କିଏ ଦେଉଛି ଅନୁମତି: ଏପଟେ ବିଧାନସଭା ଚାଲିଛି ସେପଟେ ଏକାଧିକ ସଚିବ ଛୁଟିରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ଚାଲିଥିବାବେଳେ ରାଜ୍ୟର ଏକାଧିକ ବରିଷ୍ଠ ଆଇଏଏସ୍ ତଥା ବିଭାଗୀୟ ସଚିବ ଛୁଟିରେ ପଳାଇଛନ୍ତି। ରାଜ୍ୟ ପ୍ରଶାସନରେ ଏଭଳି ଅଭାବନୀୟ ସ୍ଥିତିକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନା ଅନୁସାରେ, ଗୃହ ଓ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଆଜିଠୁ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି । ତାଙ୍କ ସ୍ଥାନରେ ଇସ୍ପାତ ଓ ଖଣି ସଚିବ ଦେଓରଞ୍ଜନ ସିଂଙ୍କୁ […]

odisha-assembly

odisha-assembly

Ordigital Desk
  • Published: Friday, 29 July 2022
  • Updated: 29 July 2022, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ ଚାଲିଥିବାବେଳେ ରାଜ୍ୟର ଏକାଧିକ ବରିଷ୍ଠ ଆଇଏଏସ୍ ତଥା ବିଭାଗୀୟ ସଚିବ ଛୁଟିରେ ପଳାଇଛନ୍ତି। ରାଜ୍ୟ ପ୍ରଶାସନରେ ଏଭଳି ଅଭାବନୀୟ ସ୍ଥିତିକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ, ଗୃହ ଓ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଆଜିଠୁ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ ଛୁଟିରେ ପଳାଇଛନ୍ତି । ତାଙ୍କ ସ୍ଥାନରେ ଇସ୍ପାତ ଓ ଖଣି ସଚିବ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେହିପରି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆଇପିଏସ୍ ସନ୍ତୋଷ ବାଲା ଛୁଟିରେ ଥିବାବେଳେ ତାଙ୍କ କାର୍ଯ୍ୟ ସେହି ବିଭାଗର ଓଏସଡି ଥିବା ପ୍ରଫୁଲ୍ଲ ପ୍ରଧାନ ତୁଲାଉଥିବା ଜଣାପଡ଼ିଛି ।

ସେହିପରି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଚଳିତମାସ ୮ତାରିଖରୁ ବିଦେଶ ଗସ୍ତରେ ପଳାଇଛନ୍ତି । ସେ ବିଧାନସଭା ଅଧିବେଶନ ସରିବା ପରେ ଓଡ଼ିଶା ଫେରିବେ । ବଜେଟ୍ ଅଧିବେଶନ ସମୟରେ ଅର୍ଥ ସଚିବ ଶ୍ରୀ ଦେବଙ୍କୁ ବିଦେଶ ଯିବା ପାଇଁ ରାଜ୍ୟ ସରକାର କିଭଳି ଅନୁମତି ଦେଲେ ତାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ପଂଚାୟତିରାଜ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବେ ଅତିରିକ୍ତ ଭାବେ ଅର୍ଥ ବିଭାଗର ଦାୟିତ୍ୱ ତୁଲାଉଛନ୍ତି ।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ମଧ୍ୟ ବିଦେଶ ଗସ୍ତରେ ଯିବା ପାଇଁ ଆଜିଠୁ ଛୁଟିରେ ଯାଇଛନ୍ତି । ସେ ଅଗଷ୍ଟ ୧୭ରେ ଫେରିବେ ବୋଲି ଜଣାପଡ଼ିଛି । ତାଙ୍କ ଆଇଏଏସ୍ ସ୍ୱାମୀ ସଞ୍ଜିବ ଚୋପ୍ରା କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସମେତ କୃଷି ଉତ୍ପାଦନ କମିଶନର ଦାୟିତ୍ୱରେ ଥିଲେ ମଧ୍ୟ ଏହି ଦୁଇଟି ଦାୟିତ୍ୱ କାହାକୁ ଦିଆଯାଇଛି ତାହା ଅସ୍ପଷ୍ଟ । ସେହିପରି ରଞ୍ଜନାଙ୍କ ଦାୟିତ୍ୱ ଏବେ କିଏ ତୁଲାଉଛନ୍ତି ସେ ନେଇ ବି କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନଥିବା ଜଣାପଡ଼ିଛି ।

ସେହିପରି କରୋନାର ଚତୁର୍ଥ ଲହର ଆଶଙ୍କା ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଆର କେ ଶର୍ମା ଛୁଟିରେ ଯାଇଛନ୍ତି । ସେ ଆସନ୍ତା ମାସରେ ଫେରିବେ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଏବେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ଧଳ ଅତିରିକ୍ତ ଭାବେ ତୁଲାଉଛନ୍ତି ।

ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ୧୯୯୭ ବ୍ୟାଚର ଆଇଏଫଏସ୍ ଅଫିସର ଆର. ରଘୁପ୍ରସାଦଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି । ସେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅଧୀନରେ ଜଙ୍ଗଲ ଆଇଜି ଭାବେ ନୂଆଦିଲ୍ଲୀରେ ଅବସ୍ଥାପିତ ହେବେ । ତାଙ୍କୁ ତୁରନ୍ତ ରିଲିଭ୍ କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଗତ ୨୭ତାରିଖରେ ଛୁଟି ଲେଖି ଅବଗତ କରିଛି ।

ତେବେ ପ୍ରଶ୍ନ ଉଠୁଛି, ବିଧାନସଭା ଅଧିବେଶନର ଯଥେଷ୍ଟ ପୂର୍ବରୁ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ବିଧାନସଭା ସମୟରେ ବରିଷ୍ଠ ଅଧିକାରୀମାନଙ୍କ ଛୁଟିରେ ଯିବା ଓ ଅତି ଜରୁରୀ ନଥିଲେ ହେଡକ୍ୱାର୍ଟର ନଛାଡ଼ିବା ପାଇଁ ତାଗିଦ୍ କରିଥାଏ । କିନ୍ତୁ ରାଜ୍ୟ ସରକାରଙ୍କ ଅଫିସରମାନେ ଏସବୁ ପ୍ରତି ଭୃକ୍ଷେପ ନକରି ବିଧାନସଭା ଅଧିବେଶନ ଚାଲିଥିବାବେଳେ ବିଭିନ୍ନ ଆଳ ଦେଖାଇ ବିଦେଶ ଗସ୍ତରେ ପଳାଉଛନ୍ତି । ସେମାନଙ୍କୁ ଛୁଟିରେ ଯିବା ପାଇଁ ଅନୁମତି ଦେବାବେଳେ କ’ଣ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଶାସନିକ ସଙ୍କଟ ଓ ବିଧାନସଭାର ପ୍ରୋଟୋକଲ୍ ପ୍ରତି ଦୃଷ୍ଟି ଦେଉନାହିଁ କି ବୋଲି ପ୍ରଶ୍ନ ଉଠିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos