ଭାଇର ରକ୍ତରେ ହୋଲି ଖେଳିଳା ଭାଇ: ପଥର ଫିଙ୍ଗିଲେ, ପରେ ଟାଙ୍ଗିଆରେ ହାଣିଲେ!

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଭାଇର ରକ୍ତରେ ଭାଇ ଖେଳିଳା ହୋଲି! ଭାଉଜଙ୍କୁ ମଧ୍ୟ ଛାଡ଼ିଲେ ନାହିଁ। ଆକ୍ରମଣ କରି ଲହୁଲୁହାଣ କଲେ। ଆକ୍ରମଣରେ ଭାଇଙ୍କ ମୃତ୍ୟୁ ଘଟିଥିବା ଭଉଜ ମେଡିକାଲ୍‌ ବେଡରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ଏପରି ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ଅଞ୍ଚଳରେ ଘଟିଛି। ଗୁଣିଗାରେଡି ସନ୍ଦେହର ଏପରି ନୃଶଂସ ହତ୍ୟା କାଣ୍ଡ ଘଟିଥିବା ଆଲୋଚନା ହେଉଛି।

ଉମରକୋଟ ପୌରପରିଷଦ ଅନ୍ତର୍ଗତ ଦର୍ଗାଗୁଡ଼ା ଗାଁର ସୋମନାଥ ପୂଜାରୀ ଗୁଣି ଗାରିଡି କରୁଥିବା ତାଙ୍କ ସମ୍ପର୍କୀୟ ଭାଇ ଅର୍ଜୁନ ପୂଜାରୀ ଓ ତିନି ପୁତୁରା ତୁଳା ପୂଜାରୀ, ଚନ୍ଦନ ପୂଜାରୀ ଓ ଦେବେନ୍ଦ୍ର ପୂଜାରୀ ସନ୍ଦେହ କରୁଥିଲେ। ଯେଉଁଥିପାଇଁ ଉଭୟ ପରିବାର ଭିତରେ ତିକ୍ତତା ଲାଗି ରହିଥିଲା। ସୋମନାଥଙ୍କୁ ରାସ୍ତାରୁ ହଟାଇବା ପାଇଁ ସେମାନେ ଯୋଜନା କରିଥିଲେ।

ରବିବାର ସନ୍ଧ୍ୟା ବେଳେ ସୋମନାଥ ପୂଜାରୀ ଓ ତାଙ୍କ ସ୍ତ୍ରୀ ରୁପନ୍ତି ପୂଜାରୀ ବିଲରୁ ଚାଷ କାମ ସାରି ଘରକୁ ଫେରୁଥିଲେ। ଠିକ୍‌ ଏହି ସମୟରେ ଭାଇ ଅର୍ଜୁନ ଓ ତିନି ପୁତୁରା ସୋମନାଥଙ୍କୁ ପଥରରେ ଆକ୍ରମଣ କରିଥିଲେ। ଯାହାଫଳରେ ସୋମନାଥ ତଳେ ପଡ଼ି ଯାଇଥିଲେ। ତା’ପରେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ରୁପନ୍ତି ଆକ୍ରମଣରେ ଶିକାର ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସୋମନାଥଙ୍କ ମୃତ୍ୟୁ ଘଟିଥିଲା।

ଆକ୍ରମଣ ପରେ ଅର୍ଜୁନ ପୂଜାରୀ ଓ ତିନି ପୁତୁରା ତୁଳା ପୂଜାରୀ, ଚନ୍ଦନ ପୂଜାରୀ ଓ ଦେବେନ୍ଦ୍ର ପୂଜାରୀ ଉମରକୋଟ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୁଲିସ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।