଆଇସିଏସ୍ଇ ଫର୍ମୁଲାକୁ ବାଛିବେ? ସେପଟେ ଶିକ୍ଷାବର୍ଷର ଅଧା ହେଲାଣି। ଏଯାଏଁ ଗଣଶିକ୍ଷା ବିଭାଗ ଦୋଦୋ ପାଞ୍ଚ ସ୍ଥିତିରେ। ତେଣୁ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ତେଣେ ସିବିଏସଇ ପିଲାଙ୍କ ସହ ତାଳ ଦେଇ ପଢ଼ିବାକୁ ହେଲେ ଓଡ଼ିଶା ମାଧ୍ୟମିକ ବୋର୍ଡ ମଧ୍ୟ ୩୦ ପ୍ରତିଶତ କୋର୍ସ କମାଇବା ଉଚିତ୍ ବୋଲି କହୁଛନ୍ତି ଛାତ୍ରଛାତ୍ରୀ। ତା’ସହ ଅନ୍‌ଲାଇନ ପାଠ ପଢା ଆରମ୍ଭ ହୋଇସାରିଥିବାରୁ ବେଳ ଥାଉ ଥାଉ କେଉଁ ବିଷୟ ଗୁଡ଼ିକ ପଢ଼ାଯିବ ଓ କାହାକୁ ଏବର୍ଷ ସିଲାବସ୍‌କୁ ବାଦ୍ ଦିଆଯିବ, ସେ ନେଇ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବା ଉଚିତ୍। ତା ନହେଲେ ଛାତ୍ରଛାତ୍ରୀଙ୍କ ପରିଶ୍ରମ ବୃଥା ଯିବ ବୋଲି କହିଛନ୍ତି ଶିକ୍ଷାବିତ୍।

ସେହିଭଳି ପ୍ରଥମରୁ-ଅଷ୍ଟମ ଶ୍ରେଣୀ ଯାଏଁ ସିଲାବସ୍ ହ୍ରାସ ନେଇ ଗଣଶିକ୍ଷା ବିଭାଗ କୌଣସି ଠୋସ୍ ନିଷ୍ପତ୍ତିରେ ପହଞ୍ଚି ପାରିନି। ତେବେ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ୩୦ ପ୍ରତିଶତ ନୁହେଁ ବରଂ ତାଠୁ ଅଧିକ କୋର୍ସ ଏବର୍ଷ କମାଯାଇ ପାରେ। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି, ସ୍କୁ‌ଲ ଖୋଲିବା ତାରିଖ ଘୋଷଣା ପରେ ନିଆଯିବ। ବର୍ତ୍ତମାନର ‘କରୋନା’ ସ୍ଥିତିକୁ ଦେଖି ଆସନ୍ତା ଅଗଷ୍ଟ ୩୧ ଯାଏଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ତେବେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଡିପ୍ଲୋମା ଶେଷ ସେମିଷ୍ଟର ଅନ୍‌ଲାଇନ୍‌ ପରୀକ୍ଷା ଆଣ୍ଡ୍ରଏଡ୍‌ ବେସ୍‌ଡ ସ୍ମାର୍ଟ ଫୋନ୍‌ରେ କରାଯିବାକୁ ନିଷ୍ପତ୍ତି ହୋଇଛି। ଲାପ୍‌ଟପ୍‌ ଓ ଡେସ୍କଟପ୍‌ କିମ୍ବା ମୋବାଇଲ୍‌ ସୁବିଧା ନଥିଲେ, ଜିଲ୍ଲା ଓ୍ୱାରି ହୋଇଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇ ପାରିବେ ଛାତ୍ରଛାତ୍ରୀ। ଏନେଇ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Related story