କଶ୍ମୀର- ସ୍ୱର୍ଗ ଆଉ କେତେ ଦୂର?

ଦେବେନ୍ଦ୍ର ପୃଷ୍ଟି ଗର୍‌ ଫିର୍‌ଦୋସ୍‌ ବର୍‌-ରୁଏ ଜମିନ୍‌ ଅସ୍ତ୍‌, ହମି ଅସ୍ତୋ, ହମିନ୍‌ ଅସ୍ତୋ, ହମିନ୍‌ ଅସ୍ତ୍‌। (ଯଦି ମାଟି ଉପରେ କେଉଁଠି ସ୍ୱର୍ଗ ଅଛି, ତାହା ଏଇଠି, ତାହା ଏଇଠି, ତାହା ଏଇଠି।) ପ୍ରାୟ ଚାରି ଶତାବ୍ଦୀ ତଳେ କଶ୍ମୀର ସଂପର୍କରେ ଏହି ମନ୍ତବ୍ୟ ରଖିଥିଲେ ସମ୍ରାଟ ଜାହାଙ୍ଗୀର। କଶ୍ମୀର, କେବଳ ଭାରତର ଭୂସ୍ୱର୍ଗ ନୁହେଁ, ଏହା ସମଗ୍ର ଧରାର ସ୍ୱର୍ଗଧାମ। ଭାରତୀୟ କିମ୍ବଦନ୍ତୀ ଅନୁସାରେ ଋଷି କାଶ୍ୟପଙ୍କ ତପଭୂମି ଥିଲା କଶ୍ମୀର। ତାଙ୍କରି ନାମାନୁସାରେ […]

map

Debendra Prusty
  • Published: Thursday, 31 October 2019
  • , Updated: 31 October 2019, 07:44 PM IST

ଦେବେନ୍ଦ୍ର ପୃଷ୍ଟି

ଗର୍‌ ଫିର୍‌ଦୋସ୍‌ ବର୍‌-ରୁଏ ଜମିନ୍‌ ଅସ୍ତ୍‌, ହମି ଅସ୍ତୋ, ହମିନ୍‌ ଅସ୍ତୋ, ହମିନ୍‌ ଅସ୍ତ୍‌। (ଯଦି ମାଟି ଉପରେ କେଉଁଠି ସ୍ୱର୍ଗ ଅଛି, ତାହା ଏଇଠି, ତାହା ଏଇଠି, ତାହା ଏଇଠି।)

ପ୍ରାୟ ଚାରି ଶତାବ୍ଦୀ ତଳେ କଶ୍ମୀର ସଂପର୍କରେ ଏହି ମନ୍ତବ୍ୟ ରଖିଥିଲେ ସମ୍ରାଟ ଜାହାଙ୍ଗୀର। କଶ୍ମୀର, କେବଳ ଭାରତର ଭୂସ୍ୱର୍ଗ ନୁହେଁ, ଏହା ସମଗ୍ର ଧରାର ସ୍ୱର୍ଗଧାମ। ଭାରତୀୟ କିମ୍ବଦନ୍ତୀ ଅନୁସାରେ ଋଷି କାଶ୍ୟପଙ୍କ ତପଭୂମି ଥିଲା କଶ୍ମୀର। ତାଙ୍କରି ନାମାନୁସାରେ ଏ ନାମ। କାଶ୍ୟପ ମୀର ବା ହ୍ରଦ କିମ୍ବା କାଶ୍ୟପ ମେରୁ ବା ପର୍ବତକୁ ନେଇ କାଶ୍ମୀରର ନାମକରଣ ହୋଇଛି ବୋଲି କୁହାଯାଏ। କେହି କେହି କହନ୍ତି, ସଂସ୍କୃତ ଭାଷାରେ କା ମାନେ ଜଳ, ଶମୀରା ମାନେ ବିଭାଜିତ। କାଶ୍ମୀର ଅର୍ଥ ଜଳରୁ ବିଭାଜିତ ଭୂମି।

