କଟକ(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ନେଇ କଣ ପଦକ୍ଷେପ ଗ୍ରହଣ କରିଛ? ସେ ନେଇ ସତ୍ୟପାଠ ଦାଖଳ କର। ଏନେଇ ସ୍ୱାସ୍ଥ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ମେଡିକାଲ କଲେଜ ଓ ଜିଲ୍ଲା ସ୍ତରରେ କେତେ ଡାକ୍ଟର ପଦବୀ ଖାଲି ରହିଛି ସେ ନେଇ ଜଣାଇବାକୁ କୋର୍ଟ କହିଛନ୍ତି। ଏ ସବୁ ପଦବୀ ପୂରଣ ପାଇଁ କେତେ ଦିନ ମଧ୍ୟରେ କଣ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା ରହିଛି, ତାହା ମଧ୍ୟ ଜଣାଇବାକୁ କୋର୍ଟ କହିଛନ୍ତି। ସେପ୍ଟେମ୍ବର ୨୭ ତାରିଖ ପୂର୍ବରୁ ଏ ନେଇ ବିସ୍ତୃତ ସତ୍ୟପାଠ ଦେବାକୁ କୋର୍ଟ କହିଛନ୍ତି।
ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ ଡାକ୍ଟର ଅଭାବ ନେଇ ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀରେ କୋର୍ଟ ଏହା କହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟ ସଚିବ ଦେଇଥିବା ସତ୍ୟପାଠରେ ଦର୍ଶାଇଥିଲେ ଯେ ମେଡିକାଲ କଲେଜରେ ୩୩୭ଟି ପଦ ଖାଲି ରହିଥିବା ବେଳେ ଜିଲ୍ଲା ସ୍ତରରେ ୧୬୯୫ଟି ଡାକ୍ଟର ପଦବୀ ଖାଲି ପଡିଛି। ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ୨୪୫୨ଟି ଗ୍ରୁପ୍-ଏ ମେଡିକାଲ ଅଫିସର ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗକୁ ଗତ ଜାନୁଆରୀ ୧୮ ତାରିଖରେ ବିଭାଗ ଚିଠି ଲେଖିଥିଲା।
ସେହି ଅନୁଯାୟୀ ମେ ୧୩ ତାରିଖରେ ୭୮୬ ଜଣଙ୍କୁ ନିଯୁକ୍ତି ପାଇଁ ଓପିଏସସି ସୁପାରିସ କରିଥିଲା। ସେମାନଙ୍କ ମଧ୍ୟରୁ ୭୫୧ ଜଣ ଡାକ୍ଟରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା। ଅକ୍ଟେବର ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଧାର୍ଯ୍ୟ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।