ରଜନୀଙ୍କ ସବୁ ଅଙ୍କ ଭୁଲ୍‌ ହୋଇଗଲା

ଜଗତସିଂହପୁର (ଶଶାଙ୍କ ପଣ୍ଡା): ମାନସୀ ରାଉତ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଖେଳ କରୁଥିଲା ରଜନୀକାନ୍ତ। ଯୁବତୀ, ମହିଳା ଓ ପୁରୁଷଙ୍କୁ ହନିଟ୍ରାପ୍‌ରେ ଫସାଉଥିଲା। ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ କରୁଥିଲା।  ଶେଷରେ ନିଜ ମାୟା ଜାଲରେ ନିଜେ ଫସିଗଲା ରଜନୀକାନ୍ତ। ପୁଲିସ୍‌ ହାତରେ ଧରାପଡ଼ିଗଲା। ଏବେ ଜେଲ୍‌ରେ ହାୱା ଖାଉଛି ରଜନୀକାନ୍ତ ରାଉତ। ରଜନୀକାନ୍ତ ହେଉଛି ଜଗତସିଂହପୁର ଜିଲ୍ଲା ନାଉଗାଁର ଜଣେ ଯୁବକ। ସେ ବେଙ୍ଗାଲୁରୁରେ ଏକ ହୋଟେଲ୍‌ ରୋଷେୟା ଭାବେ କାମ କରୁଥିଲା। […]

Girl

  • Published: Monday, 09 January 2023
  • , Updated: 09 January 2023, 10:04 PM IST

ଜଗତସିଂହପୁର (ଶଶାଙ୍କ ପଣ୍ଡା): ମାନସୀ ରାଉତ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଖେଳ କରୁଥିଲା ରଜନୀକାନ୍ତ। ଯୁବତୀ, ମହିଳା ଓ ପୁରୁଷଙ୍କୁ ହନିଟ୍ରାପ୍‌ରେ ଫସାଉଥିଲା। ବ୍ଲାକ୍‌ମେଲ୍‌ କରି ଟଙ୍କା ଆଦାୟ କରୁଥିଲା।  ଶେଷରେ ନିଜ ମାୟା ଜାଲରେ ନିଜେ ଫସିଗଲା ରଜନୀକାନ୍ତ। ପୁଲିସ୍‌ ହାତରେ ଧରାପଡ଼ିଗଲା। ଏବେ ଜେଲ୍‌ରେ ହାୱା ଖାଉଛି ରଜନୀକାନ୍ତ ରାଉତ।

ରଜନୀକାନ୍ତ ହେଉଛି ଜଗତସିଂହପୁର ଜିଲ୍ଲା ନାଉଗାଁର ଜଣେ ଯୁବକ। ସେ ବେଙ୍ଗାଲୁରୁରେ ଏକ ହୋଟେଲ୍‌ ରୋଷେୟା ଭାବେ କାମ କରୁଥିଲା। ମାତ୍ର ତା’ର ନିଶା କିନ୍ତୁ ହନିଟ୍ରାପ୍‌ରେ ଫସାଇବା। ସେ ମାନସୀ ରାଉତ ନାଁରେ ଫେସ୍‌ବୁକ ଆକାଉଣ୍ଟ ଖୋଲିଥିଲା। ଡିପିରେ ଜଣେ ସୁନ୍ଦରୀ ଝିଅଙ୍କ ଫଟୋ ଦେଉଥିଲା। ଆଉ ତା’ପରେ ଯୁବତୀ, ମହିଳା ଓ ଯୁବକଙ୍କ ପାଖକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉ ଥିଲେ। ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ ହେବା ପରେ ଖେଳ ଆରମ୍ଭ କରୁଥିଲା ରଜନୀକାନ୍ତ।

ଫେସ୍‌ବୁକ୍‌ ବନ୍ଧୁଙ୍କ ସହିତ ପ୍ରଥମେ ଚାଟିଂ କରୁଥିଲା। କଥା ଆଗକୁ ଗଲା ପରେ ଭିଡିଓ କଲ୍‌ କରୁଥିଲା। ଭିଡିଓ କଲ୍‌ରେ କଥା ହେବା ସମୟରେ ରେକଡିଂ କରି ରଖୁଥିଲା। ପରବର୍ତ୍ତୀ ସମୟରେ ସେହି ଭିଡିଓକୁ ଏଡିଟ୍‌ କରି ଅଶ୍ଲୀଳ କରୁଥିଲା। ସେହି ଭିଡିଓ ଦେଖାଇ ଧମକ୍‌ ଚମକ୍‌ ଦେଉଥିଲା। ଏପରିକି ଟଙ୍କା ଆଦାୟ କରୁଥିଲା। ଟଙ୍କା ନଦେଲେ ଫଟୋ ଓ ଭିଡିଓ ଭାଇରାଲ୍‌ କରିଦେବାକୁ ଧମକ ଦେଉଥିଲା। ସେ ୧୦୦ରୁ ଅଧିକ ଲୋକଙ୍କୁ ନିଜ ମାୟା ଜାଲରେ ଫସାଇ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

ସୋଶାଲ ମିଡ଼ିଆରେ ଖେଳ କରୁଥିବା ରଜନୀକାନ୍ତଙ୍କ ମାୟା ଜାଲ୍‌ରେ ଫସି ଯାଇଥିଲେ ନିଜ ଅଞ୍ଚଳ ତଥା ନାଉଗାଁ ଅଞ୍ଚଳର ଦୁଇ ଜଣ ମହିଳା। ସେ ମହିଳାଙ୍କ ଫଟୋକୁ ସୋଶାଲ ମିଡ଼ିଆରେ ଭାଇରାଲ୍‌ କରିଦେଇଥିଲା। ଏହା ପରେ ସମ୍ପୃକ୍ତ ମହିଳା ଦୁଇ ଜଣ ଗତ ସେପ୍ଟେମ୍ୱର ମାସରେ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଚଳାଇଥିଲା।

ନାଉଗାଁ ଥାନା ପୁଲିସ ପ୍ରଥମେ ମାନସୀ ରାଉତଙ୍କ ନାଁରେ ଥିବା ଫେସ୍‌ବୁକ ଆକାଉଣ୍ଟକୁ ଖେଳାଇଥିଲା। ଏହି ଆକାଉଣ୍ଟଟି କାହାର ଜାଣିବାକୁ ଚାହିଁଥିଲା। ସେଥିପାଇଁ ଫେସ୍‌ବୁକ୍‌କୁ ତଥ୍ୟ ମାଗିଥିଲା। ସେଥିରେ ଥିବା ଗୋଟିଏ ଫୋନ୍‌ ନମ୍ୱର ରଜନୀକାନ୍ତଙ୍କ ସବୁ ଅଙ୍କ ଗଡ଼ବଡ଼ କରିଦେଇଥିଲା। ସେହି ଫୋନ୍‌ ନମ୍ୱରକୁ ଟ୍ରାକ୍‌ କରିଥିଲା ପୁଲିସ୍‌। ଆଉ ଟ୍ରାକ୍‌ରୁ ଜାଣିବାକୁ ପାଇଥିଲା ଫୋନ୍‌ ନମ୍ୱରଟି ରଜନୀକାନ୍ତଙ୍କର ଓ ସେ ବେଙ୍ଗାଲୁରୁରେ ରହୁଛି। ସେ ଘରକୁ ଆସୁଛି। ଏହା ପରେ ନାଉଗାଁ ଥାନା ପୁଲିସ୍‌ ଚୁପ୍‌ ହୋଇ ବସି ଯାଇଥିଲା। ଶନିବାର ରଜନୀକାନ୍ତ ଘରେ ପହଞ୍ଚିଥିଲା। ରବିବାର ତାକୁ ଗିରଫ କରିଥିଲା ପୁଲିସ୍‌। ତା’ ମୋବାଇଲ୍‌କୁ ମଧ୍ୟ ଜବତ କରିଛି।

Related story