କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳିରେ ଛାତିଥରା ବୋଟ୍‌ ଟ୍ରାଜେଡି?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳି ବ୍ୟାରେଜର ମହାନଦୀରେ ଫସି ରହିଥିବା ଗୋଠ ଛଡ଼ା ହାତୀକୁ ଉଦ୍ଧାର କରିବାକୁ ଯାଇ ଯାଇଛି ଦୁଇଟି ମୂଲ୍ୟବାନ ଜୀବନ। ଆଉ ଯାହା ପାଇଁ ଦିନତମାମ ଚାଲିଲା ଏତେ ପାଲା, ଶେଷରେ ସେ ମଧ୍ୟ ମରିଗଲା। ତେବେ ଏଠି ପ୍ରଶ୍ନ ଉଠୁଛି- କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳିରେ ଛାତିଥରା ବୋଟ୍‌ ଟ୍ରାଜେଡି? ନଦୀ ଗର୍ଭକୁ ହାତୀ ତଡ଼ିବାକୁ ଓଡ୍ରାଫ୍‌ ଟିମ୍‌କୁ କିଏ ପଠାଇଥିଲା? ଏହାର ଉତ୍ତର ଦେଲେନି ପିସିସିଏଫ୍‌। ୨୪ ତାରିଖ ସକାଳେ […]

Boat Tragedy

Manoranjan Sial
  • Published: Wednesday, 29 September 2021
  • , Updated: 29 September 2021, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ମୁଣ୍ଡଳି ବ୍ୟାରେଜର ମହାନଦୀରେ ଫସି ରହିଥିବା ଗୋଠ ଛଡ଼ା ହାତୀକୁ ଉଦ୍ଧାର କରିବାକୁ ଯାଇ ଯାଇଛି ଦୁଇଟି ମୂଲ୍ୟବାନ ଜୀବନ। ଆଉ ଯାହା ପାଇଁ ଦିନତମାମ ଚାଲିଲା ଏତେ ପାଲା, ଶେଷରେ ସେ ମଧ୍ୟ ମରିଗଲା। ତେବେ ଏଠି ପ୍ରଶ୍ନ ଉଠୁଛି- କାହା ତ୍ରୁଟିରୁ ଘଟିଗଲା ମୁଣ୍ଡଳିରେ ଛାତିଥରା ବୋଟ୍‌ ଟ୍ରାଜେଡି? ନଦୀ ଗର୍ଭକୁ ହାତୀ ତଡ଼ିବାକୁ ଓଡ୍ରାଫ୍‌ ଟିମ୍‌କୁ କିଏ ପଠାଇଥିଲା? ଏହାର ଉତ୍ତର ଦେଲେନି ପିସିସିଏଫ୍‌।

୨୪ ତାରିଖ ସକାଳେ ମହାନଦୀର ଗଭୀର ଜଳରେ ଏକ ଦନ୍ତାହାତୀ ଫସି ଯାଇଥିଲା। ପାଣିର ପ୍ରଖର ସ୍ରୋତରୁ ବାହାରିବା ପାଇଁ ଚେଷ୍ଟା କରୁଥିଲା। ମଝିରେ ମଝିରେ ଚିତ୍କାର କରୁଥିଲା। ହେଲେ ପାଣିରୁ ବାହାରି ପାରିନଥିଲା ହାତୀ। ଏହି ଖବର ପ୍ରଚାରିତ ହେବା ପରେ ମୁଣ୍ଡଳି ବ୍ୟାରେଜ୍‌ରେ ଲୋକଙ୍କ ଭିଡ଼ ଜମିଥିଲା। ଲୋକଙ୍କ ଭିତରେ ପୁଲିସ ଓ ବନ ବିଭାଗ ଦେଖଣାହାରୀ ସାଜିଥିଲା ପରି ମନେ ହେଉଥିଲା। କାରଣ ବନ ବିଭାଗ ହାତୀକୁ କେବଳ କାନ୍ଦିଏ କଦଳୀ ଦେଇ ଚୁପ୍‌ ବସିଥିଲା। ବନ ବିଭାଗ ବ୍ରିଜ୍‌ ଉପରେ ଥିବା ଲୋକଙ୍କୁ ଘଉଡାଉଥିଲା ନା ହାତୀ ଉଦ୍ଧାର ପାଇଁ ଉଦ୍ୟମ କରୁଥିଲା।

ଦିନ ତମାମ ହାତୀଟି ପାଣି ଭିତରେ କୂଳକୁ ଆସିବା ପାଇଁ ଉଦ୍ୟମ କରି ବିଫଳ ହୋଇଥିଲା। ଶେଷରେ ଓଡ୍ରାଫ୍‌ ଟିମ୍‌ ଯାଇଥିଲା। ହେଲେ ସେମାନେ ମଧ୍ୟ ହାତୀକୁ ଘଉଡାଇ ପାରିଲେ ନାହିଁ। ହାତୀ ଉଦ୍ଧାର କରିବାକୁ ଯାଇଥିବା ବୋଟ୍‌ଟି ମୁଣ୍ଡଳି ବ୍ୟାରେଜରେ ଓଲଟି ପଡ଼ିଥିଲା। ଫଳରେ ଓଟିଭିର ଯୁବ ସାମ୍ୱାଦିକ ଅରିନ୍ଦମ ଦାସ ଓ ଓଡ୍ରାଫ୍‌ ଯବାନ ସୀତାରାମଙ୍କ ମୃତ୍ୟୁ ହୋଇଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି- ମହାନଦୀରେ ଅପରେସନ ଗଜରାଜ ଫେଲ୍‌ ପଛରେ ରହିଲା କାହାର ତ୍ରୁଟି? କାହିଁକି ମହାନଦୀ ଭିତରୁ ଉଦ୍ଧାର ହୋଇପାରିଲାନି ହାତୀ? ବ୍ରିଜ୍‌ ତଳୁ ହାତୀ ଘଉଡ଼ାଇବାକୁ ଓଡ୍ରାଫ୍‌ ଟିମ୍‌କୁ ଡାକିବା ପାଇଁ କାହା ମୁଣ୍ଡରେ ଜୁଟିଥିଲା ଏଭଳି ଉଦ୍ଭଟ ଚିନ୍ତାଧାରା? ମୁଣ୍ଡଳି ବୋଟ୍‌ ଟ୍ରାଜେଡିକୁ ନେଇ ଏଭଳି ବହୁ ଅସମାହିତ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।  ଆଉ ଏଥିପାଇଁ ଅନେକେ କିନ୍ତୁ ସିଧାସଳଖ ବନବିଭାଗର ପାରିବା ପଣିଆ ଓ ଦାୟିତ୍ୱହୀନତାକୁ ଦାୟୀ କରୁଛନ୍ତି।

ସେପଟେ ବୋଟ୍‌ ଟ୍ରାଜେଡି ପରେ ଦିନତମାମ ପାଣିର ପ୍ରଖର ସ୍ରୋତରେ ଛିଡ଼ା ହୋଇ ରହିବା ହାତୀଟି ହାଲିଆ ହୋଇ ସୁଅରେ ଭାସି ଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ହାତୀ ଭାସି ଯାଉଥିବା ବେଳେ ବନ ବିଭାଗ କୁଆଡ଼େ ଯାଇଥିଲା? କଣ ବୋଟ୍‌ ଟ୍ରାଜେଡି ପରେ ହାତୀକୁ ହରି ଭରସାରେ ଛାଡ଼ି ଦେଇ ଉଦ୍ଧାର କଥା ଭୁଲି ଯାଇଥିଲା କି ଜଙ୍ଗଲ ବିଭାଗ? ଯାହାର ପରିଣାମ ସ୍ୱରୁପ ଗତ ରବିବାର କଟକ ଯୋବ୍ରା ଆନିକଟରୁ ମିଳିଲା ହାତୀର ମୃତଦେହ। ଉଭୟ ଆଠଗଡ଼ ଅଞ୍ଚଳବାସୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ ସମସ୍ତେ ମୁଣ୍ଡଳି ଅଘଟଣ ପାଇଁ ସିଧାସଳଖ ବନ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରୁଛନ୍ତି। ତା’ସହ ଅସୁରକ୍ଷିତ ହାତୀ କରିଡର ଓ ଅପରେସନ ଗଜରାଜର ଅଦୂରଦର୍ଶୀ ପଦକ୍ଷେପକୁ ନେଇ ବନବିଭାଗକୁ ମଧ୍ୟ ଟାର୍ଗେଟ କରିଛନ୍ତି।

ତେବେ ମୁଣ୍ଡଳିରେ ଫସିଥିବା ହାତୀ ପାଖକୁ ଓଡ୍ରାଫ ବୋଟ ପଠାଇବାକୁ ଅନୁମତି କିଏ ଦେଲା? ଓଡ୍ରାଫ୍‌ ବୋଟ୍‌ରେ ଅପରେସନ ଗଜରାଜ ବେଳେ କାହିଁକି ସାମିଲ ହୋଇନଥିଲେ ବନବିଭାଗ କର୍ମଚାରୀ? ସାଧାରଣରେ ଉଠୁଥିବା ଏସବୁ ପ୍ରଶ୍ନର ସିଧାସଳଖ ଉତ୍ତର ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କଠାରୁ ଜାଣିବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ସଫା ସଫା କହିଥିଲେ, ବୋଟ ଟ୍ରାଜେଡି ଘଟଣାର ତଦନ୍ତ ଏଡିଜି ଆଇନଶୃଙ୍ଖଳା କରୁଛନ୍ତି। ତେଣୁ କିଛି ପ୍ରତିକ୍ରିୟା ଦେବନି। ତେବେ ଯୋବ୍ରା ଆନିକଟରୁ ମିଳିଥିବା ଏକ ଦନ୍ତାହାତୀର ମୃତଦେହ ଓ ମହାନଦୀରୁ ମିଳିଥିବା ଏକ ଛୁଆ ହାତୀର ମୃତ୍ୟୁ କାରଣ ଖୋଜା ଚାଲିଛି। କାହିଁକି ହାତୀ ଦୁଇଟିକୁ ପାଣିରୁ ଉଦ୍ଧାର କରାଯାଇ ପାରିଲା ନାହିଁ? ତା’ର ଅନୁଧ୍ୟାନ କରାଯାଇ ଆକ୍ସନ ନିଆଯିବ ବୋଲି ପିସିସିଏଫ୍‌ ଶଶି ପଲ କହିଛନ୍ତି।

Related story