ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମକୁ ତୁରନ୍ତ ବନ୍ଦ କରିଦେବା ପାଇଁ ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେବାପରେ କରୋନା ସଂକ୍ରମିତ ରୋଗୀମାନେ ନିଜର ଚିକିତ୍ସା କିଭଳି କରିବେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି। ଗତ ୩ଦିନ ଧରି ଦେଶର ସର୍ବାଧିକ ସକ୍ରିୟ କରୋନା ସଂକ୍ରମିତ(ଆକ୍ଟିଭ) ରାଜ୍ୟ ତାଲିକାରେ ଓଡ଼ିଶା ଷଷ୍ଠ ସ୍ଥାନରେ ଥିବାବେଳେ ରାଜ୍ୟର କୋଭିଡ୍ ହସ୍ପିଟାଲଗୁଡ଼ିକରେ ମାତ୍ର ୮୦୩୦ଟି ବେଡ୍ କିଭଳି ଏହି ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କୁ ଚିକିତ୍ସା ସୁବିଧା ଯୋଗାଇବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁସାରେ, ରାଜ୍ୟରେ ଆଜି ୪୧୯୮ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବାପରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୫୬୭୩ରେ ପହଂଚିଛି । ଯାହାକି ସମଗ୍ର ଦେଶରେ ସକ୍ରିୟ ସଂକ୍ରମିତ(ଆକ୍ଟିଭ)ଙ୍କ ତାଲିକାରେ ଓଡ଼ିଶାକୁ ଷଷ୍ଠ ସ୍ଥାନରେ ରହିଛି। ଗତ ୩ଦିନ ଧରି ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି, ବୟସ୍କ ବ୍ୟକ୍ତିମାନେ କରୋନାର ଶିକାର ହେଉଥିବାବେଳେ ସେମାନଙ୍କ ପାଇଁ ଆବଶ୍ୟକ ପରିମାଣର ଚିକିତ୍ସା ଭିତ୍ତିଭୂମି ନଥିବାରୁ ସାଧାରଣ ରୋଗୀଙ୍କୁ ଏବେ କୋଭିଡ୍ ହସ୍ପିଟାଲରେ ବେଡ୍ ମିଳିବାରେ ସମସ୍ୟା ହେବାରେ ଲାଗିଛି। ରାଜ୍ୟ ସରକାର ଯଦିଓ ସମଗ୍ର ରାଜ୍ୟରେ ୪୮ଟି କୋଭିଡ୍ ହସ୍ପିଟାଲ ସ୍ଥାପନ କରି ସେଠାରେ ୭୧୦ଟି ଆଇସିୟୁ ବେଡ୍ ସମେତ ମୋଟ ୮୦୩୦ଟି ବେଡର ବ୍ୟବସ୍ଥା କରିଛନ୍ତି କିନ୍ତୁ ଯେଉଁଭଳି ଭାବେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ତାହା ଓଡ଼ିଶା ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅବଶ୍ୟ ସଂକ୍ରମିତ ରୋଗୀଙ୍କୁ ଘରେ ସଙ୍ଗରୋଧରେ ରହିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି, ମାତ୍ର ଗ୍ରାମାଂଚଳରେ ସଙ୍ଗରୋଧରେ ରହିବା ସଂକ୍ରମିତ ରୋଗୀଙ୍କ ପକ୍ଷେ ସମ୍ଭବପର ନୁହେଁ। ଗାଁ ଗହଳିରେ ଘରର ଅଭାବ ଓ ସଚେତନତା ନଥିବାରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଅନ୍ୟ ସୁସ୍ଥ ଲୋକମାନେ ଆସିବାର ଆଶଙ୍କା ଅଧିକ ରହିଛି। ଏଭଳି ସ୍ଥଳରେ ଗାଁ ଗହଳିର ଲୋକଙ୍କ ପାଇଁ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ କେୟାର ହୋମ୍ ବେଶ୍ ସହାୟକ ହେଉଥିଲା। ମାତ୍ର ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି ନକରି ଓ ସାଧାରଣ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଚିକିତ୍ସା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ନକରି ତରବରିଆ ଭାବେ ଲୋକ ହେଉନଥିବା ଦର୍ଶାଇ କୋଭିଡ୍ କେୟାର ହୋମକୁ ତତ୍କାଳ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୋଭିଡ୍ କେୟାର ସେଣ୍ଟରଗୁଡ଼ିକରେ ରୋଗୀ ସଂଖ୍ୟା କମାଇ ସେଠାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସେମାନଙ୍କର ମୂଳ ସ୍ଥାନକୁ ଫେରାଇ ଦେବା ଭଳି ନିଷ୍ପତ୍ତି ନେଇଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକ(ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ନଥିବା) କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିଦେଉଥିବାବେଳେ ସଂକ୍ରମିତ ବ୍ୟକ୍ତିଟିଏ କେଉଁଠି ଚିକିତ୍ସିତ ହେବ? ଯେଉଁ ହାରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ସେହି ଅନୁପାତରେ ବେଡ୍ ନଥିବାରୁ ରୋଗୀଟିଏ ଗୁରୁତର ହେଲେ ସେ କିଭଳି ଓ କେଉଁଠି ଚିକିତ୍ସା ସୁବିଧା ପାଇବ, ସେ ନେଇ ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ଅସ୍ଥାୟୀ ମେଡିକାଲ ସେଣ୍ଟର(କ୍ୱାରେଣ୍ଟାଇନ ସେଣ୍ଟର)ଗୁଡିକ ଜୁନ୍ ମାସ ପରଠୁ ବନ୍ଦ ହୋଇସାରିଥିବାବେଳେ ୬୭୯୮ଟି ପଂଚାୟତରେ ୬୫୬୦ଟି କୋଭିଡ୍ କେୟାର ହୋମ(ସିସିଏଚ)ରେ ୬୫୪୭୯ଟି ବେଡ୍ ସୁବିଧା ଏବଂ ବିଭିନ୍ନ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ସ୍ଥାପିତ ହୋଇଥିବା ୧୭୮ଟି କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ୨୧୦୫୯ଟି ବେଡ୍ ବ୍ୟବସ୍ଥା ରହିଛି। ରାଜ୍ୟରେ ଆଜିସୁଦ୍ଧା ୧ଲକ୍ଷ ୫୫ହଜାର ଲୋକ କରୋନା ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୩୭୯୯ଜଣ ୬୦ବର୍ଷ ବୟସରୁ ଉର୍ଦ୍ଧ୍ୱ(ସର୍ବାଧିକ ସମ୍ବେଦନଶୀଳ) ଓ ୪୭୬୧୨ଜଣ ୪୧ରୁ ୬୦ବର୍ଷ ବୟସ ମଧ୍ୟରେ।