ଭଦ୍ରକ(ପାର୍ଥସାରଥୀ ନାୟକ): ଘର ପଛ ପାର୍ଶ୍ୱ ବାଉଁଶ ବାଡ଼ିରେ ଝୁଲୁଛି ନର କଙ୍କାଳ। ତେବେ ଏହି ନର କଙ୍କାଳଟି କାହାର? କିଏ ଓ କାହିଁକି ଝୁଲି ପଡ଼ିଲେ ବାଉଁଶ ବାଡ଼ିରେ? ଏମିତି ଆଲୋଚନା ଭିତରେ ଏହି ନରକଙ୍କାଳଟି ଦେଢ଼ ମାସ ତଳେ ନିଖୋଜ ଥିବା ଯୁବକ ଖଗେଶ୍ୱର ନାୟକଙ୍କର ବୋଲି ସନ୍ଦେହ କରାଯାଉଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଦେହୁଡି ଆନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଛି।
ଶୁଣିବାକୁ ମିଳୁଛି, ଆନନ୍ଦପୁରର ହାତିବାଡି ଗାଁର ଖଗେଶ୍ୱର ନାୟକ ମୋବାଇଲରେ ଫ୍ରି ଫାୟାର ଓ ଆକ୍ୱା ଲୁଡୋ ଗେମ୍ ଖେଳୁଥିଲେ। ହେଲେ ଖେଳରେ ସେ ବାରମ୍ୱାର ବିଫଳ ହେଉଥିଲେ। ଯେଉଁଥିପାଇଁ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟୁଥିଲେ। ଆକାଉଣ୍ଟରୁ ପ୍ରାୟ ୨୦ ହଜାର ଟଙ୍କା କଟି ଯାଇଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କୁ ତାଗିଦ୍ କରିଥିଲେ। ଏହା ପରେ ଖଗେଶ୍ୱର ମୋବାଇଲ୍ ରଖି କେଉଁଆଡ଼େ ଚାଲି ଯାଇଥିଲେ।
୨୦୨୧ ଡିସେମ୍ବର ୧୯ ତାରିଖରୁ ଖଗେଶ୍ୱର ନିଖୋଜ ଥିଲେ। ପୁଅ ନିଖୋଜ ନେଇ ପରିବାର ଲୋକେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେବଳ ମାମଲା ରୁଜୁ କରିଦେଇ ଚୁପ୍ ବସିଥିଲା। ହେଲେ ଖଗେଶ୍ୱରଙ୍କୁ ଖୋଜିନଥିବା ଅଭିଯୋଗ ହୋଇଛି। ପୁଅ ନିଖୋଜ ହେବାକୁ ଦେଢ଼ ମାସ୍ରୁ ଅଧିକ ସମୟ ବିତି ଗଲାଣି। ହେଲେ ପୁଅର ପତ୍ତା ପାଇନଥିଲେ ପରିବାର ଲୋକ। ଶେଷରେ ହାତ ବାନ୍ଧି ଘରେ ବସିଥିଲେ।
ଆଜି ପରିବାର ଲୋକ ଛପର କରିବା ପାଇଁ ଘର ପଛ ପାର୍ଶ୍ୱରେ ବାଡ଼ିକୁ ବାଉଁଶ ହାଣିବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ନରକଙ୍କାଳ ଝୁଲୁଥିବା ଦେଖିବାକୁ ପାଇଥିଲେ। କଙ୍କାଳ ନିକଟରେ ପଡ଼ିଥିବା ଜୋତା ଓ ଲୁଗାକୁ ଦେଖିଲେ ନିଖୋଜ ଖଗେଶ୍ୱରଙ୍କର ବୋଲି ସନ୍ଦେହ କରାଯାଉଛି। ପୁଲିସ ନରକଙ୍କାଳକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରୁଛି।