କେବେ ପୁରୀ ଦେଖିବ ସରକାରଙ୍କ ପରିକଳ୍ପିତ ସ୍ୱର୍ଗଦ୍ୱାର ?

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଘୋଷଣା ହୋଇଗଲା। ହେଲେ ଏବେ ବଡ଼ ପ୍ରଶ୍ନ ଦୀର୍ଘବର୍ଷ ଧରି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ସ୍ୱର୍ଗଦ୍ୱାରକୁ ସରକାର ମୁକୁଳାଇବେ କେମିତି ? କେବେଠୁ ଆରମ୍ଭ ହେବ ସ୍ୱର୍ଗଦ୍ୱାର ନବକଳେବର ପାଇଁ କାମ ? ଯେମିତି ତଥାକଥିତ କଠୋରତାର ସହ ବିଜୁଙ୍କ ସ୍ମୃତିପୀଠ ହଟାଇବାର ଘୋଷଣା ହେଲା, ସେଇ ଶକ୍ତିର ସହ ସରକାର ଉଚ୍ଛେଦ କାମକୁ ଆଗକୁ ନେବେ ତ? ତାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। […]

swar-1

Tapas Behera
  • Published: Sunday, 03 November 2019
  • , Updated: 03 November 2019, 10:19 PM IST

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଘୋଷଣା ହୋଇଗଲା। ହେଲେ ଏବେ ବଡ଼ ପ୍ରଶ୍ନ ଦୀର୍ଘବର୍ଷ ଧରି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ସ୍ୱର୍ଗଦ୍ୱାରକୁ ସରକାର ମୁକୁଳାଇବେ କେମିତି ? କେବେଠୁ ଆରମ୍ଭ ହେବ ସ୍ୱର୍ଗଦ୍ୱାର ନବକଳେବର ପାଇଁ କାମ ? ଯେମିତି ତଥାକଥିତ କଠୋରତାର ସହ ବିଜୁଙ୍କ ସ୍ମୃତିପୀଠ ହଟାଇବାର ଘୋଷଣା ହେଲା, ସେଇ ଶକ୍ତିର ସହ ସରକାର ଉଚ୍ଛେଦ କାମକୁ ଆଗକୁ ନେବେ ତ? ତାକୁ ନେଇ ପ୍ରଶ୍ନବାଚୀ ଠିଆ ହୋଇଛି।

ତେଲେଙ୍ଗାନାର ମହାପ୍ରସ୍ଥାନମ୍ ଶ୍ମଶାନ ଢାଞ୍ଚାରେ ନୂଆ କଳେବର ପାଇବ ପୁରୀ ସ୍ୱର୍ଗଦ୍ୱାର। ଅତ୍ୟାଧୁନିକ ଶବଦାହ ଗୃହ, ବିଶ୍ରାମକକ୍ଷ,ପର୍ଯ୍ୟାପ୍ତ ଯାଗା, ସ୍ନାନାଗାର, ତା ସାଙ୍ଗକୁ ଶ୍ମଶାନ ପରିସରରେ ବ୍ୟାପକ ବୃକ୍ଷରୋପଣ ଠାରୁ ନେଇ କେତେ କଣ ପରିକଳ୍ପନା।

ହେଲେ ପ୍ରଶ୍ନ , ଏତେସବୁ ଯୋଜନା ପାଇଁ ଯାଗା କାହିଁ? କାରଣ ଏକଦା ୧୬ ଏକର ୪ ଡିସିମିଲ ଜମିରେ ଥିବା ସ୍ୱର୍ଗଦ୍ୱାର ଶ୍ମଶାନ ଏବେ ସଂକୁଚିତ ହୋଇ ଏକରକୁ ଖସି ଆସିଲାଣି। ସେଥିରୁ ମାତ୍ର ଅଧ ଏକର ଜମିରେ ଶବ ସତ୍କାର କରାଯାଉଛି। ବାକି ସବୁ ଜବରଦଖଲକାରୀଙ୍କ କବ୍‌ଜାରେ କେଉଁଠି ହୋଟେଲ୍, କେଉଁଠି ଲଜିଂ ତ କେଉଁଠି ହଲିଡେ ହୋମ୍।

ବହୁ ବିବାଦ, କୋର୍ଟରେ ମାମଲା ପରେ ସରକାର ସ୍ୱର୍ଗଦ୍ୱାରରୁ ବିଜୁବାବୁଙ୍କ ସ୍ମୃତିପୀଠ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ମୁଖ୍ୟମନ୍ତ୍ରୀଙ୍କ କଠୋର ଓ ଯୁଗାନ୍ତକାରୀ ନିଷ୍ପତ୍ତି ବୋଲି କୁହାଯାଉଛି। ହେଲେ ସ୍ୱର୍ଗଦ୍ୱାରକୁ ସଂପୂର୍ଣ୍ଣ ଜବରଦଖଲମୁକ୍ତ କରିବାରେ ଶାସନର ସେ ଶକ୍ତ ହାତ ଆଗକୁ ବଢ଼ିବ ତ ? କାରଣ ବିବାଦୀୟ ଜମିରେ ବହୁ ପ୍ରଭାଶାଳୀଙ୍କ ବ୍ୟବସାୟ ସାମ୍ରାଜ୍ୟ ରହିଛି, ଖୋଦ୍ ବର୍ତ୍ତମାନର ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ପରିବାରର ହୋଟେଲ୍ ଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ବିଧାୟକ ପ୍ରତିକ୍ରିୟା ରଖିଥିବା ବେଳେ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତି ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ଅବରୋଧ ଉଚ୍ଛେଦ ଉପରେ ଗୁରୁତ୍ୱ ଦେଇଛନ୍ତି।

ରେକର୍ଡ ଅନୁଯାୟୀ, ସ୍ୱର୍ଗଦ୍ୱାରର ମୋଟ ଜମିର ପରିମାଣ ୩୦ ଏକର ୧୬ ଡେସିମିଲି। ସେଥିରୁ କେବଳ ଶ୍ମଶାନ ଜମି ୧୬ ଏକର ୪ ଡିସିମିଲ। ସେ ଭିତରୁ ୨୫ ଏକର ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିଛି। ତେଣୁ ସ୍ୱର୍ଗଦ୍ୱାର ସଂପ୍ରସାରଣ ପାଇଁ ଅଧିକ ଜମି ଲୋଡା ପଡ଼ିଲେ ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ସହ ବୁଝାମଣା ହେବ। ଜିଲ୍ଲାପ୍ରଶାସନ ଖାତାକୁ ଏ ଜମି ଯିବା ପରେ ଉଚ୍ଛେଦ କାର୍ଯ୍ୟ ହୋଇ ସ୍ୱର୍ଗଦ୍ୱାରର ବିକାଶ ହୋଇ ପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓକିଲ।

ଅପରପକ୍ଷେ ଜିଲ୍ଲାପାଳ କହିଛନ୍ତି ଆବଶ୍ୟକ ପଡ଼ିଲେ ଜବରଦଖଲ ହଟାଯାଇ ଜମି ଅଧିଗ୍ରହଣ ହେବ।

ଏବେ ଅପେକ୍ଷା କେବେ ଏବଂ କେମିତି ଏସବୁ ଅଡୁଆ ତୁଟୁଛି, ଏବଂ କେବେ ପୁରୀ ଦେଖୁଛି ସରକାରଙ୍କ ପରିକଳ୍ପିତ ସ୍ୱର୍ଗଦ୍ୱାର।

Related story