ଏଇ ଭୂମି ଏବେ ରକ୍ତର ବିଭାଜନ ଘଟାଇ ଚାଲିଛି। ଏହା ହେଉଛି ଏକମାତ୍ର ଭୂଖଣ୍ଡ ଯାହା ଉପରେ ଶାସନ ଚାଲିଛି ତିନିଟି ରାଷ୍ଟ୍ରର। କଶ୍ମୀରର କିଛି ଅଂଶ ଏବେ ପାକିସ୍ତାନ ଅଧୀନରେ, ଯାହାକୁ ସେମାନେ କହୁଛନ୍ତି ଆଜାଦ କାଶ୍ମୀର, ଭାରତ କହୁଛି ପାକ୍‌ ଅଧିକୃତ କାଶ୍ମୀର। ଆଉ କିଛି ଅଂଶ ଉପରେ ଚାଲିଛି ଚୀନର ଶାସନ, ଯେଉଁ ଅଂଶକୁ ଚୀନକୁ ଟେକି ଦେଇଛି ପାକିସ୍ତାନ। ତାହା ହେଉଛି ଅକ୍ସାଇ ଚୀନ୍‌। ଭାରତରେ ରହିଛି ଜାମ୍ମୁକଶ୍ମୀର ଓ ଲାଦାଖ। ତିନିଟି ରାଷ୍ଟ୍ରରେ ବିଭାଜିତ କଶ୍ମୀର ଏବେ ଖୋଜୁଛି ନିଜର ସତ୍ତା, ନିଜର ସ୍ୱାଭିମାନ, ନିଜର ସ୍ୱତନ୍ତ୍ରତା। କଶ୍ମୀରକୁ ନେଇ ୧୯୪୭ରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ବିବାଦ। ଏହା ଭିତରେ ଦୁଇ ଦେଶ ମଧ୍ୟରେ ଘଟିଗଲାଣି ତିନିତିନିଟି ଯୁଦ୍ଧ। ପ୍ରତି ଥର ହାରିଛି ପାକିସ୍ତାନ। ତଥାପି କାଶ୍ମୀର ବିବାଦର ସମାଧାନ ହୋଇନାହିଁ। ଏବେ ବି ଏହାକୁ ଏକ ବିବାଦୀୟ ଅଂଚଳ ଭାବେ ଉପସ୍ଥାପିତ କରୁଛି ପାକିସ୍ତାନ। କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି କରି ଆସୁଛି ଭାରତ। ତଥାପି ପାକ୍‌ ଅଧିକୃତ କାଶ୍ମୀରକୁ ଏଯାଏଁ ନିଜ ଶାସନାଧୀନ କରିପାରିନି ଭାରତ। ଏହି ଦ୍ୱନ୍ଦ୍ୱ ଓ ବିବାଦ ଭିତରେ ଅମ୍ଳଯାନ ପାଉଛି ଆତଙ୍କବାଦ, କାୟା ବିସ୍ତାର କରୁଛି, ନରସଂହାର କରୁଛି। ପ୍ରତିବର୍ଷ ନିହତ ହେଉଛନ୍ତି ଶହଶହ ସାଧାରଣ ନାଗରିକ ଓ ସେନାର ସୈନିକ। ନିପାତ ହେଉଛନ୍ତି ମଧ୍ୟ ଶହଶହ ଆତଙ୍କବାଦୀ। ତଥାପି ରକ୍ତବୀର୍ଯ୍ୟର ବଂଶବିସ୍ତାର ପରି ମାଡ଼ି ଚାଲିଛନ୍ତି ଆତଙ୍କୀ ଓ ସେମାନଙ୍କର ଆତଙ୍କ।

