ଶିକ୍ଷକଙ୍କ ପାଇଁ ଗୃହ ଅଚଳ କଲେ ବିରୋଧୀ, ଗଣଶିକ୍ଷା ମନ୍ତ୍ରୀ ଗଲେ କୁଆଡ଼େ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ୩ଦଫା ଦାବି ପୂରଣ ଜିଦରେ ଅଟଳ ରହି ପ୍ରାଥମିକ ସ୍କୁଲ ଶିକ୍ଷକମାନେ ରାଜଧାନୀରେ ଅହୋରାତ୍ର ଧାରଣା ଦେଇଥିବାବେଳେ ଆଜି ବିଧାନସଭାରେ ଶିକ୍ଷକମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଗୃହକୁ ଚଳାଇ ଦେଇନି । ଗଣଶିକ୍ଷା ମନ୍ତ୍ରୀ ଏଠାରେ ରହି ଶିକ୍ଷକଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ପଦ୍ମପୁରରେ ନିର୍ବାଚନ ପ୍ରଚାର ଚଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଖରା କାକରରେ ବସିଥିବା ଶିକ୍ଷକମାନଙ୍କ ଦାବିର ସମାଧାନ ସରକାର ତୁରନ୍ତ କରନ୍ତୁ ବୋଲି ବିରୋଧୀ […]

Teacher

Ordigital Desk
  • Published: Tuesday, 29 November 2022
  • , Updated: 29 November 2022, 07:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜର ୩ଦଫା ଦାବି ପୂରଣ ଜିଦରେ ଅଟଳ ରହି ପ୍ରାଥମିକ ସ୍କୁଲ ଶିକ୍ଷକମାନେ ରାଜଧାନୀରେ ଅହୋରାତ୍ର ଧାରଣା ଦେଇଥିବାବେଳେ ଆଜି ବିଧାନସଭାରେ ଶିକ୍ଷକମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଗୃହକୁ ଚଳାଇ ଦେଇନି । ଗଣଶିକ୍ଷା ମନ୍ତ୍ରୀ ଏଠାରେ ରହି ଶିକ୍ଷକଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ପଦ୍ମପୁରରେ ନିର୍ବାଚନ ପ୍ରଚାର ଚଳାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଖରା କାକରରେ ବସିଥିବା ଶିକ୍ଷକମାନଙ୍କ ଦାବିର ସମାଧାନ ସରକାର ତୁରନ୍ତ କରନ୍ତୁ ବୋଲି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ ଦାବି କରି ଗୃହରେ ହଟ୍ଟଗୋଳ ଓ ପୋଡ଼ିୟମ ତଳେ ଧାରଣା ଦେଇଥିଲେ । ଏପରିକି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ସର୍ବଦଳୀୟ ବୈଠକ ଡାକି ସ୍ଥିତି ସ୍ୱାଭାବିକ କରିବାକୁ ଚାହିଁଥିଲେ ମଧ୍ୟ ଅଚଳାବସ୍ଥା ଲାଗି ରହିଥିଲା ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଶିକ୍ଷକମାନଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହକୁ ବାଚସ୍ପତି ୧୦ଟା ୩୩ମିନିଟରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ପରେ ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରିବା ନିମନ୍ତେ ପ୍ରୟାସ କରିଥିଲେ ଓ ଗୃହକୁ ୧୧ଟା ୪୫ରୁ ୧୦ମିନିଟ୍ ପାଇଁ ମୁଲତବୀ ରଖିଥିଲେ । ସର୍ବଦଳୀୟ ବୈଠକ ପରେ ଗୃହ ସ୍ୱାଭାବିକ ହୋଇଥିଲା । କିନ୍ତୁ ସରକାରଙ୍କ ଉତ୍ତର ପରେ ବିରୋଧୀ ପୁଣିଥରେ ହଟ୍ଟଗୋଳ କରିଥିଲେ । ଯେଉଁଥିପାଇଁ ଗୃହକୁ ବାଚସ୍ପତି ସାଢ଼େ ୧୨ଟାରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ବାଚସ୍ପତିଙ୍କ ରୁଲିଂ ପରେ ଗଣଶିକ୍ଷା ସଚିବ ଗତକାଲି ପ୍ରାଥମିକ ଶିକ୍ଷକ ସଂଘ ସହ ଆଲୋଚନା କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସଚିବ କହିଛନ୍ତି ଯେ ସେ ନୂଆ କରି ଆସିଛନ୍ତି, ତେଣୁ ଦାବି ସମ୍ପର୍କରେ ଅଜ୍ଞ । ତେବେ ଆମର ପ୍ରଶ୍ନ ହେଲା, ଶିକ୍ଷକମାନେ ଦାବି ସମ୍ପର୍କରେ ପୂର୍ବରୁ ଜଣାଇଥିବାବେଳେ ସଚିବ କିପରି ଏହା କହୁଛନ୍ତି । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ସ୍କୁଲରେ ତାଲା ପଡ଼ିଛି । ଆଉ ଗଣଶିକ୍ଷା ମନ୍ତ୍ରୀ ପଦମପୁର ଯାଇ ସେଠାରେ ପ୍ରଚାର କରୁଛନ୍ତି । ଏହାଠୁ ଦୁର୍ଭାଗ୍ୟଜନକ ଆଉ କ’ଣ ଥାଇପାରେ ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ବି ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । କେବଳ ଧର୍ମକୁ ଆଖିଠାର ମାରିବା ଭଳି ପଦକ୍ଷେପ ନେଉଛନ୍ତି । ଶିକ୍ଷକ ସଂଘ ଓ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ସଚିବ କହୁଛନ୍ତି ସେ ନୂଆ, କରିବେ କ’ଣ? ଆଉ ଶିକ୍ଷା ମନ୍ତ୍ରୀ ଯାଇ ପଦମପୁରରେ ଅଛନ୍ତି । ଶିକ୍ଷକଙ୍କ ସମସ୍ୟା କିଏ ବୁଝିବ ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଲକ୍ଷଲକ୍ଷ ଶିକ୍ଷକ ରାଜରାସ୍ତାରେ ବସି ରହିଛନ୍ତି । ଗଣଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ଯାଇ ନିର୍ବାଚନ ପ୍ରଚାର କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ । ଶିକ୍ଷକମାନଙ୍କ ୩ ଦଫା ଦାବି ନେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ । ନଚେତ୍ ଗୃହକୁ ଚଳାଇ ଦିଆଯିବ ନାହିଁ ।

ଅନ୍ୟପକ୍ଷରେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଥିଲେ ଯେ, ଶିକ୍ଷକମାନେ ଜିଦରେ ଆନ୍ଦୋଳନ କରିବା ଉଚିିତ୍ ନୁହେଁ । ସରକାର ସେମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି । ଆର୍ଥିକ ବ୍ୟବସ୍ଥାକୁ ଆକଳନ କରି ସରକାର କିଛି ପଦକ୍ଷେପ ନିଶ୍ଚିତ ନେବେ । ଶିକ୍ଷକମାନେ ରାସ୍ତାରେ ଶୋଇବା ପସନ୍ଦର କଥା ହେଉନି ।

ବାଚସ୍ପତିଙ୍କ ନିର୍ଦ୍ଦେଶରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବିଜ୍ଞାନ ଓ କାରିଗରି କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ଗୃହରେ ବିବୃତ୍ତି ରଖି କହିଥିଲେ ଯେ, ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାର ସଚେତନ ଅଛନ୍ତି । ଗତକାଲି ଶିକ୍ଷକ ସଂଘ ସହ ବିଭାଗୀୟ ସଚିବ ପ୍ରାୟ ୪୫ମିନିଟ୍ ଧରି ଆଲୋଚନା କରିଛନ୍ତି । ବିଭାଗୀୟ ସଚିବ ସେମାନଙ୍କ ଦାବି ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ଅଛନ୍ତି । ଏବେ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି । ଆମେ ଆଲୋଚନାର ଦ୍ୱାର ବନ୍ଦ କରିନୁ । ଆନ୍ତଃ ବିଭାଗୀୟ ବିଷୟବସ୍ତୁ କିଛି ରହୁଥିବାରୁ ତା’ ଉପରେ ଆଲୋଚନା ଚାଲିଛି । ଆଜି ମଧ୍ୟ ମୁଖ୍ୟ ସଚିବ ଏକ ବୈଠକ ଡାକିଛନ୍ତି ସେଠାରେ ଶିକ୍ଷକ ସଂଘ ସହ ଆଲୋଚନା କରିବେ । କିନ୍ତୁ ସରକାରଙ୍କ ଏହି ଉତ୍ତରରେ ବିରୋଧୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ହଟ୍ଟଗୋଳ ଜାରି ରଖିବାରୁ ଆଜି ଗୃହରେ ଅଚଳାବସ୍ଥା ଲାଗି ରହିଥିଲା । ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ସରକାର ଗୃହରେ ଜିଲ୍ଲା ଯୋଜନା କମିଟି ସଂଶୋଧନ ବିଲକୁ ଗୃହରେ ପାରିତ କରାଇ ନେଇଛନ୍ତି ।

Related story