ଏଥର ରଥ ଟାଣିବ କିଏ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନାଭକ୍ତରେ ରଥଯାତ୍ରା ସମ୍ଭବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ଏ ନିଷ୍ପତ୍ତି ପରେ ରଥଯାତ୍ରା ନେଇ ଆଶା ଜାଗିଛି । ସ୍ନାନଯାତ୍ରା ଭଳି ସୀମିତ ସେବାୟତ, ସରକାରୀ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କୁ ରଥାଯାତ୍ରା କରିବାକୁ କମିଟି ସଭ୍ୟଙ୍କ ମତକୁ ସରକାରଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ଗଜପତି ମହାରାଜା  । କରୋନା ସଂକ୍ରମଣ ଦୃଷ୍ଚିରୁ ପୁରୀ ନଆସି ଲୋକେ ଘରେ ଟିଭିରେ ସ୍ନାନ ଓ ରଥଯାତ୍ରା ଦେଖିବେ । ତେବେ ପରିଚାଳନା କମିଟିର ଏହି […]

76890-1-8

Tapas Behera
  • Published: Saturday, 30 May 2020
  • , Updated: 30 May 2020, 09:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିନାଭକ୍ତରେ ରଥଯାତ୍ରା ସମ୍ଭବ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ଏ ନିଷ୍ପତ୍ତି ପରେ ରଥଯାତ୍ରା ନେଇ ଆଶା ଜାଗିଛି । ସ୍ନାନଯାତ୍ରା ଭଳି ସୀମିତ ସେବାୟତ, ସରକାରୀ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କୁ ରଥାଯାତ୍ରା କରିବାକୁ କମିଟି ସଭ୍ୟଙ୍କ ମତକୁ ସରକାରଙ୍କୁ ଜଣାଇ ଦିଆଯାଇଥିବା କହିଛନ୍ତି ଗଜପତି ମହାରାଜା  । କରୋନା ସଂକ୍ରମଣ ଦୃଷ୍ଚିରୁ ପୁରୀ ନଆସି ଲୋକେ ଘରେ ଟିଭିରେ ସ୍ନାନ ଓ ରଥଯାତ୍ରା ଦେଖିବେ । ତେବେ ପରିଚାଳନା କମିଟିର ଏହି ମତ କେବଳ ମହାପ୍ରଭୁଙ୍କ ମୂଳପୀଠ ଶ୍ରୀମନ୍ଦିର ପାଇଁ ଉଦ୍ଦିଷ୍ଟ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବର୍ଷକରେ ଥରେ ଚର୍ମଚକ୍ଷୁରେ ତିନିଠାକୁରଙ୍କ ଦିବ୍ୟରୂପ ଦର୍ଶନରେ ବିଭୋର ଲକ୍ଷଲକ୍ଷ ଭକ୍ତଙ୍କ ପାଇଁ ଏଥର କିନ୍ତୁ ମିଳିବନି ସେ ଅପୂର୍ବ ସୁଯୋଗ। କରୋନା କାଳରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଭବିଷ୍ୟତ ନେଇ ଆଜି ଭିଡିଓ କନ୍‌ଫରେନ୍ସିଂ ଯୋଗେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷରେ ଏନେଇ ସ୍ପଷ୍ଟ କରିଛନ୍ତି ଗଜପତି ମହାରାଜ । କହିଛନ୍ତି କମିଟିର ନିଷ୍ପତ୍ତି ଅନୁଯାୟୀ ସୀମିତ ସେବକଙ୍କୁ ନେଇ ବିଧିମୁତାବକ ସ୍ନାନଯାତ୍ରା ହେବ । କିନ୍ତୁ ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯାଇ ପାରିବ ନାହିଁ କି ସାହାଣମେଲା ଦର୍ଶନ ବି ହେବ ନାହିଁ । ଏଥର ସ୍ନାନଯାତ୍ରା ସିଧାପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକସଂପର୍କ ବିଭାଗକୁ ଦିଆଯାଇଛି। ଏଥିସହ ରାଜ୍ୟସରକାର ଅନୁମତି ଦେଲେ ବିନା ଭକ୍ତରେ ରଥଯାତ୍ରା ମଧ୍ୟ ହୋଇପାରିବ ବୋଲି ପରିଚାଳନା କମିଟି ମତ ଦେଇଛି। ରଥଯାତ୍ରାରେ ୮ରୁ ୧୦ ଲକ୍ଷ ଲୋକ ଏକାଠି ହେଲେ କରୋନା ପରିସ୍ଥିତି ବିଗିଡ଼ି ପାରେ । ତେଣୁ କେବଳ ଅଧିକାରୀ, ପୁଲିସ ଓ ସେବାୟତଙ୍କ ଦ୍ୱାରା ରଥଯାତ୍ରା ହୋଇପାରିବ । ପୁରୀକୁ ଯେମିତି ବାହାର ଲୋକ ନଆସିବେ ସେ ବ୍ୟବସ୍ଥା ସରକାର କରିବେ। ପୁରୀ ଜିଲ୍ଲାପାଳ ସେବାୟତଙ୍କ ସହ ଆଲୋଚନା କରି କେତେ ସୀମିତ ସେବାୟତ ଦାୟିତ୍ୱରେ ରହିବେ, ସ୍ଥିର କରିବେ।  ତେବେ ମହାପ୍ରଭୁ ଜଗନ୍ନାଥଙ୍କର ମୂଳପୀଠ ହୋଇଥିବାରୁ ପରିଚାଳନା କମିଟିର ଏ ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପାଇଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି।

ଏପଟେ ତମାମ ପ୍ରତିକୂଳ ପରିସ୍ଥିତି ଭିତରେ ଘୋଷଯାତ୍ରା ପାଇଁ ରଥଖଳାରେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ । ବିଧିମୁତାବକ ଆଜି ସଂପନ୍ନ ହୋଇଛି ଚକଡେରା ନୀତି। ତିନି ରଥର ୪୨ଟି ଯାକ ଚକ ସହ ଅଖ ସଂଯୋଗ ପରେ ସ୍ନାନଯାତ୍ରା ପୂର୍ବରୁ କିମ୍ବା ସେହି ଦିନ ଉଠିବ ଚାରିନାହାକା।ଶ୍ରୀମନ୍ଦିର ପରିସରରେ ସ୍ନାନଯାତ୍ରା ହେବାକୁ ଥିବାରୁ କରୋନା କଟକଣା ଭିତରେ ଏହା ହେବ କି ନାହିଁ ସେ ଆଶଙ୍କା ଆଉ ନାହିଁ । ଏବେ ବିନା ଭକ୍ତରେ ରଥଯାତ୍ରା ସମ୍ଭବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ମତ ପରେ ସୁରୁଖୁରୁରେ ମହାପ୍ରଭୁଙ୍କ ଘୋଷଯାତ୍ରା ହେବା ନେଇ ବି ଆଶା ଯାଗିଛି। ତେବେ ଲକ୍‌ଡାଉନ୍ ୫ରେ ଧାର୍ମିକ ସ୍ଥଳ ନେଇ କଣ ଗାଇଡ୍‌ଲାଇନ୍ ଆସୁଛି, ତା ଉପରେ ବି ଅନେକ କଥା ନିର୍ଭର କରୁଛି ।

Related story