ଟାର୍ଗେଟରେ ଥିଲେ ସ୍ୱାମୀ, ହେଲେ ବନ୍ଧୁକ ଆଗକୁ ଚାଲିଗଲେ ପତ୍ନୀ

ନୂଆପଡା(ମାୟାଧର ସରାଫ): ସ୍ୱାମୀ ଉପରକୁ ଆସୁଥିବା ବିପଦକୁ ନିଜେ ସାମନା କରି ପ୍ରାଣ ହରାଇଲେ ପତ୍ନୀ।  ରାତି ଅଧରେ ସ୍ୱାମୀଙ୍କୁ ଜଣେ ଯୁବକ ବନ୍ଧୁକ ମୁନରେ ଭୟଭୀତ କରୁଥିବା ଦେଖି ନିଜେ ବନ୍ଧୁକ ସାମନାକୁ ପଳାଇଲେ ପତ୍ନୀ। ସ୍ୱାମୀ ବଞ୍ଚିଗଲେ, ହେଲେ ବନ୍ଧୁକ ଗୁଳିରେ ଟଳି ପଡ଼ିଲେ ପତ୍ନୀ। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତି ନୂଆପଡା ଜିଲ୍ଲା କୋମନା ଥାନା ଠୁଟିବର ଗାଁରେ ଘଟିଛି । ମୃତା ମହିଳାଜଣକ ହେଲେ ସୁବାଷ ଚନ୍ଦ୍ର ସାହୁଙ୍କ ପତ୍ନୀ କୁମୁଦିନୀ ଶବର ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଠୁଟିବର ଗାଁର ନୀଳାମ୍ବର ସୁନା ନାମକ ଯୁବକ ସୁବାଷ ସାହୁଙ୍କ କବାଟ ବାଡ଼େଇଥିଲେ। ସୁବାଷ କବାଟ ଖୋଲିବାରୁ ନୀଳାମ୍ବର ସୁନା ବନ୍ଧୁକ ଦେଖାଇ ଦାଦାବଟି ଦେବାକୁ କହିଥିଲେ। ନଚେତ ହତ୍ୟା କରିବାକୁ ଧମକ ଦେଇଥିଲେ। ସୁବାଷ ଦାଦାବଟି ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପାଖରେ ଥିବା ସୁବାଷଙ୍କ ପତ୍ନୀ ତାଙ୍କୁ ପଛକୁ ଠେଲି ବନ୍ଧୁକ ସମ୍ମୁଖକୁ ପଳାଇ ଆସିଥିଲେ। ଉତ୍ତ୍ୟକ୍ତ ନୀଳାମ୍ବର ବନ୍ଧୁକ ଚଳାଇବାରୁ ଗୁଳି ସିଧାସଳଖ କୁମୁଦିନୀଙ୍କ ଦେହରେ ବାଜିଥିଲା ଓ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ।

ପରିବାର ଲୋକେ ତୁରନ୍ତ ତାଙ୍କୁ କୋମନା ହସ୍ପିଟାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ନୀଳାମ୍ବର ଫେରାର ଥିବା ଜଣାଯାଇଛି। ନୀଳାମ୍ବର ଠୁଟିବର ଗାଁର ଗ୍ରାମରକ୍ଷୀଙ୍କ ପୁଅ ହୋଇଥିବା ବେଳେ ସେ ବନ୍ଧୁକ କେଉଁଠୁ ଆଣିଲେ ତାହାର ତଦନ୍ତ କରୁଛି ପୁଲିସ୍‌।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।