ଭାରତ ସହିତ କଶ୍ମୀରର ମିଶ୍ରଣ ଚୁକ୍ତି, ପାକିସ୍ତାନୀ ସେନା ସହାୟତାରେ ମୁସଲିମ ଆଦିବାସୀଙ୍କ କାଶ୍ମୀର ଆକ୍ରମଣ, ପୂର୍ଣ୍ଣ ବିଜୟ ବା ସଂପୂର୍ଣ୍ଣ କାଶ୍ମୀର କବ୍ଜା କରିବା ପୂର୍ବରୁ ଭାରତର ଯୁଦ୍ଧବିରତି ଘୋଷଣା, ଚିଠା ସମ୍ବିଧାନର ୩୦୬ ଧାରା ଓ ଚୂଡ଼ାନ୍ତ ସମ୍ବିଧାନର ୩୭୦ ଧାରା – ଏସବୁ ଭିତରେ କେଉଁଠି କେମିତି ସମାଧାନର ରାସ୍ତା ବାହାର କରିଛନ୍ତି ଭାରତ ସରକାର। ୨୦୧୯ ଅଗଷ୍ଟ ୫ ତାରିଖରେ ୩୭୦ ଧାରାରେ ସଂଶୋଧନ କରି ଭାରତ ସହିତ କାଶ୍ମୀର ମିଶ୍ରଣ ଚୂଡ଼ାନ୍ତ ହେଲା ବୋଲି ଘୋଷଣା କରିଛନ୍ତି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ସରକାରଙ୍କ ଏଇ ପଦକ୍ଷେପ ପରେ କାଶ୍ମୀର ପୁଣି ଥରେ ଭାରତର ଭୂସ୍ୱର୍ଗ ହେବ, କଶ୍ମୀରବାସୀ ଘିଅମହୁରେ ଦିନ କାଟିବେ, ବିକାଶର ଗତି ହେବ ତ୍ୱରାନ୍ୱିତ, କାଶ୍ମୀର ଲୋକେ ଶାନ୍ତିରେ ରହିବେ ଆଦି ପ୍ରତିଶ୍ରୁତି ଉପରେ କାଶ୍ମୀରର ପୁନଃ ବିଭାଜନ କରିଛନ୍ତି ମୋଦୀ ସରକାର। ଜାମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା ପାଇଛନ୍ତି, କାଶ୍ମୀରିୟତ ବା କାଶ୍ମୀରର ସ୍ୱତନ୍ତ୍ରତା ତିନିଟି ଅଂଚଳରେ ବାଣ୍ଟି ହୋଇଯାଇଛି। ଏବେ ପାକ୍‌ ଅଧିକୃତ କାଶ୍ମୀର, ଅକ୍ସାଇ ଚୀନ, ଜାମ୍ମୁ କଶ୍ମୀର ଓ ଲଦାଖ ଭିତରୁ କଶ୍ମୀରିୟତକୁ ଖୋଜୁଛି ସାଧାରଣ କାଶ୍ମୀରୀ ବା କାଶ୍ମୀର ମୂଳବାସିନ୍ଦା। ଏହା ଥିଲା ଏକ ସ୍ୱତନ୍ତ୍ର ରାଷ୍ଟ୍ର। ପରେ ହେଲା ଏକ ସ୍ୱତନ୍ତ୍ର ରାଜ୍ୟ। ଏବେ ଏହା ଦୁଇଟି କେନ୍ଦ୍ର ଶାସିତ ଅଂଚଳ। ଭାରତୀୟ ସଂଘୀୟ ବ୍ୟବସ୍ଥା ଭିତରେ ଦୁଇଟି ନୂଆ ପ୍ରାଶାସନିକ ଏକକ, ସ୍ୱତନ୍ତ୍ରତା ନାହିଁ, ସ୍ୱାୟତ୍ତତା ନାହିଁ, ନାହିଁ ବି ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା।

ହିନ୍ଦୁ, ମୋଗଲ, ଶିଖ, ବ୍ରିଟିଶ ଓ ଡୋଗ୍ରା ରାଜତ୍ୱ ପରେ ଭାରତ ଓ ପାକିସ୍ତାନ ଶାସନ ଭିତରେ ହଜି ଯାଇଥିବା କାଶ୍ମୀରର ଅସ୍ତିତ୍ୱ ଏବେ ନିଶ୍ଚିହ୍ନପ୍ରାୟ। ଶାକ୍ତ ଓ ଶୈବ ସଂସ୍କୃତି ଦୁର୍ବଳ, ମୁସଲିମ ସଂସ୍କାର ପ୍ରବଳ, ବୋମା ଓ ବନ୍ଧୁକ ପ୍ରବଳତର, ଶାନ୍ତି ଓ ସଂହତି ଦୁର୍ବଳତର।

୨୦୧୯ ଅକ୍ଟୋବର ୩୧ ତାରିଖରୁ ଜାମ୍ମୁକାଶ୍ମୀର ଓ ଲଦାଖ ଦୁଇଟି ଅଲଗା ଅଲଗା ପ୍ରାଶାସନିକ ଏକକ ଭାବେ ପ୍ରତିଷ୍ଠା ପାଇବା ପରେ ୨୦୧୯ ଅଗଷ୍ଟ ୫ ତାରିଖରୁ ଜାରି ହୋଇଥିବା କଟକଣା ହଟିବ କି? ହଟିବ କି ଲୋକଙ୍କ ମନରେ ଛଅ ଦଶନ୍ଧି ଧରି ବସା ବାନ୍ଧିଥିବା କ୍ରୋଧ ଓ ଘୃଣାର ମାନସିକତା, ଭୟ ଓ ଆଶଙ୍କାର ଆଭିମୁଖ୍ୟ? ସମୟ କହିବ ଭାରତ ସରକାରଙ୍କର ପଦକ୍ଷେପ କାଶ୍ମୀରରେ ଶାନ୍ତି, ସଂହତି ଓ ସ୍ୱର୍ଗସୁଖ ଫେରାଇ ଆଣିବ କି ନାହିଁ, ଯଦି ଆଣିବ କେବେ ଆଣିବ। ତେବେ ଭାରତ ସରକାରଙ୍କ ପଦେକ୍ଷପ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ରାଷ୍ଟ୍ରମତ ସୃଷ୍ଟି କରିବାର ଉଦ୍ୟମରେ ପାକିସ୍ତାନ ଯେ ଚରମ ବିଫଳତା ଲାଭ କରିଛି ତାହା ଅନସ୍ୱୀକାର୍ଯ୍ୟ। ମାତ୍ର, ପାକିସ୍ତାନର ବିଫଳତା ବା ପରାଜୟ ଯେ ଭାରତର ବିଜୟ ତାହା କୁହାଯାଇ ପାରିବ ନାହିଁ। କାରଣ ଏବେ ବି ଅନେକ ଅନ୍ତରରୁ ଝରୁଛି ଅସନ୍ତୋଷର ନିଆଁ, ବନ୍ଦ ହୋଇନି ପଥରମାଡ଼, ଥମିନାହିଁ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ, ପୂର୍ଣ୍ଣଚ୍ଛେଦ ପଡ଼ିନି ନରଂସହାରରେ। ତିନି ଦିନ ପୂର୍ବରୁ ପଶ୍ଚିମ ବଙ୍ଗର ୬ ଜଣ ଶ୍ରମିକଙ୍କୁ ଯେଭଳି ଅମାନୁଷିକ ଭାବେ ହତ୍ୟା କରାଗଲା, ତା’ର ଦିନକ ଆଗରୁ ଯେଭଳି ବସ୍‌ଷ୍ଟାଣ୍ଡରେ ବିସ୍ଫୋରଣ ଘଟାଗଲା, ନିୟନ୍ତ୍ରଣ ରେଖା ଦେଇ ଯେଭଳି ଦୈନିକ ଚାଲିଛି ଯୁଦ୍ଧବିରତି ଉଲ୍ଲଙ୍ଘନ, ପାକିସ୍ତାନ ଓ ଭାରତର ପରସ୍ପର ବିରୋଧୀ ବୟାନବାଜି ଓ ଜଣେ ଅଖ୍ୟାତ ମହିଳା ମାଦି ଶର୍ମାଙ୍କ ପ୍ରାୟୋଜନରେ ଆୟୋଜିତ ୟୁରୋପର କେତେକ ଦକ୍ଷିଣପନ୍ଥୀ ସାଂସଦଙ୍କ କାଶ୍ମୀର ପର୍ଯ୍ୟଟନ ଏବଂ ଭାରତ ସରକାରଙ୍କ ପଦକ୍ଷେପ ସମର୍ଥନରେ ପ୍ରଚାର ଆଦି ଅନେକ ଘଟଣାରୁ ସ୍ପଷ୍ଟ ସଂକେତ ମିଳୁଛି ଯେ କାଶ୍ମୀର ପରିସ୍ଥିତି ଏବେ ବି ଅସ୍ୱାଭାବିକ। କଟକଣା ସଂପୂର୍ଣ୍ଣ ହଟି ନାହିଁ, ଇଣ୍ଟର୍ନେଟ ସଂଯୋଗ ମୁକ୍ତ ହୋଇନି, ସକାଳ ଓ ସନ୍ଧ୍ୟା କେଇଘଣ୍ଟା ଛାଡ଼ିଦେଲେ ଦିନବେଳା ବଜାର ବନ୍ଦ ହଟିନି। ଝେଲମ ନଦୀପଠାରୁ କିନ୍ତୁ ବାଲି ଉଠାଣ ଅବ୍ୟାହତ ରହିଛି। ଅବ୍ୟାହତ ରହିଛି ସେଓ ବଗୀଚାର ଅମଳ। ଇଟାଭାଟିରୁ ଧୂଆଁ ବାହାରିବା ବନ୍ଦ ହୋଇନି। ବନ୍ଦ ହୋଇନି ବି ପ୍ରଶାସନର ବେତନ ଓ ଭତ୍ତା।

ଏହାରି ଭିତରେ ଅନୁଷ୍ଠିତ ହୋଇଛି ମଣ୍ଡଳ ଉନ୍ନୟନ ପରିଷଦର ନିର୍ବାଚନ। ଏହାକୁ ବର୍ଜନ କରିଛନ୍ତି କାଶ୍ମୀର ପ୍ରାୟ ସମସ୍ତ ପ୍ରମୁଖ ରାଜନୀତିକ ଦଳ। କଂଗ୍ରେସ, ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ ଓ ପିଡିପିର ବର୍ଜନ ସତ୍ତ୍ୱେ ଖୋଲା ପଡ଼ିଆରେ ଖେଳି ବି ଜିତି ପାରିନାହିଁ ଭାରତୀୟ ଜନତା ପାର୍ଟି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ। ରାଜ୍ୟର ୩୧୦ ମଣ୍ଡଳ ଉନ୍ନୟନ ପରିଷଦରୁ ମାତ୍ର ୮୮ଟିରେ ଜିତିଛି ବିଜେପି। ସ୍ୱାଧୀନ ପ୍ରାର୍ଥୀମାନେ ଜିତି ନେଇଛନ୍ତି ୨୦୦ ଉପରେ ବ୍ଲକ୍‌। ଏହା କି ସଂକେତ ଦେଉଛି? ବିଜେପି ଉପରେ କାଶ୍ମୀରବାସୀ ଖୁସ୍‌? ସବ୍‌ ଚଙ୍ଗା ସି?

ବେଳ ଉଚ୍ଛୁର ହୋଇଗଲାଣି। ଇସ୍‌ଲାମିକ ଷ୍ଟେଟ୍‌ରୁ ଆରମ୍ଭ କରି ହରକତ୍‌ ଉଲ୍‌ ମୁଜାହିଦ୍ଦିନ ଯାଏଁ ଅନେକ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ପାଲଟିଥିବା କାଶ୍ମୀରରେ ଶାନ୍ତି ଓ ସଂହତି ସ୍ଥାପନ କରିବା ପାଇଁ କ’ଣ ଦରକାର? ବନ୍ଧୁକ ନା ବନ୍ଧୁତା? ସୈଖ୍ୟ ନା ଶାସନ? ସତ୍ୟ ନା ଅସତ୍ୟ? ଭାରତ ସରକାରଙ୍କୁ ଏହା ବୁଝିବାକୁ ପଡ଼ିବ, ବୁଝେଇବାକୁ ପଡ଼ିବ। ମୋଦୀଙ୍କ ତତ୍ତ୍ୱ ଅନୁସାରେ ୩୭୦ ଧାରା ଥିଲା ବିକାଶର ପରିପନ୍ଥୀ, ଆତଙ୍କବାଦର ବ୍ରହ୍ମମଞ୍ଜି। ଯଦି ତାହା ତେବେ ଆଜି ବି କାହିଁକି ଜାମ୍ମୁକାଶ୍ମୀର ମାତ୍ର ୧୨ ପ୍ରତିଶତ ଲୋକ ବିପିଏଲ? ବିକାଶ ନାହିଁ ପରା! ସମୃଦ୍ଧି ଆସିଲା କୁଆଡ଼ୁ? ଏକତା ସତ ଯେ ୩୭୦ ଧାରା ଯୋଗୁଁ ଭାରତର ଅନ୍ୟ ବହୁ ରାଜ୍ୟଠାରୁ ସ୍ୱତନ୍ତ୍ର ମାନ୍ୟତା ପାଇଥିଲା କାଶ୍ମୀର, ଏଇ ଯେମିତି ସ୍ୱତନ୍ତ୍ର ସମ୍ବିଧାନ ଓ ସ୍ୱତନ୍ତ୍ର ପତାକା। କିନ୍ତୁ ୧୯୫୨ ଓ ୧୯୬୨ ମସିହାର ସମ୍ବିଧାନ ସଂଶୋଧନ ପରେ ୩୭୦ ଧାରା ସ୍ୱତଃ ଦୁର୍ବଳ ହୋଇନଥିଲା କି? ଭାରତୀୟ ସମ୍ବିଧାନର ଅଧିକାଂଶ ଧାରା କାଶ୍ମୀର ପ୍ରତି ଲାଗୁ ହୋଇସାରିଛି, ୨୦୧୯ ଅଗଷ୍ଟ ୫ ପୂର୍ବରୁ। ଭାରତବର୍ଷର ଅଧିକାଂଶ ଆଇନ କାଶ୍ମୀର ପ୍ରତି ପ୍ରଯୁଜ୍ୟ। କେବଳ ସଂରକ୍ଷଣ, ସୂଚନା ଅଧିକାର ଭଳି କେତେକ ଆଇନକୁ ଛାଡ଼ି। କିନ୍ତୁ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ତ ଲଢ଼େଇ କରୁଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ! ସୂଚନା ଅଧିକାର ଆଇନକୁ ତ ଦୁର୍ବଳ କରିବାର ଅଭିଯୋଗରେ ଅଭିଯୁକ୍ତ ମୋଦୀ ସରକାର! ଉଭୟ ଭାରତୀୟ ଓ କାଶ୍ମୀର ସମ୍ବିଧାନ ଅନୁସାରେ ଜାମ୍ମୁକାଶ୍ମୀର ହେଉଛି ଭାରତର ଏକ ଏକକ। ସେଇ ଭିତ୍ତିରେ ହିଁ ନେହରୁଙ୍କଠାରୁ ନରେନ୍ଦ୍ରଙ୍କ ଯାଏଁ ସମସ୍ତେ କହି ଚାଲିଛନ୍ତି, କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ।

ତେବେ, କାଶ୍ମୀର ତ ଏବେ ଅବିଚ୍ଛେଦ୍ୟ ହୋଇ ରହିନାହିଁ! ଏହାର ଦୁଇଟି ଅଂଶ ଦୁଇଟି ରାଷ୍ଟ୍ରର ନିୟନ୍ତ୍ରଣରେ? ଭାରତରେ କାଶ୍ମୀରର ପୂର୍ଣ୍ଣ ମିଶ୍ରଣ ହେଲା କିପରି? ହେବ କେବେ? ସରକାର ଯଦି ପାକ୍‌ ଅଧିକୃତ କାଶ୍ମୀର ଓ ଅକ୍ସାଇ ଚୀନ୍‌କୁ କାଶ୍ମୀର ଭୂଗୋଳରେ ମିଶେଇ ପାରିବେ ତେବେ ତାହା ହେବ ଭାରତୀୟ ରାଷ୍ଟ୍ରବାଦର ସ୍ପଷ୍ଟ ଓ ସର୍ବୋତ୍ତମ ପରିପ୍ରକାଶ। ତାହା କ’ଣ ଭାରତ ଭାଗରେ ଥିବା କାଶ୍ମୀରର ବିଭାଜନ କରି ସମ୍ଭବ? ପାକିସ୍ତାନ ବିରୋଧରେ ପ୍ରତିଶୋଧ ନେବାକୁ ଯାଇଁ ଭାରତ ସରକାର କାଶ୍ମୀରବାସୀଙ୍କ ବିରୋଧରେ ପ୍ରତିଶୋଧ ନେଉ ନାହାନ୍ତି ତ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ମିଳିବ ନାହିଁ। ଏଇ ସମୟରେ ବି ଏଭଳି ପ୍ରଶ୍ନ ଅପ୍ରାସଙ୍ଗିକ ବୋଧ ହୋଇପାରେ। ତଥାପି, ଏସବୁ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ। ଭାରତ ସରକାରଙ୍କୁ ଭାବିବାକୁ ପଡ଼ିବ- କେବେ ପୁଣି କାଶ୍ମୀର ହେବ ଭାରତର ସ୍ୱର୍ଗ, କେବେ ସେଠି ସୁଇଜରଲାଣ୍ଡ ଭଳି ଫିଲ୍ମ ଶୁଟିଂ କରିବେ ପ୍ରଯୋଜକ, ଲୋକମାନେ ନାଚିବେ, ଗାଇବେ, ଖେଳିବେ? ଜୁବିନ ମେହେଟ୍ଟାଙ୍କୁ ଆଉ କହିବାକୁ ପଡ଼ିବ ନାହିଁ ଯେ ଭାରତର ନାଗରିକ, ପାକିସ୍ତାନର ନାଗରିକ ଓ କାଶ୍ମୀର ନାଗରିକ ଏକାଠି ବସି ସଂଗୀତର ମୂର୍ଚ୍ଛନା ସୃଷ୍ଟି କରନ୍ତୁ!

Related story