ଲେଖାଶ୍ରୀଙ୍କ ବେଳକୁ ତୁମ୍ବିତୋଫାନ, ସୁନନ୍ଦା ଓ ସଂଯୁକ୍ତା ବେଳକୁ ବିଜେଡି ଚୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସମ୍ମାନ ଓ ନୀତି ନୈତିକତାର ପାଠ ପଢ଼ାଉଥିବା  ବିଜେଡି ଏବେ ନିଜର ଦୁଇଜଣ ନେତ୍ରୀଙ୍କ ଅଶୋଭନୀୟ ଆଚରଣକୁ ନେଇ ଚୁପ୍ ରହିଛି। ଦଳର ଜଣେ ବିଧାୟିକା ଦଳୀୟ ସଭାରେ ନିଜର ଦଳର ଜଣେ ନେତ୍ରୀଙ୍କୁ ବେଶ୍ୟା ସହ ଅନେକ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବାକୁ ପଛାଇ ନଥିବାବେଳେ ଅନ୍ୟଜଣେ ନେତ୍ରୀ ଜିଲ୍ଲା ପ୍ରଭାରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥାଇ ବି ନିଜର ବୃଦ୍ଧ ଶାଶୁ-ଶଶୁରଙ୍କୁ ଘରୁ ବିତାଡ଼ିତ କରିବାକୁ ସାମାନ୍ୟତମ ସଙ୍କୋଚ କରିନାହାନ୍ତି। […]

