ରାଜ୍ୟର ଋଣବୋଝ କେତେ: କିଏ ଠିକ୍ - ସରକାର ନା ସିଏଜି?

ଭୁବନେଶ୍ୱର(ପ୍ରକାଶ ସେଠୀ): କ୍ରମାଗତ କିଛିବର୍ଷ ଧରି ବାର୍ଷିକ ବଜେଟର କଳେବର ବୃଦ୍ଧି କରି ରାଜ୍ୟ ଅର୍ଥନୀତିର ଗୋଲାପୀ ଚିତ୍ର ଦେଉଥିବା ଓଡ଼ିଶାର ମୋଟ ଋଣବୋଝର ପରିମାଣକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ୨୦୨୦ ସେପ୍ଟେମ୍ବର ଶେଷସୁଦ୍ଧା ରାଜ୍ୟର ମୋଟ ଋଣବୋଝ ୯୭,୮୨୩କୋଟି ଟଙ୍କା ଓ ୨୦୨୦-୨୧ ଆର୍ଥିକ ବର୍ଷରେ ମାତ୍ର ୬୬୩୦.୬୦କୋଟି ଟଙ୍କାର ଋଣ କରାଯାଇଛି ବୋଲି ଚଳିତ ଶୀତ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିବାବେଳେ ଅକ୍ଟୋବର ପ୍ରଥମ ସପ୍ତାହରେ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ରାଜ୍ୟର […]

finance-graph

finance-graph

Manoranjan Sial
  • Published: Tuesday, 24 November 2020
  • Updated: 24 November 2020, 06:20 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କ୍ରମାଗତ କିଛିବର୍ଷ ଧରି ବାର୍ଷିକ ବଜେଟର କଳେବର ବୃଦ୍ଧି କରି ରାଜ୍ୟ ଅର୍ଥନୀତିର ଗୋଲାପୀ ଚିତ୍ର ଦେଉଥିବା ଓଡ଼ିଶାର ମୋଟ ଋଣବୋଝର ପରିମାଣକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ୨୦୨୦ ସେପ୍ଟେମ୍ବର ଶେଷସୁଦ୍ଧା ରାଜ୍ୟର ମୋଟ ଋଣବୋଝ ୯୭,୮୨୩କୋଟି ଟଙ୍କା ଓ ୨୦୨୦-୨୧ ଆର୍ଥିକ ବର୍ଷରେ ମାତ୍ର ୬୬୩୦.୬୦କୋଟି ଟଙ୍କାର ଋଣ କରାଯାଇଛି ବୋଲି ଚଳିତ ଶୀତ ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିବାବେଳେ ଅକ୍ଟୋବର ପ୍ରଥମ ସପ୍ତାହରେ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ରାଜ୍ୟର ମୋଟ ଋଣବୋଝ ୨୦୧୯ ମାର୍ଚ୍ଚ ଶେଷସୁଦ୍ଧା ୧ଲକ୍ଷ ୮ହଜାର ୨୫୮କୋଟି ଟଙ୍କା ଉଲ୍ଲେଖ ରହିଛି। ରାଜ୍ୟ ଉପରେ ମୋଟ ଋଣବୋଝକୁ ନେଇ ସରକାର ଓ ସିଏଜିଙ୍କ ଏହି ଅମେଳ ତଥ୍ୟ ମଧ୍ୟରୁ କାହା ତଥ୍ୟକୁ ସାଧାରଣ ଲୋକେ ଭରସା କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତ ୨୦ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବାବେଳେ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣବୋଝ ପରିମାଣ ୯୭,୮୨୩କୋଟି ଟଙ୍କା ରହିଛି ବୋଲି ସୂଚନା ଦେଇଥିଲେ। ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଗତକାଲି ଲିଖିତ ଉତ୍ତର ଦେଇ ଶ୍ରୀ ପୂଜାରୀ କହିଥିଲେ ଯେ ଚଳିତ ଆର୍ଥିକ ବର୍ଷରେ ୨୪୪୫୦କୋଟି ଟଙ୍କା ଟଙ୍କାର ଋଣ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ସେପ୍ଟେମ୍ବର ଶେଷସୁଦ୍ଧା ଓଡ଼ିଶା ସରକାର ୬୬୩୦.୬୦କୋଟି ଟଙ୍କା ଋଣ ଆହରଣ କରିଛନ୍ତି। ଅବଶ୍ୟ ଅର୍ଥ ବିଭାଗର ଅନୁସଚିବ ଉଜ୍ୱଳ କୁମାର ନାୟକ ଚଳିତବର୍ଷ ଅଗଷ୍ଟ ୨୪ତାରିଖରେ ସୂଚନା ଅଧିକାର ଆଇନ ବଳରେ ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କୁ ଦେଇଥିବା ତଥ୍ୟରେ ୨୦୨୦ ମାର୍ଚ୍ଚରୁ ଜୁଲାଇ ମାସ ମଧ୍ୟରେ ଓଡ଼ିଶା ୧୦୬୯୫.୬୯କୋଟି ଟଙ୍କା ଋଣ ଆହରଣ କରିଛି ଓ ସେଥିରେ ଖୋଲାବଜାରରୁ ୫ହଜାର କୋଟି, ନାବାର୍ଡରୁ ୧୨୨୮, ଭାରତ ସରକାରରୁ ୪୬୩କୋଟି ଓ ରୁରାଲ ବିଦ୍ୟୁତିକରଣ କର୍ପୋରେସନରୁ ୩୮୪୩କୋଟି ଟଙ୍କା ଋଣ ଆଣିଥିବା ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ, ଗତ ଅକ୍ଟୋବର ୬ତାରିଖରେ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ, ରାଜ୍ୟର ମୋଟ ଋଣବୋଝ ୨୦୧୯ ମାର୍ଚ୍ଚ ଶେଷସୁଦ୍ଧା ୧ଲକ୍ଷ ୮ହଜାର ୨୫୮କୋଟି ଟଙ୍କା ରହିଛି। ସିଏଜିଙ୍କ ଅଡିଟ୍ ରିପୋର୍ଟ ଅନୁସାରେ ୨୦୧୪-୧୫ରୁ ୨୦୧୮-୧୯ ମଧ୍ୟରେ ରାଜ୍ୟର ରାଜ୍ୟର ଋଣବୋଝ ପରିମାଣ ଦ୍ୱିଗୁଣରୁ ଅଧିକ ବୃଦ୍ଧି ପାଇଥିବାବେଳେ ସରକାରଙ୍କ ଋଣ ଆହରଣ ନୀତିକୁ ମଧ୍ୟ ସିଏଜି ଭର୍ତ୍ସନା କରିଛନ୍ତି। ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିସକୁ ଅଣଦେଖା କରି ଓଡ଼ିଶା ସରକାର ୭.୫୫ରୁ ୮.୨୯ ପ୍ରତିଶତ ହାରରେ ୯୦୧୯.୫୪କୋଟି ଟଙ୍କାର ଋଣ ଆହରଣ କରିଛନ୍ତି। ଯଦିଓ ସରକାରଙ୍କ ପାଖରେ ୨୪,୭୬୦କୋଟି ଟଙ୍କା ବଳକା ଗଚ୍ଛିତ ରହିଥିଲା। ସରକାର ଏହି ପାଣ୍ଠିର ଉପଯୋଗ ନକରି ଚଢ଼ା ସୁଧହାରରେ ଋଣ ଆହରଣ କରିଥିବା ନେଇ ସିଏଜି ଆପତ୍ତି ଉଠାଇବାପରେ ୨୦୨୦ ମେ’ ମାସରେ ରାଜ୍ୟ ସରକାର ନିଜର ସ୍ପଷ୍ଟୀକରଣରେ କହିଥିଲେ ଯେ, ଦୁଇମାସର ବେତନ ଓ ପେନସନ ପ୍ରଦାନ ନିମନ୍ତେ ଅର୍ଥରାଶି ଗଚ୍ଛିତ ରଖିବା ଅପରିହାର୍ଯ୍ୟ । ତେଣୁ ବଳକା ଥିବା ଅର୍ଥକୁ ଖର୍ଚ୍ଚ କରାନଯାଇ ଅଧିକ ସୁଧରେ ଋଣ କରାଯାଇଥିଲା। ରାଜ୍ୟର ଋଣବୋଝ ୨୦୧୪-୧୫ ମସିହା ଶେଷରେ ୫୦,୪୯୩କୋଟି ଟଙ୍କା ଥିବାବେଳେ ତାହା ୨୦୧୭-୧୮ରେ ୯୭,୧୬୪ କୋଟି ଓ ୨୦୧୮-୧୯ରେ ୧ଲକ୍ଷ ୮ହଜାର ୨୫୮କୋଟି ଟଙ୍କାରେ ପହଂଚିଛି ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ସେହିପରି ରାଜ୍ୟ ଅର୍ଥ ବିଭାଗର ତଥ୍ୟ ଅନୁସାରେ, ଓଡ଼ିଶା ୨୦୧୭-୧୮ରେ ୧୨,୮୬୧ କୋଟି ଟଙ୍କା, ୨୦୮-୧୯ରେ ୧୦,୦୦୩ କୋଟି, ୨୦୧୯-୨୦ରେ ୧୭,୨୯୦ କୋଟି ଟଙ୍କା (ସଂଶୋଧିତ ବଜେଟ)ର ଋଣ ଆହରଣ କରିଥିବାବେଳେ ୨୦୨୦-୨୧ରେ ୨୪,୪୫୦କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ ବଜେଟରେ ବ୍ୟବସ୍ଥା ରହିଛି। ତେବେ, ରାଜ୍ୟର ମୋଟ ଋଣବୋଝକୁ ନେଇ ଅର୍ଥ ବିଭାଗର ‘ଗୋଲାପୀ’ ତଥ୍ୟ ଓ ସିଏଜିଙ୍କ ଅଡିଟ୍ ମଧ୍ୟରେ ତାଳମେଳ ରହୁନଥିବାବେଳେ ୨୦୦୦-୦୧ରେ ୨୧ହଜାର କୋଟି ଟଙ୍କାର ଋଣବୋଝ ମୁଣ୍ଡାଇଥିବା ଓଡ଼ିଶା ଏବେ ନିଜର ସେହି ଦୁଇ ଦଶନ୍ଧି ପୁରୁଣା ବିପର୍ଯ୍ୟସ୍ତ ଅର୍ଥବ୍ୟବସ୍ଥା ଆଡ଼କୁ ଟାଣି ହୋଇଯାଉନି ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos