ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ”ମୋର ଘର ଖଣ୍ଡେ ନାହିଁ ବୋଲି ଅସାମାଜିକ ଲୋକେ ମୋ ଘରେ ପଶୁଛନ୍ତି। ମୋ ସହ ମୋ ୧୦ ବର୍ଷର ଝିଅକୁ ବି ଅସଦାଚରଣ କରୁଛନ୍ତି। ତେଣୁ ମୋତେ ଘର ଖଣ୍ଡେ ଦରକାର ଓ ମୋ ୨ ଛୁଆଙ୍କ ପାଠ ପଢ଼ିବା ବ୍ୟବସ୍ଥା ସରକାର କରିବା ଦରକାର। ମୁଁ ଆତ୍ମହତ୍ୟା କରିବାକୁ ଚାହୁଁନି, ହେଲେ ସରକାର ବ୍ୟବସ୍ଥା ମୋତେ ଏପରି ପଦକ୍ଷେପ ନେବାକୁ ବାଧ୍ୟ କରୁଛି । ’ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆଜି ସସ୍ମିତା ରାଉତ ନାମ୍ନୀ ଅସହାୟ , ସ୍ୱାମୀ ପରିତ୍ୟକ୍ତା ମହିଳା ଏପରି ଦାବି ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ହେଲେ ପୁଲିସ୍ କର୍ମୀ ତାଙ୍କୁ କାବୁ କରି ନେଇଥିବା ବେଳେ ସେ ବଞ୍ଚି ଯାଇଛନ୍ତି ।
ସସ୍ମିତା ୩ ମାସ ପୂର୍ବେ ଗତ ଫେବୃୟାରୀ ୮ ତାରିଖରେ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସମାନ ଦାବି ନେଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ। ସେତେବେଳେ ତାଙ୍କୁ ପୁଲିସ୍ ବୁଝାଶୁଝା କରି ପଠାଇ ଦେଇଥିବା ବେଳେ ତାଙ୍କ ସମସ୍ୟା କିନ୍ତୁ ସମାଧାନ ହେଉନି। ଏଥିରେ ଅତିଷ୍ଠ ହୋଇ ପୁଣି ଥରେ ସସ୍ମିତା ଆଜି ସମାନ ଘଟଣାର ପୁନରାବୃତ୍ତି କରିବାକୁ ଯାଉଥିଲେ। ଆଜି ସେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ପୁଲିସ୍ କର୍ମୀ ତାଙ୍କୁ କାବୁ କରିନେଲେ।
ଏନେଇ ସସ୍ମିତା କହିଛନ୍ତି, “ମୁଁ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳ। ଉତ୍ତରପ୍ରଦେଶରେ ମୋତେ ମୋ ଘର ଲୋକେ ବିବାହ କରି ଦେଇଥିବା ବେଳେ ମୋ ସ୍ୱାମୀ ମୋତେ ୫ ବର୍ଷ ହେଲା ଛାଡ଼ି ଦେଇଛନ୍ତି । ଏଠାକୁ ଆସି ପର ଘରେ କାମ କରି ୨ ଛୁଆଙ୍କୁ ଧରି ରହୁଛି। ମାତ୍ର ମୋର ଘର ଖଣ୍ଡେ ନ ଥିବାରୁ ରାତି ଅଧରେ ଅସମାଜିକ ଲୋକେ, ପଡ଼ୋଶୀ ମୋ ଘରେ ପଶୁଛନ୍ତି। ମୋ ସହ ମୋ ୧୦ ବର୍ଷର ଝିଅର ବି ଇଜ୍ଜତ ନେବାକୁ ଚେଷ୍ଟା କରୁଛନ୍ତି। ମୁଁ କିପରି ବଞ୍ଚିଛି, କିପରି ମୋ ଛୁଆଙ୍କୁ ସୁରକ୍ଷା ଦେବି ? ତେଣୁ ମୋତେ ଘର ଖଣ୍ଡେ ନିହାତି ଦରକାର।”
ଏନେଇ ୩ ମାସ ପୂର୍ବେ ପ୍ରଶାସନ ନିକଟରେ ଗୁହାରି କରି ଘର ଖଣ୍ଡେ ଓ ପଟ୍ଟା ପାଇଁ ଜଣାଇବା ସହ ମୋ ଛୁଆଙ୍କ ପାଠପଢ଼ା ବ୍ୟବସ୍ଥା କରିବାକୁ ଜଣାଇଥିଲି। ମୁଁ ମୁର୍ଖ, ମାତ୍ର ମୋ ଛୁଆ ୨ ଜଣ ପାଠ ପଢ଼ନ୍ତୁ ବୋଲି ଚାହୁଁଛି । ସେତେବେଳେ ମୁଁ ଆତ୍ମହତ୍ୟା ଉଦ୍ୟମ କରିଥିଲି। ହେଲେ ମୋତେ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବାକୁ ଦିଆଗଲାନି କି ମୋ ସମସ୍ୟା ସମାଧାନ ହେଲାନି । ମୋତେ ବୁଝାଶୁଝା କରି ପଠାଇ ଦିଆଗଲା ବୋଲି କହିଛନ୍ତି ସସ୍ମିତା ।
ସବୁ ଦିନ ଏପରି ସମସ୍ୟାର ସମ୍ମୁଖୀନ ହୋଇ ଅତିଷ୍ଠ ହୋଇପଡ଼ିଲିଣି। ଆଉ ସହି ପାରୁନି। ମୁଁ ମୋ ଛୁଆଙ୍କ ପାଇଁ ବଞ୍ଚିବାକୁ ଚାହୁଁଛି। ହେଲେ ସରକାର ବ୍ୟବସ୍ଥା ଏପରି କରିବାକୁ ବାଧ୍ୟ କରୁଛି। ମୋ ସମସ୍ୟା ସମାଧାନ କରିବାର ପ୍ରତିଶ୍ରୁତି ନ ଦେବା ଯାଏ ଏଠାରୁ ଉଠିବିନି ବୋଲି କହି ନିଜ ଜିଦ୍ରେ ଅଡି ବସିଥିଲେ ସସ୍ମିତା। ମାତ୍ର ଢେଙ୍କାନାଳ ଟାଉନ୍ ଥାନା ପୁଲିସ୍ ସେଠାରୁ ବୁଝାଶୁଝା କରି ତାଙ୍କୁ ଉଠାଇ ଦେଇଛି।
ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସସ୍ମିତାଙ୍କ ପରି ସ୍ୱାମୀ ପରିତ୍ୟକ୍ତା, ଅସହାୟ ମହିଳାଙ୍କ କରୁଣ କାହାଣୀ ଜାଣି ବି କୌଣସି ପ୍ରକାର ସହାୟତା ନ କରିବା ଘଟଣାକୁ ସହଜେ ହଜମ କରିପାରୁ ନାହାନ୍ତି ବୁଦ୍ଧିଜୀବୀ। ତୁରନ୍ତ ଏହି ମହିଳାଙ୍କ ସମସ୍ୟା ସମାଧାନ କରିବାକୁ ଦାବି ହେଉଛି।
https://youtu.be/D4rQUmJmb8o
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।