କାହିଁକି ବଳିପଡ଼ିଲେ ଓଡ଼ିଆ ଆଇପିଏସ୍ : ଓଏସ୍‌ଡି ସଂଖ୍ୟା ବଢ଼ି ୩ ଛୁଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନର ପାୱାରଫୁଲ୍ ଅଣଓଡ଼ିଆ ଅଫିସର କୋଟୋରୀଙ୍କ ଆକ୍ରୋଶର ଶିକାର ହୋଇ ବଳିପଡ଼ିଲେ ପୁଣି ଜଣେ ଓଡ଼ିଆ ବରିଷ୍ଠ ଆଇପିଏସ୍ ଲଳିତ ଦାସ । ଅପ୍ରତ୍ୟାଶିତ ଭାବେ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ୧୯୯୨ ବ୍ୟାଚ୍ ଆଇପିଏସ୍ ଶ୍ରୀ ଦାସଙ୍କୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ସ୍ପେଶାଲ ଆମର୍ଡ ପୁଲିସ ଫୋର୍ସର ଅତିରିକ୍ତ ଡିଜି ୧୯୯୩ ବ୍ୟାଚ୍ ଆଇପିଏସ୍ ଆର ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁଲାଇବାକୁ […]

Lalit Das

Ordigital Desk
  • Published: Monday, 11 April 2022
  • , Updated: 12 April 2022, 09:38 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପ୍ରଶାସନର ପାୱାରଫୁଲ୍ ଅଣଓଡ଼ିଆ ଅଫିସର କୋଟୋରୀଙ୍କ ଆକ୍ରୋଶର ଶିକାର ହୋଇ ବଳିପଡ଼ିଲେ ପୁଣି ଜଣେ ଓଡ଼ିଆ ବରିଷ୍ଠ ଆଇପିଏସ୍ ଲଳିତ ଦାସ । ଅପ୍ରତ୍ୟାଶିତ ଭାବେ ଗୁଇନ୍ଦା ନିର୍ଦ୍ଦେଶକ ପଦରୁ ୧୯୯୨ ବ୍ୟାଚ୍ ଆଇପିଏସ୍ ଶ୍ରୀ ଦାସଙ୍କୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ସ୍ପେଶାଲ ଆମର୍ଡ ପୁଲିସ ଫୋର୍ସର ଅତିରିକ୍ତ ଡିଜି ୧୯୯୩ ବ୍ୟାଚ୍ ଆଇପିଏସ୍ ଆର ପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁଲାଇବାକୁ କୁହାଯାଇଛି । ତେବେ ଶ୍ରୀ ଦାସଙ୍କୁ କାହିଁକି ଗୃହ ବିଭାଗର ଓଏସଡି ଭାବେ ଅଚାନକ ବଦଳି କରାଗଲା, ସେ ବିଷୟରେ କେହି କିଛି ଟେର ପାଉନାହାନ୍ତି । ଯଦିଓ ଏହି ଅପ୍ରତ୍ୟାଶିତ ବଦଳିକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁସାରେ, ୧୯୯୨ ବ୍ୟାଚ୍ ଆଇପିଏସ୍ ଶ୍ରୀ ଦାସ ଗତ ୩-୪ଦିନ ଧରି ଅଫିସ୍ ଆସୁନଥିଲେ । ତାଙ୍କୁ ଆଜି ଅଚାନକ ଓଏସଡି ଭାବେ ବଦଳି କରାଯିବା ପରେ ସେ ଗୃହ ବିଭାଗରେ ତୃତୀୟ ବରିଷ୍ଠ ଆଇପିଏସ୍, ଯାହାଙ୍କୁ ବିନା କାର୍ଯ୍ୟରେ ସରକାର ବସାଇ ଦରମା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ପୂର୍ବରୁ ୧୯୯୫ ବ୍ୟାଚ୍ ଆଇପିଏସ୍ ତଥା ଏଡିଜି ରିତୁ ଅରୋରାଙ୍କୁ ୨୦୨୦ ମସିହାରୁ ଏବଂ ଡିଜି ପାହ୍ୟାର ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝା’ଙ୍କୁ ଓଏସଡି ଭାବେ ୨୦୨୧ ନଭେମ୍ବର ୨୩ତାରିଖରୁ ଅବସ୍ଥାପିତ କରାଯାଇଛି । ଏହି ବରିଷ୍ଠ ଆଇପିଏସ୍‌ମାନେ ଏବେ ବିନା କାମରେ ଘରେ ବସି ବସି ଦରମା ନେବେ । ସେମାନଙ୍କ ବରିଷ୍ଠତା ଓ ପୁଲିସ ପ୍ରଶାସନରେ ଅଭିଜ୍ଞତା ଏବେ ମୂଲ୍ୟହୀନ ହୋଇପଡ଼ିଛି । ଅବଶ୍ୟ ଗତ ସପ୍ତାହରେ ଶ୍ରୀ ଝା’ ଚାକିରିରୁ ଅବସର ନେଇ ସାରିଛନ୍ତି।

ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟ କରିଥିବା ୧୯୯୨ ବ୍ୟାଚ୍ ଲଳିତ ଦାସ ୨୦୨୧ ଜୁନ୍ ୨୫ତାରିଖରେ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ । ପଂଚାୟତ ଓ ପୌର ନିର୍ବାଚନ ଦୃଷ୍ଟିରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ବଦଳି କରାଯାଇଥିଲେ ମଧ୍ୟ ତାଙ୍କୁ ଖୋଲାଖୋଲି କାର୍ଯ୍ୟ କରିବାର ସୁଯୋଗ ମିଳିନଥିଲା । ବିଶେଷକରି ରାଜନୀତିକ ଗୁଇନ୍ଦା(ପଲଟିକାଲ ଇଣ୍ଟେଲିଜେନ୍ସୀ)ରୁ ତାଙ୍କୁ ଦୂରେଇ ରଖାଯାଇଥିଲା । ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ଅନ୍ୟ ଜଣେ ଜୁନିୟର ଆଇପିଏସଙ୍କ ମାଧ୍ୟମରେ ପଲଟିକାଲ ଇଣ୍ଟେଲିଜେନ୍ସି ଇନପୁଟକୁ ତୃତୀୟ ମହଲା ସିଧାସଳଖ ସଂଗ୍ରହ କରୁଥିଲା । ଯେହେତୁ ଶ୍ରୀ ଦାସ ସିଧାସଳଖ ପଲିଟିକାଲ ଇଣ୍ଟେଲିଜେନ୍ସୀ ସହ ଜଡ଼ିତ ନଥିଲେ ତେଣୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ(ଓଏସଡି ଭାବେ ବଦଳି) ପଛର କାରଣକୁ ନେଇ କେହି ଟେର୍ ପାଉନାହାନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ଭାବେ ମହାରାଷ୍ଟ୍ରରେ ଜନ୍ମିତ ଆଇପିଏସ୍ ଶ୍ରୀ କୋଚେଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ପୁଲିସ ବିଭାଗ ଏବେ ସମ୍ପୂର୍ଣ୍ଣ ଭାବେ ମହାରାଷ୍ଟ୍ରରେ ଜନ୍ମିତ ଅନ୍ୟ ଜଣେ ବରିଷ୍ଠ ଆଇପିଏସଙ୍କ ନିୟନ୍ତ୍ରଣରେ ରହିଛି, ଯିଏକି ଗୃହ ବିଭାଗକୁ ସିଧାସଳଖ ନିୟନ୍ତ୍ରଣ କରୁଥିବା ପାୱାର କରିଡରରେ ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ବିଗତ କିଛିବର୍ଷ ମଧ୍ୟରେ ରାଜ୍ୟ ପ୍ରଶାସନିକ କଳରେ ଅଣଓଡ଼ିଆ ଅଫିସରଙ୍କ ମାତ୍ରାଧିକ ପ୍ରଭାବ ଯୋଗୁ ଓଡ଼ିଆ ଅଫିସରମାନଙ୍କୁ ଅପମାନିତ କରାଯାଉଛି । ଯେଉଁ ଓଡ଼ିଆ ଅଫିସରମାନେ ସାଲିସ୍ କରୁଛନ୍ତି ସେମାନେ ଠିକଠାକ୍ କାର୍ଯ୍ୟ କରୁଥିବାବେଳେ ଅନ୍ୟମାନେ ବାଧ୍ୟ ହୋଇ ଚାକିରି ଛାଡ଼ୁଛନ୍ତି ନଚେତ୍ ସେମାନଙ୍କୁ ଗୁରୁତ୍ୱହୀନ ପଦବୀକୁ ବଦଳି କରି ଦିଆଯାଉଛି । ଆଇଏଏସ୍ ଗଗନ କୁମାର ଧଳଙ୍କୁ ଚାକିରି କାଳ ସରିବା ପୂର୍ବରୁ ଅବସର ନେଇ ଯାଇଥିବାବେଳେ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର ଏବେ ପ୍ରଶାସନରେ ଅଣଦେଖା ହୋଇ ରହିଛନ୍ତି । ସେହିପରି ଡିଜି ପାହ୍ୟାର ଓଡ଼ିଆ ଆଇପିଏସ୍ ବିକେ ଶର୍ମାଙ୍କୁ ୧୩ମାସ ଧରି ଓଏସଡି ଭାବେ ବସାଇବା ପରେ ଗତ କିଛିମାସ ତଳେ ତାଙ୍କୁ ପ୍ରିଂଣ୍ଟି ପ୍ରେସ୍ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ଜଣେ ଦକ୍ଷ ଆଇପିଏସ୍ ଅଫିସର ଭାବେ ଜାତୀୟସ୍ତରରେ ଶ୍ରୀ ଶର୍ମାଙ୍କ ପରିଚୟ ରହିଛି, ତଥାପି ତାଙ୍କୁ ପୁଲିସ ବିଭାଗରୁ ଦୂରେଇ ରଖାଯାଇଛି । ଏବେ ଲଳିତ ଦାସଙ୍କୁ ଓଏସଡି ଭାବେ ଅଚାନକ ବଦଳି କରାଯାଇଛି, ପରୋକ୍ଷରେ ସରକାର ତାଙ୍କ କାର୍ଯ୍ୟରେ ଖୁସି ନଥିବାର ସନ୍ଦେଶ ଦିଆଯାଇଛି । ଆହୁରି କିଛି ଆଇଏଏସ୍ ଅଫିସର ମଧ୍ୟ ନିଜକୁ ଅଣନିଶ୍ୱାସୀ ମନେକରି ଚାକିରିରୁ ଅବସର ନେଇ ଅନ୍ୟତ୍ର ଥଇଥାନ ହୋଇଥିବା ଜଣାଯାଇଛି ।

ତେଣୁ ରାଜ୍ୟ ସରକାରଙ୍କ ଏଭଳି ବେପରୁୱା ଆଇଏଏସ୍ ଓ ଆଇପିଏସ୍ ମ୍ୟାନେଜମେଣ୍ଟ ବିଶେଷକରି ଓଡ଼ିଆ ଅଫିସରମାନଙ୍କ ଉପରେ ଆକ୍ରୋଶ ହିଁ ରାଜ୍ୟବାସୀଙ୍କ ମଧ୍ୟରେ ଉଦବେଗର କାରଣ ପାଲଟିଛି । ରାଜ୍ୟରେ ମୋଟ ୧୯୫ଟି ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ଥିବାବେଳେ ସେଥିରୁ ମାତ୍ର ୯୩ଜଣ ଏବେ ରାଜ୍ୟରେ କାର୍ଯ୍ୟରତ । ଆଉ ଯେତିକି ଅଛନ୍ତି ସେମାନଙ୍କୁ ବି ଓଏସଡି ନିଯୁକ୍ତି ଦେଇ ସରକାର ବିନା କାମରେ ଦରମା ଦେଉଛନ୍ତି ।

Related story