ଓଡ଼ିଶାର ପରିଚୟ-ନବୀନ, ସମ୍ବିତ ଓ ଲେଖାଶ୍ରୀ !

କୌଣସି ଜାତିର ପରିଚୟ କହିଲେ ତା’ର ସମୃଦ୍ଧ କଳା, ସାହିତ୍ୟ ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ହିଁ ବୁଝାଏ। ସେମିତି ଓଡିଶା ହେଉଛି ଗର୍ବ ଓ ଗୌରବର ମାଟି। ଏହାର ଇତିହାସ, ପରମ୍ପରା, ସଂସ୍କୃତି ଯେତିକି ବିସ୍ତୃତ ସେତିକି ପ୍ରଭାବଶାଳୀ। ଉଡ୍ର, ଉତ୍କଳ, କଳିଙ୍ଗ ଏମିତି ଅନେକ ନାମ ଦେଇ ଆସିଥିବା ଓଡ଼ିଶାର ଗୌରବମୟ ଇତିହାସ ଅବର୍ଣ୍ଣନୀୟ। ଆଉ ହିମାଳୟ ଭଳି ବିଶାଳ ସଂସ୍କୃତି ସମ୍ପନ୍ନ ଓଡ଼ିଶାର ପରିଚୟ ଯେବେ ରାଜନୀତିକ ଚଷମାରେ ସଂକୀର୍ଣ୍ଣ ଦୃଷ୍ଟିରେ ଦେଖାଯିବ ତେବେ […]

Naveen-Sambit

Tapas Behera
  • Published: Tuesday, 17 November 2020
  • , Updated: 17 November 2020, 06:11 PM IST

କୌଣସି ଜାତିର ପରିଚୟ କହିଲେ ତା’ର ସମୃଦ୍ଧ କଳା, ସାହିତ୍ୟ ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ହିଁ ବୁଝାଏ। ସେମିତି ଓଡିଶା ହେଉଛି ଗର୍ବ ଓ ଗୌରବର ମାଟି। ଏହାର ଇତିହାସ, ପରମ୍ପରା, ସଂସ୍କୃତି ଯେତିକି ବିସ୍ତୃତ ସେତିକି ପ୍ରଭାବଶାଳୀ। ଉଡ୍ର, ଉତ୍କଳ, କଳିଙ୍ଗ ଏମିତି ଅନେକ ନାମ ଦେଇ ଆସିଥିବା ଓଡ଼ିଶାର ଗୌରବମୟ ଇତିହାସ ଅବର୍ଣ୍ଣନୀୟ। ଆଉ ହିମାଳୟ ଭଳି ବିଶାଳ ସଂସ୍କୃତି ସମ୍ପନ୍ନ ଓଡ଼ିଶାର ପରିଚୟ ଯେବେ ରାଜନୀତିକ ଚଷମାରେ ସଂକୀର୍ଣ୍ଣ ଦୃଷ୍ଟିରେ ଦେଖାଯିବ ତେବେ ଝଡ଼ ସୃଷ୍ଟି ହେବା ନିଶ୍ଚିତ। ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ବୟାନକୁ ନେଇ ଗତକାଲିଠାରୁ ଏଇଆ ହିଁ ହୋଇଛି।

ଲେଖାଶ୍ରୀ କହିଥିଲେ, ପୁରୀକୁ ଆଗରୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ। ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢ଼ିଲେ, ସେତେବେଳେ ପୁରୀ ଓଡ଼ିଶାର ବୋଲି ଦେଶବାସୀ ଜାଣିବାକୁ ପାଇଲେ। ଲେଖାଶ୍ରୀଙ୍କ ଏହି ବିବୃତିକୁ ନେଇ ସୋଶାଲ ମିଡିଆରେ ମଧ୍ୟ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି। ବିରୋଧୀ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ସମ୍ବିତ ପାତ୍ରଙ୍କୁ ଟେକିବାକୁ ଯାଇ ଲେଖାଶ୍ରୀ ଯେଉଁପରି ବୟାନ ଦେଇଛନ୍ତି ତାହା ନୂଆ ନୁହଁ। ଏହା ପୂର୍ବରୁ ୨୦୧୯ ବିଜେଡି ଏହାର ଉଦାହରଣ ସୃଷ୍ଟି କରି ସାରିଛି। ୨୦୧୯ରେ ନିର୍ବାଚନ ବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରଥମ ପୃଷ୍ଠାରେ ବଡ଼ ବଡ଼ ବିଜ୍ଞାପନ ସବୁ ପ୍ରକାଶ ପାଇଥିଲା। ଯେଉଁଥିରେ ନବୀନଙ୍କ ଏକ ହାତହଲା ପୋଜ୍‌ ଥାଇ ‘ନବୀନ ଓଡ଼ିଶାର ପରିଚୟ’ ବୋଲି ଲେଖାଯାଇଥିଲା। ସେତେବେଳେ ମଧ୍ୟ ପ୍ରଶ୍ନ ଉଠିଥିଲା ଯଦି ନବୀନ ଓଡ଼ିଶାର ପରିଚୟ ମହାପ୍ରଭୁ ଜଗନ୍ନାଥ କିଏ ? କୋଣାର୍କ କ’ଣ, ବୌଦ୍ଧ କିର୍ତ୍ତୀରାଜି ସମ୍ପନ୍ନ ଉଦୟଗିରି-ଲଳିତ ଗିରି, କକଟର ତାରକସି, ପିପିଲିର ଚାନ୍ଦୁଆ, ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ଶାଢ଼ି କ’ଣ ଓଡ଼ିଶାର ପରିଚୟ ନୁହେଁ?? ଏହି ରାଜ୍ୟ ପାଇଁ ଜୟୀ ରାଜଗୁରୁ, ବୀର ସୁରେନ୍ଦ୍ର ସାଏ , ବାଘା ଯତିନ , ଲକ୍ଷ୍ମଣ ନାଏକ ଏମିତି ଅନେକ ମହାନାୟକ ବଳିଦାନ ଦେଇଛନ୍ତି। ସେମାନେ କ’ଣ ଓଡ଼ିଶାର ପରିଚୟ ନୁହନ୍ତି? ସେହିପରି ଓଡ଼ିଆ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଆଦିନେତା ବିଚିତ୍ରାନନ୍ଦ ଦାସ, ବାରିଷ୍ଟର ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓ ବ୍ରଜସୁନ୍ଦର ଦାସ ପ୍ରମୁଖ ମଧ୍ୟ ଓଡ଼ିଆଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲେ। ସେମାନେ କ’ଣ ଓଡ଼ିଶାର ପରିଚୟ ନୁହନ୍ତି?

ଯଦି ବିଜେପିର ସମ୍ବିତ ପାତ୍ର ପୁରୀ ପାଇଁ ଓ ବିଜେଡିର ନବୀନ ପଟ୍ଟନାୟକ ଓଡ଼ିଶାର ପରିଚୟ ତେବେ ଏହି ସବୁ ମହାମନିଷୀଙ୍କର ସ୍ଥାନ କେଉଁଠି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ୍‌। କହିବାକୁ ଗଲେ ନବୀନ ରାଜନୀତିକୁ ଆସିବା ପୂର୍ବରୁ ତାଙ୍କର କୌଣସି ବିଶେଷ ପରିଚୟ ନଥିଲା। ବରଂ ଓଡ଼ିଶା ତାଙ୍କୁ ପରିଚୟ ଦେଇଛି, ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରି।

email: tapasbehera57@gmail.com

Related story