ଏମିତି ଚାଲିଛି ମହିଳାଙ୍କୁ ସମ୍ମାନ: ୪ମାସରେ ୮୬୮ଟି ଦୁଷ୍କର୍ମ ଓ ୧୯୮୩ଟି ଅପହରଣ ମାମଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମା’ଙ୍କୁ ସମ୍ମାନର ସ୍ଲୋଗାନ ଦେଇ ମହିଳା ସଶକ୍ତିକରଣ ଓ ସଂରକ୍ଷଣ ଦେଇ ରାଜନୀତିକ ଗୋଟିଚାଳନା କରୁଥିବା ବିଜେଡି ସରକାର ଅମଳରେ ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅପରାଧ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଓଡ଼ିଶାରେ ଏବେ ବିହାରର ଚିତ୍ର ପ୍ରତିଫଳନ ହେଉଛି । ଦିନକୁ ୨୯ରୁ ଅଧିକ ମହିଳାଙ୍କ ସମ୍ମାନହାନି, ୧୬ରୁ ଅଧିକ ମହିଳାଙ୍କୁ ଅପହରଣ ଓ ୭ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡ଼ୁଛି । ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ସବୁପ୍ରକାରର ହିଂସା ବୃଦ୍ଧି ପାଇଥିବାବେଳେ ୨୦୨୨ ଜାନୁୟାରୀରୁ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ୧୯୮୩ଟି ଅପହରଣ ଓ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି ।
ବିଧାନସଭାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଦେଇଥିବା ତଥ୍ୟ ଅନୁସାରେ, ୨୦୨୦ ମସିହାରେ ୨୯୮୪ଟି , ୨୦୨୧ରେ ୩୩୨୭ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬୮ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି । ସେହିପରି ୨୦୨୦ ମସିହାରେ ୭୯୩୭ଟି, ୨୦୨୧ରେ ୧୦୦୧୮ଟି ଓ ୨୦୨୨ ଏପ୍ରିଲ ୩୦ ମଧ୍ୟରେ ୩୫୩୪ଟି ମହିଳା ସମ୍ମାନହାନି ମାମଲା ଥାନାରେ ପଞ୍ଜିକୃତ ହୋଇଛି ।
ମହିଳା ଅପହରଣ ମାମଲା ୨୦୨୦ ମସିହାରେ ୩୭୨୦ଟି, ୨୦୨୧ରେ ୫୧୭୫ଟି ଓ ୨୦୨୨ ଏପ୍ରିଲ ୩୦ ସୁଦ୍ଧା ୧୯୮୩ଟି ମାମଲା ପଞ୍ଜିକୃତ ହୋଇଛି । ସେହିପରି ଘରୋଇ ହିଂସା ମାମଲା ୨୦୨୦ରେ ୩୧୫୩ଟି, ୨୦୨୧ରେ ୪୮୮୯ଟି, ୨୦୨୨ ଏପ୍ରିଲ ସୁଦ୍ଧା ୧୪୩୦ଟି ମାମଲା ପଞ୍ଜିକୃତ ହୋଇଛି । ସେହିପରି ଯୌତୁକ ନିର୍ଯାତନାରେ ୨୦୨୦ ମସିହାରେ ୩୭୫୯ଟି, ୨୦୨୧ରେ ୪୯୫୩ଟି ଓ ୨୦୨୨ ଏପ୍ରିଲ ୩୦ ତାରିଖ ସୁଦ୍ଧା ୧୪୪୨ଟି ମାମଲା ପଞ୍ଜିକୃତ ହୋଇଛି ।
ରାଜ୍ୟରେ ସବୁବର୍ଗର ଅପରାଧ ବୃଦ୍ଧି ପାଇ ଚାଲିଥିବାବେଳେ ଶାସକ ବିଜେଡିର ମା’ଙ୍କୁ ସମ୍ମାନ ନାରା କେବଳ ଧର୍ମକୁ ଆଖିଠାର ସଦୃଶ ହୋଇଛି । ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ଉପରୋକ୍ତ ତଥ୍ୟ ଦେଇଛନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।