lekhashree

lekhashree

Tapas Behera
  • Published: Tuesday, 25 August 2020
  • Updated: 25 August 2020, 09:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହିଳାଙ୍କୁ ସମ୍ମାନ ଓ ନୀତି ନୈତିକତାର ପାଠ ପଢ଼ାଉଥିବା  ବିଜେଡି ଏବେ ନିଜର ଦୁଇଜଣ ନେତ୍ରୀଙ୍କ ଅଶୋଭନୀୟ ଆଚରଣକୁ ନେଇ ଚୁପ୍ ରହିଛି। ଦଳର ଜଣେ ବିଧାୟିକା ଦଳୀୟ ସଭାରେ ନିଜର ଦଳର ଜଣେ ନେତ୍ରୀଙ୍କୁ ବେଶ୍ୟା ସହ ଅନେକ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିବାକୁ ପଛାଇ ନଥିବାବେଳେ ଅନ୍ୟଜଣେ ନେତ୍ରୀ ଜିଲ୍ଲା ପ୍ରଭାରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥାଇ ବି ନିଜର ବୃଦ୍ଧ ଶାଶୁ-ଶଶୁରଙ୍କୁ ଘରୁ ବିତାଡ଼ିତ କରିବାକୁ ସାମାନ୍ୟତମ ସଙ୍କୋଚ କରିନାହାନ୍ତି। ଅନ୍ୟପକ୍ଷରେ ୨୦୧୬ ମସିହା ଜୁନ୍ ମାସରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦାରିଦ୍ର‌୍ୟ ପାଇଁ ଓଡ଼ିଶାର ମହିଳାମାନେ ରାଜ୍ୟ ବାହାରେ ଦେହ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଦେଇଥିବା ବୟାନକୁ ନେଇ ସେତେବେଳେ ତୁମ୍ବିତୋଫାନ କରିଥିବା ବିଜେଡି ଏବେ ନିଜର ଦୁଇଜଣ ନେତ୍ରୀଙ୍କ ଆଚରଣକୁ ନେଇ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ବିଜେଡିର ଏଭଳି ଦୋମୁହାଁ ନୀତିକୁ ନେଇ ଦଳ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିର ବରୀ ବିଧାୟିକା ସୁନନ୍ଦା ଦାସ ସର୍ବସମ୍ମୁଖରେ ନିଜ ଦଳର ଜଣେ ମହିଳାଙ୍କୁ ଆକ୍ଷେପ କରି ବେଶ୍ୟା ବୋଲି ସମ୍ବୋଧିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି। ଜଣେ ଜନପ୍ରତିନିଧି ଓ ବିଶେଷକରି ମହିଳା ହେ।।ଇ ଏପରି ଅଶୋଭନୀୟ ଟିପ୍ପଣୀ ଦେଇ ସେ ବିଜେଡି ଦଳର ପ୍ରକୃତ ଚାଲ୍ , ଚରିତ୍ର ଓ ଚେହେରାକୁ ସର୍ବସମ୍ମୁଖକୁ ଆଣିଛନ୍ତି। ଯେଉଁ ଦଳ ମହିଳାକୁ ସମ୍ମାନ ଏବଂ ମହିଳା ସଶକ୍ତିକରଣର କଥା କହୁଛି ସେହି ଦଳର ବିଧାୟିକା ଏବେ ଖୁଲମଖୁଲା ମହିଳାଙ୍କୁ ବେଶ୍ୟା କହି ପୂରା ମହିଳା ସମାଜକୁ ଅସମ୍ମାନିତ କରିଛନ୍ତି। ଜଣେ ମହିଳା ବିଧାୟିକା ହୋଇ ଅଶୋଭନୀୟ ଭାଷା କହିବା ସାରା ଓଡ଼ିଶା ପାଇଁ ଲଜ୍ଜା। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଶାସକ ଦଳର ନେତାମାନେ ଆଜି ମୂକ ବଧିର ଏବଂ ଅନ୍ଧ ହୋଇ ବସିଛନ୍ତି। ଯଦି ବାସ୍ତବରେ ବିଜେଡି ମା’ଙ୍କୁ ସମ୍ମାନ ଦେଉଛି ତେବେ ଏହି ଘଟଣାରେ ଶାସକ ଦଳର ବଡ଼ପଣ୍ଡାମାନେ ନୀରବ କାହିଁକି ? ଖୋଦ୍ ମୁଖ୍ୟମନ୍ତ୍ରୀ ବି କାହିଁକି ପଦଟିଏ କହୁ ନାହାଁନ୍ତି ? ଏଥିରୁ ଦୀର୍ଘ ୨୧ ବର୍ଷ ଧରି ମହିଳାଙ୍କୁ ଅସମ୍ମାନିତ କରୁଥିବା ବିଜେଡିର ଅସଲ ପ୍ରବୃତ୍ତି ସ୍ପଷ୍ଟ ବାରି ହୋଇ ପଡୁଛି ବୋଲି ସେ କହିଛନ୍ତି।
ଏପଟେ ବିଜେଡି ନେତ୍ରୀ ସଂଯୁକ୍ତା ମହଲ ଦୀର୍ଘବର୍ଷ ଧରି ନିଜର ପାରିବାରିକ କଳହକୁ ନେଇ ବିବାଦରେ ଥିବାବେଳେ ଏବେ ତାଙ୍କ ଶାଶୁ-ଶ୍ୱଶୁରଙ୍କୁ ଘରୁ ବିତାଡ଼ିତ କରିଥିବା ଜଣାପଡ଼ିଛି । ତାଙ୍କ ଶଶୁର ଫକୀର ଚରଣ ମହଲ ଓ ଶାଶୁ ଏକ ସାମ୍ବାଦିକ ସମ୍ମିଳନୀ କରି ବୋହୂ ସଂଯୁକ୍ତା ମହଲଙ୍କ ଅତ୍ୟାଚାର ସମ୍ପର୍କରେ ସୂଚନା ଦେଇଛନ୍ତି। ଶାଶୁଶଶୁର ତଥା ବରିଷ୍ଠ ନାଗରିକଙ୍କ ପ୍ରତି ଏହି ବିଜେଡି ନେତ୍ରୀଙ୍କ ଅତ୍ୟାଚାର ଯେ କେତେ ଅସହନୀୟ ତାହା ସେମାନେ କହିବାବେଳେ ନିଜ କୋହକୁ ବି ସମ୍ଭାଳି ପାରୁନଥିଲେ। ଏପରିକି ବୋହୂ ସଂଯୁକ୍ତା ନିଜର ରାଜନୀତିକ ପ୍ରଭାବରେ ପୁଲିସ ଉପରେ ଚାପ ପକାଇ ଶଶୁର ଫକୀର ମହଲଙ୍କୁ ଗିରଫ କରିବାକୁ ପଛାଇ ନଥିବା ସେ କହିଛନ୍ତି। ଏହି ସଂଯୁକ୍ତାଙ୍କ ପାରିବାରିକ କନ୍ଦଳର କୁପ୍ରଭାବ ପଡ଼ୁଥିବା ଦର୍ଶାଇ ୨୦୧୭ ଡିସେମ୍ବର ୮ତାରିଖରେ ବିଜେଡି ନିଜର ଶ୍ରମିକ ସାମ୍ମୁଖ୍ୟର ସମ୍ପାଦିକା ପଦବୀରୁ ବିତାଡ଼ିତ କରିଥିଲା। ଏଥିପାଇଁ ସର୍ବସମ୍ମତ ପ୍ରସ୍ତାବ ବି ଗୃହୀତ କରିବାକୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପଛାଇ ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସଂଯୁକ୍ତାଙ୍କୁ ବିଜେଡି ମହିଳା ଉପସଭାନେତ୍ରୀ ଓ ପରେ ଜଗତସିଂହପୁର ଜିଲ୍ଲା ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରି ନୀତି ଓ ନୈତିକତା କେବଳ କାଗଜକଲମ ଓ ଭାଷଣବାଜି ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି ପରୋକ୍ଷରେ ଦର୍ଶାଇଛି।
ଉଲ୍ଲେଖଯୋଗ୍ୟ, ୨୦୧୬ ଜୁନ୍ ମାସରେ ଲେଖାଶ୍ରୀଙ୍କ ବୟାନ(ଦାରିଦ୍ର‌୍ୟ ପାଇଁ ମହିଳାମାନେ ଦେହ ବ୍ୟବସାୟ କରୁଛନ୍ତି ବୋଲି)କୁ ବିରୋଧ କରି ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା, ସମୀର ଦାସ ଓ ସୁବାସ ସିଂହ ସେତେବେଳେ ପ୍ରବଳ ତୁମ୍ବିତୋଫାନ କରିଥିବାବେଳେ ଏବେ ସୁନନ୍ଦା ସର୍ବସାଧାରଣରେ ଅତ୍ୟନ୍ତ ଅଶୋଭନୀୟ ଅପଶବ୍ଦ କହିଥିଲେ ମଧ୍ୟ କାହିଁକି ଦଳର ନେତାମାନେ ଚୁପ୍ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଅବଶ୍ୟ ସୁନନ୍ଦାଙ୍କ ଉପରେ ବିଜେଡିର ଜଣେ ପ୍ରଭାବଶାଳୀ ନେତାଙ୍କ ଆଶୀର୍ବାଦ ଥିବାରୁ ସେ ଦଳୀୟ ନେତ୍ରୀ ପ୍ରତି ଆପତ୍ତିଜନକ ଅପଶବ୍ଦ ପ୍ରୟୋଗ କରିଥିଲେ ବି ତାଙ୍କୁ ‘ସାତ ଖୁଣ ମାଫ୍‌’ ଭଳି ବିଜେଡି ଆଚରଣ କରିବାକୁ ପଛାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos