ଅପପ୍ରଚାରରୁ ଭାଙ୍ଗିଲା ବାହାଘର, ଫିନାଇଲ ପିଇଦେଲେ ଯୁବତୀ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବାହାଘର ଠିକ୍ ହୋଇ ସାରିଥିଲା। ତାରିଖ ବି ସ୍ଥିର ହୋଇ ସାରିଥିଲା। କିନ୍ତୁ ତା’ପୂର୍ବରୁ ଯୁବତୀଙ୍କ ନାଁରେ ହେଲେ ଅପପ୍ରଚାର। ତେଣୁ ଭାଙ୍ଗିଗଲା ବାହାଘର। ଆଉ ଏଥିରେ ମର୍ମାହତ ହୋଇ ଯୁବତୀ ଜଣଙ୍କ ପିଇଦେଲେ ଫିନାଇଲ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ।

ଯୁବତୀ ଜଣଙ୍କ ଗୁରୁତର ଅଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଫେବ୍ରୁଆରୀ ୨ ତାରିଖରେ ଏହି ଯୁବତୀଙ୍କର ବାହାଘର ହୋଇଥା’ନ୍ତା। ହେଲେ କିଛି ଦିନ ତଳେ ଦୁଇ ଜଣ ଯୁବ ତାଙ୍କ ନାଁରେ ଅପପ୍ରଚାର କରିଥିଲେ। ସେମାନେ କିଛି ଲିଫ୍‌ଲେଟ୍‌ ବାଣ୍ଟିଥିଲେ। ଗତ ୨୮ ତାରିଖରେ ସେମାନେ ପୁଅର ଘର ଓ ଗାଁରେ ବି ଲିଫ୍‌ଲେଟ୍ ପକାଇଥିଲେ। ଲିଫଲେଟ ପାଇବା ପରେ ଗତ ୩୦ ତାରିଖରେ ପୁଅ ଘର ଲୋକେ ବିବାହ ଭାଙ୍ଗି ଦେଇଥିଲେ।

ଅଭିଯୋଗ ଅନୁସାରେ, ଅପପ୍ରଚାର କଥା ଶୁଣି ଯୁବତୀ ଜଣଙ୍କ ତାଙ୍କ ମାନସିକ ଭାରସାମ୍ୟ ହରାଇଥିଲେ। ବାହାଘର ଭାଙ୍ଗିଯିବା ପରେ ସେ ଆହୁରି ଭାଙ୍ଗି ପଡ଼ିଥିଲେ। ଆଜି ସକାଳେ ଯୁବତୀ ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଫିନାଇଲ ପିଇ ଦେଇଥିଲେ।
ଯୁବତୀଙ୍କ ନାଁରେ ଅପପ୍ରଚାର କରି ଲିଫଲେଟ ପକାଇଥିବା ଦୁଇ ଅଭିଯୁକ୍ତଙ୍କ ନାଁରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।