ଭୁବନେଶ୍ୱର : ରାଜ୍ୟର ୨୫ଟି ଜିଲ୍ଲାର ୫ ହଜାର ଯୁବକଯୁବତୀଙ୍କୁ ନେଇ ଆରମ୍ଭ ହୋଇଛି ଅଣରାଜନୈତିକ ସଂଗଠନ ‘ୟୁଥ୍ ଫର୍ ଆକ୍ସନ୍’ । ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହାର ଶୁଭାରମ୍ଭ ହେବା ସହ ଲୋଗୋ ଓ ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି ।
ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇଥିଲେ । ସଂଗଠନର ଆଗାମୀ ୧୦୦ ଦିନିଆ କାର୍ଯ୍ୟପନ୍ଥା ସ୍ଥିର ହୋଇଥିବା ବେଳେ ସେହି ଅନୁସାରେ କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରକୁ କ୍ଷୁଧାମୁକ୍ତ କରିବା ସହ ସ୍ୱଚ୍ଛ ଭାରତ ଅଭିଯାନକୁ ଆଗେଇ ନେବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ହେଲ୍ଥ କ୍ୟାମ୍ପ ବି ଆୟୋଜନ ହେବ ।
କାର୍ଯ୍ୟକ୍ରମରେ ଧାବିକା ଦୂତି ଚାନ୍ଦ ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ପ୍ରମୁଖ ସାମିଲ ହୋଇଥିଲେ।