ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ଧରି ରାଜ୍ୟରେ ଅସହ୍ୟ ତାତି ଯୋଗୁ ଲୋକେ ଛଟପଟ ହେଉଥିବା ବେଳେ ଖୁସି ଖବର ଆଣିଛି ପାଣିପାଗ ବିଭାଗ। ରାଜ୍ୟରେ କାଳବୈଶାଖୀ ହେବା ନେଇ ପୂର୍ବ ସୂଚନା ଦେଇଛି ପାଣିପାଗ ବିଭାଗ। ରାଜ୍ୟରେ ୩ ଦିନ ଧରି କାଳବୈଶାଖୀ ଥିବା ବେଳେ ଆଜି ପାଇଁ ୧୨ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ୱାର୍ଣ୍ଣିଂ ।
ଗଜପତି, ଗଂଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି । ଏସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘ଼ଡ଼ି ସହ ବର୍ଷା ହୋଇପାରେ ।
ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ । ଏସବୁ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ରବିବାର ଓ ସୋମବାର ମଧ୍ୟ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।
ଅନ୍ୟପଟେ କିଛି ସ୍ଥାନରେ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁନ୍ଦରଗଡ଼କୁ ଛାଡ଼ି ଗତକାଲି ରାଜ୍ୟର ବାକି ସବୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା।
୪୦ ଡିଗ୍ରୀ ସହ ସୁନ୍ଦରଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଗତକାଲି ଭୁବନେଶ୍ୱର ତାପମାତ୍ରା ୩୪.୯ ଡିଗ୍ରୀ ଥିବା ବେଳେ କଟକରେ ତାପମାତ୍ରା ଥିଲା ୩୩.୮ ଡିଗ୍ରୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।