ଜଗନ୍ନାଥଙ୍କୁ ନିଜ ପୁଅ ଭାବିଲେ, ମରିବା ପୂର୍ବରୁ କୋଟିଏ ଟଙ୍କାର ଘର ଦାନ କଲେ

ନବରଙ୍ଗପୁର(ନବଘନ ବିଶୋୟୀ):  ୩ ଝିଅଙ୍କୁ ନେଇ ଗଢ଼ି ଉଠିଥିଲା ହସଖୁସିର ସଂସାର। ହେଲେ ପୁଅ ନ ଥିବା ଦୁଃଖ ମନକୁ ଘାରୁଥିଲା। ଶେଷରେ କାଳିଆ ସାଆନ୍ତଙ୍କୁ ନିଜ ପୁଅ ବୋଲି ଭାବି ନେଲେ।  ଆଉ ବାପାମା’ଙ୍କ ଅନ୍ତେ ପୁଅ ହିଁ ସମ୍ପତ୍ତିର ହକଦାର ପରି ନିଜ କୋଟିଏ ଟଙ୍କା ମୂଲ୍ୟର କୋଠାକୁ ପ୍ରଭୁ ଜଗନ୍ନାଥଙ୍କ ନାଁରେ କରିଦେଲେ। ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଭଗବତୀ ସାହିରେ। ଏହି ସାହିରେ ରହୁଥବା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ […]

DANA-HOUSE

DANA-HOUSE

Niharika Rout
  • Published: Friday, 18 December 2020
  • Updated: 18 December 2020, 01:31 PM IST

Sports

Latest News

ନବରଙ୍ଗପୁର(ନବଘନ ବିଶୋୟୀ):  ୩ ଝିଅଙ୍କୁ ନେଇ ଗଢ଼ି ଉଠିଥିଲା ହସଖୁସିର ସଂସାର। ହେଲେ ପୁଅ ନ ଥିବା ଦୁଃଖ ମନକୁ ଘାରୁଥିଲା। ଶେଷରେ କାଳିଆ ସାଆନ୍ତଙ୍କୁ ନିଜ ପୁଅ ବୋଲି ଭାବି ନେଲେ।  ଆଉ ବାପାମା’ଙ୍କ ଅନ୍ତେ ପୁଅ ହିଁ ସମ୍ପତ୍ତିର ହକଦାର ପରି ନିଜ କୋଟିଏ ଟଙ୍କା ମୂଲ୍ୟର କୋଠାକୁ ପ୍ରଭୁ ଜଗନ୍ନାଥଙ୍କ ନାଁରେ କରିଦେଲେ।

ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସହର ଭଗବତୀ ସାହିରେ। ଏହି ସାହିରେ ରହୁଥବା ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଭବାନୀସାହୁଙ୍କ ସ୍ତ୍ରୀ ବୈଜନ୍ତିମାଳା ସାହୁ ୩ ଝିଅଙ୍କ ବିବାହ ପରେ ନିଜ କୋଠାକୁ ପ୍ରଭୁ ଜଗନ୍ନାଥଙ୍କ ନାମରେ କରି ଦେଇଛନ୍ତି। ମା’ଙ୍କ ମୃତ୍ୟୁ ପରେ ସ୍ୱାମୀ ଓ ଝିଅମାନେ ୩ ମହଲା ବିଶିଷ୍ଟ କୋଠାକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରି ଦେଇଛନ୍ତି।

ସମ୍ପତ୍ତି ପାଇଁ ପରିବାର ମଧ୍ୟରେ ହଣାକଟା ହେବା, ରକ୍ତ ସମ୍ପର୍କ ପର ହୋଇଯିବା ପରି ଘଟଣା ସବୁଦିନ ଦେଖିବାକୁ ମିଳୁଥିବା ବେଳେ ଏହା ସମାଜ ପାଇଁ ଏକ ଉଦାହରଣ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ନବରଙ୍ଗପୁର ସହର ଭଗବତୀ ସାହିରେ ରହୁଥବା ବୈଜନ୍ତିମାଳା ସାହୁ  କିଛିଦିନ ତଳେ କର୍କଟ ରୋଗରେ ପୀଡିତ ହୋଇଥିବା ଜଣାପଡ଼ିଥିଲା। ୩ ଝିଅଙ୍କ ବିବାହ ପରେ  ପୁଅନଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କୁ ନିଜ ପୁଅ ବୋଲି ଭାବୁଥିଲେ l ତେଣୁ, ଶେଷ ସମୟ ଆସିଗଲା ଜାଣି  ନିଜ ନାମରେ ନବରଙ୍ଗପୁର ସହର ମଧ୍ୟରେ ଥିବା ଭଗବତୀ ସାହିସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠାକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିବାକୁ ମନସ୍ଥ କରିଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ ।

ମା’ ମୃତ୍ୟୁମୁଖରେ ଥିବା ବେଳେ ତାଙ୍କର ଶେଷ ଇଛାକୁ ତିନିଝିଅ ଓ ସ୍ୱାମୀ ହୃଦୟ ସହ ସ୍ୱାଗତ କରିଥିଲେ। ଏହାପରେ ନବରଙ୍ଗପୁରସ୍ଥିତ ଜଗନ୍ନାଥମନ୍ଦିର କମିଟିକୁ ଯୋଗାଯୋଗ କରିଥିଲେ।  ନଭେମ୍ବର  ୨୭ ତାରିଖରେ ମାଜିଷ୍ଟ୍ରେଟ, ଜଗନ୍ନାଥମନ୍ଦିର କମିଟି ଓ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ମୂଲ୍ୟବାନ କୋଠାକୁ ପରିବାର ଲୋକେ ଦାନ କରିଥିଲେ ।

ଏହାପରେ ଗତ ୨ ତାରିଖରେ ଆଖି ବୁଜିଥିଲେ ବୈଜନ୍ତିମାଳା ।ବୈଜନ୍ତିମାଳାଙ୍କ ସ୍ୱାମୀ ଭବାନୀସାହୁ ଏବେ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି। ତେଣୁ  ୩ ଝିଅ  ପୁଷ୍ପାଞ୍ଜଳି ଚୌଧୁରୀ ,ଗୀତାଞ୍ଜଳି ଶତପଥୀ ଓ ଶ୍ରଦ୍ଧାଞ୍ଜଳି ପଣ୍ଡା ଓ ସେମାନଙ୍କ ପରିବାର ଜଗନ୍ନାଥ ମନ୍ଦିରକୁ ଯାଇ ମା’ଙ୍କ ଶେଷଇଛା ପୂରଣ କରି କୋଠାର ସମସ୍ତ କାଗଜପତ୍ର ମନ୍ଦିର କମିଟିକୁ ଦେଇଛନ୍ତି।  ଯାହାର ଆନୁମାନିକ ମୂଲ୍ୟ ବର୍ତ୍ତମାନ ସମୟରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ । କେବଳ କୋଠା ନୁହେଁ  ୧ ମଙ୍ଗଳସୂତ୍ର, ରୂପାର ଫରୁଆ, ରୂପାର ବ୍ରତପେଢି, ରୂପାର ମଥାମଣି, ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି।

ଦାନ କରାଯାଇଥିବା ୨୫ ବଖରା ବିଶିଷ୍ଠ କୋଠା ଘରେ ୯ ଟି ପରିବାର ଭଡାସୂତ୍ରରେ ରହିପାରିବେ । ତେଣୁ ଏହାକୁ ଭଡାଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜପୁରୋହିତ କହିଛନ୍ତି। ଅନ୍ୟପଟେ ବୈଜନ୍ତିମାଳାଙ୍କ ଏହି ନିଷ୍ପତ୍ତିକୁ ନବରଙ୍ଗପୁରବାସୀ ସ୍ୱାଗତ ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos