ପାଟକୁରାରେ ଭୋଟର ନିରବ, ଦ୍ୱନ୍ଦ୍ୱରେ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠୁ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୀତିକ ଉଷ୍ମତା ଜୋରଦାର ହୋଇଛି। ମାତ୍ର ପାଟକୁରାରେ ସାଧାରଣ ଭୋଟରଙ୍କ ନିରବତା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ଶାସକ ବିଜେଡିକୁ ଦ୍ୱନ୍ଦ୍ୱରେ ପକାଇଛି। ବିଜେଡି ପାଟକୁରା ନିର୍ବାଚନ ଜିଣିବାକୁ ନିଜ ସମ୍ମାନର ପ୍ରଶ୍ନ ବୋଲି ବିବେଚନା କରି କଳ-ବଳ-କୌଶଳ ଲଗାଇଥିବାବେଳେ ବିଜେପି ଏଠାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅଭିଜ୍ଞତା ଓ ସ୍ୱାଭିମାନକୁ ପୁଞ୍ଜି କରି ନିର୍ବାଚନୀ […]

nav-1

nav-1

Tapas Behera
  • Published: Sunday, 07 July 2019
  • Updated: 07 July 2019, 09:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରଠୁ କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୀତିକ ଉଷ୍ମତା ଜୋରଦାର ହୋଇଛି। ମାତ୍ର ପାଟକୁରାରେ ସାଧାରଣ ଭୋଟରଙ୍କ ନିରବତା ଓ ଦଳୀୟ କର୍ମୀଙ୍କ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଏବେ ଶାସକ ବିଜେଡିକୁ ଦ୍ୱନ୍ଦ୍ୱରେ ପକାଇଛି। ବିଜେଡି ପାଟକୁରା ନିର୍ବାଚନ ଜିଣିବାକୁ ନିଜ ସମ୍ମାନର ପ୍ରଶ୍ନ ବୋଲି ବିବେଚନା କରି କଳ-ବଳ-କୌଶଳ ଲଗାଇଥିବାବେଳେ ବିଜେପି ଏଠାରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଅଭିଜ୍ଞତା ଓ ସ୍ୱାଭିମାନକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି। ବିଜେଡି ନିଜର ବରିଷ୍ଠ ନେତା ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀଙ୍କୁ ପ୍ରାର୍ଥୀ କରି ସହାନୁଭୂତି ଭୋଟ୍ ହାତେଇବାକୁ କରିଥିବା ରଣନୀତି ଫେଲ୍ ମାରିବା ପରେ ଏବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ବ୍ରାଣ୍ଡ ଓ ବିକାଶ’କୁ ଆଗରେ ରଖି ଲଢ଼େଇକୁ ଜୋରଦାର କରିବାକୁ ଚେଷ୍ଟା ଚଳାଇଛି।

ସୂଚନା ଅନୁସାରେ, ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ ୫୧ଟି ପଞ୍ଚାୟତର ୩୦୯ଟି ବୁଥରେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ। ଯଦିଓ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ସାଂଗଠନିକ ଦକ୍ଷତା ରହିଛି, ତଥାପି ତାଙ୍କର ଦୁର୍ବଳ ନିର୍ବାଚନ ପ୍ରଚାର ଅଭିଯାନ ଏବଂ ବିିଜେଡି ଓ ବିଜେପି ମଧ୍ୟରେ ଜୋରଦାର ଲଢ଼େଇ ତାଙ୍କୁ ବ୍ୟାକଫୁଟରେ ରଖିଛି। ତେବେ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର ୨୬ଟି ପଞ୍ଚାୟତ, ଗରଦପୁରର ୧୮ଟି ପଞ୍ଚାୟତ ଓ ମାର୍ଶାଘାଇର ୭ଟି ପଞ୍ଚାୟତରେ ବିଜେଡି ଏବେ ନିଜର ୧୪ରୁ ଅଧିକ ମନ୍ତ୍ରୀ, ୪୦-୪୫ଜଣ ବିଧାୟକ ଓ ଆଗଧାଡ଼ିର ପ୍ରାୟ ୧୦୦ଜଣ ନେତାଙ୍କୁ ମୁତୟନ କରିଛି। ଏହି ନେତାମାନେ ଏବେ ସାଂଗଠନିକ କନ୍ଦଳକୁ ଦୂର କରିବା ପାଇଁ ପଞ୍ଚାୟତ ଓ ୱାର୍ଡୱାରି ଘନଘନ ବୈଠକ କରିବାରେ ଲାଗିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ବାହାରୁ ଯାଇଥିବା ଏହି ନେତାମାନେ ଡାକୁଥିବା ବୈଠକକୁ ଦଳୀୟ କର୍ମୀମାନେ ଆସୁଥିଲେ ମଧ୍ୟ ସେମାନଙ୍କ ଉପରେ ବିଜେଡି ରାଜ୍ୟସ୍ତରୀୟ ନେତାମାନଙ୍କ ହାକିମାତିକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ତା’ଛଡ଼ା ପୂର୍ବତନ ବିଧାୟକଙ୍କ ପତ୍ନୀ ତଥା ବର୍ତ୍ତମାନ ବିଜେଡି ପ୍ରାର୍ଥୀ ଶ୍ରୀମତୀ ଅଗ୍ରୱାଲଙ୍କ କାର୍ଯ୍ୟଶୈଳୀକୁ ନେଇ ତୃଣମୂଳସ୍ତରରେ ଥିବା ଦଳର ଅଧିକାଂଶ ମୁଖ୍ୟ ସଂଗଠକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଛି। ଗରଦପୁର ଓ ମାର୍ଶାଘାଇର ମୋଟ ୨୫ଟି ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ପ୍ରତି ପ୍ରବଳ ଆକ୍ରୋଶ ରହିଛି। ଡେରାବିଶର ୮ରୁ ୧୦ଟି ପଞ୍ଚାୟତରେ ବିଜେଡି ସଂଗଠନରେ ତୀବ୍ର ଗୋଷ୍ଠୀକନ୍ଦଳ ରହିଛି। ଯାହାର ଫାଇଦା ସିଧାସଳଖ ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କୁ ମିଳୁଛି। ଦୀର୍ଘ ଦୁଇଦଶନ୍ଧି ଧରି କ୍ଷମତା ରାଜନୀତିରୁ ଦୂରରେ ରହିଥିବା ଶ୍ରୀ ମହାପାତ୍ରଙ୍କ ସ୍ୱାଭିମାନ ପ୍ରତି ପାଟକୁରାବାସୀଙ୍କ ମନରେ ଯେଉଁ ସମ୍ମାନ ଓ ସହାନୁଭୂତି ରହିଛି ତାହା ଚଳିତ ନିର୍ବାଚନରେ ତାଙ୍କୁ ସୁବିଧାଜନକ ସ୍ଥିତିରେ ରଖିଛି।

ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମାଧ୍ୟମରେ ବିଜେଡି ନିଜର ମହିଳା ଭୋଟ୍ ବଢ଼ାଇବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରୀ ଆସିଛି, ତାହା ପାଟକୁରାରେ ଏପର୍ଯ୍ୟନ୍ତ ସଫଳ ହୋଇପାରିନି। କାରଣ ବିଜେଡିର ମହିଳା ସଂଗଠନରେ ପାଟକୁରାରେ ବହୁଧା ବିଭକ୍ତ। ଯେଉଁ କାରଣରୁ ପାଟକୁରା ନିର୍ବାଚନ ତାରିଖ ଘୋଷଣା ହେବା ପରଦିନ ହଜାର ହଜାର ମହିଳା ସ୍ୱତଃପ୍ରବୃତ୍ତ ଭାବେ ଶ୍ରୀ ମହାପାତ୍ରଙ୍କ ବିଜୟ ମନାସି ସମୂହ ଦୀପଦାନ କରିବାକୁ ପଛାଇ ନଥିଲେ।

ବିଜେପିର ଜାତୀୟ ସ୍ତରର ଶୀର୍ଷ ନେତୃତ୍ୱଙ୍କ ସହ ବିଜେଡିର ସମ୍ପର୍କରେ ଅଚାନକ ସୁଧାର ଓ ରାଜ୍ୟ ବିଜେପିରେ ଥିବା ଗୋଷ୍ଠୀକନ୍ଦଳର ଫାଇଦା ବିଜେଡିକୁ ମିଳିବ ବୋଲି ଦଳ ଆକଳନ କରିଛି। କିନ୍ତୁ ବିଜେପି ପୁରା ଜୋରସୋରରେ ଏକଜୁଟ ହୋଇ ଶ୍ରୀ ମହାପାତ୍ରଙ୍କ ଜିତାଇବା ପାଇଁ କାର୍ଯ୍ୟ କରିବ ବୋଲି ସନ୍ଦେଶ ଦେଇଛି। ଏପରିକି ପାଟକୁରା ନିର୍ବାଚନ ପ୍ରଚାର ପାଇଁ ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟତୀତ ଅନ୍ୟ ଜାତୀୟ ସ୍ତରର ନେତାଙ୍କୁ ପ୍ରଚାର ଅଭିଯାନ ପାଇଁ ଆଣିବାକୁ ରଣନୀତି ପ୍ରସ୍ତୁତ କରିଛି।

ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ହିଁ ବିଜେପିର କେନ୍ଦ୍ରମନ୍ତ୍ରୀମାନେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି। ବିଜେପିର ରାଜ୍ୟସ୍ତରୀୟ କିଛି ନେତା ଏବେ ପାଟକୁରାରେ ପ୍ରଚାର ମଇଦାନରେ ଥିଲାବେଳେ ଆସନ୍ତା ୧୨ରୁ ୧୫ତାରିଖ ମଧ୍ୟରେ ବରିଷ୍ଠ ନେତା ଦିଲ୍ଲୀପ ରାୟ, ଡାକ୍ତର ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଜୁଏଲ ଓରାମ ପ୍ରମୁଖ ନେତାମାନେ ଶ୍ରୀ ମହାପାତ୍ରଙ୍କ ସପକ୍ଷରେ ପ୍ରଚାରକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos