ସୋର(ନିରଞ୍ଜନ ବେହେରା): ବିବାହିତା ମହିଳାଙ୍କ ପ୍ରେମରେ ପାଗଳ ଯୁବକ ଘଟାଇଲେ ନାରକୀୟ କାଣ୍ଡ। ନିଜ ପ୍ରେମକୁ ପାଇବାକୁ ସାଜିଲେ ହତ୍ୟାକାରୀ। ଏପରିକି ରାସ୍ତାରେ କଣ୍ଟା ସାଜିଥିବା ପ୍ରେମିକାଙ୍କ ୨ ବର୍ଷୀୟ ଝିଅର ତଣ୍ଟି ଚିପିବାକୁ ପଛାଇଲେ ନାହିଁ । ଏପରି ଲୋମଟାଙ୍କୁରା ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭୂଇଁପଡା ଗ୍ରାମରେ ଘଟିଛି।
ଖନ୍ତାପଡ଼ା ଥାନା ଭୂଇଁପଡା ଗ୍ରାମର ଅନାଦି ଦାସଙ୍କ ଘରେ ପ୍ରାୟ ମାସେ ହେବ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା କାମ କରୁଥିଲେ। ଏହା ମଧ୍ୟରେ ଅନାଦିଙ୍କ ପୁଅ ମନୋଜଙ୍କର ଉକ୍ତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ମନୋଜ ଅବିବାହିତ ଥିବା ବେଳେ ମହିଳାଜଣଙ୍କର ଏକ ୨ ବର୍ଷର ଝିଅ ବି ଥିଲା। ସ୍ୱାମୀ ଛାଡ଼ି ଦେଇଥିବାରୁ ସେ ଅନାଦି ଦାସଙ୍କ ଘରେ କାମ କରି ନିଜର ଓ ଝିଅର ପେଟ ପୋଷୁଥିଲେ। ହେଲେ ସମ୍ପୃକ୍ତ ମହିଳାଙ୍କ ପ୍ରେମରେ ପାଗଳ ମନୋଜ ତାଙ୍କୁ ପାଇବାକୁ ତାଙ୍କ ଝିଅକୁ ରାସ୍ତାରୁ ହଟାଇବାକୁ ମନେ ମନେ ସ୍ଥିର କରିଥିଲେ । ଏଥିନିମନ୍ତେ ଯୋଜନା ପ୍ରସ୍ତୁତିରେ ବି ସେ ଲାଗି ପଡ଼ିଥିଲେ ।
ଗତ ୭ ତାରିଖରେ ଝିଅଟି ଏକୁଟିଆ ଖେଳୁଥିବା ବେଳେ କିଛି ସମୟ ପରେ ସେ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମନୋଜ ପାଟି କରି ସମସ୍ତଙ୍କୁ ଡାକିବାରୁ ଗୁରୁତର ଅବସ୍ଥାରେ ପିଲାଟିକୁ ପ୍ରଥମେ ଶେରଗଡ଼ ପରେ ନିଳଗିରି ଓ ସେଠାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଥିଲେ।
[caption id="attachment_796092" align="aligncenter" width="650"] ଗିରଫ ପ୍ରେମିକ[/caption]
ପିଲାଟିର ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜୁଥିବା ବେଳେ ଏ ନେଇ ସୋର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ସେତେବେଳେ ଝିଅଟି ଖେଳୁଥିବା ବେଳେ ତଳେ ପଡ଼ି ପ୍ରାଣ ହରାଇଥିବା ନିଜ ସଫେଇରେ ମନୋଜ କହୁଥିଲେ।
ହେଲେ ନିଜ ଝିଅକୁ କେହି ହତ୍ୟା କରିଥିବା ନେଇ ମହିଳାଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପିଲାଟିର ତଣ୍ଟି ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।
ପୁଲିସ୍ ଘଟଣାର ତଦନ୍ତ କରି ମନୋଜଙ୍କୁ ଗିରଫ କରିଛି। ଜୋସ୍ନାରାଣୀଙ୍କୁ ବାହା ହେବା ପାଇଁ ତାଙ୍କ ପିଲାଟିକୁ ସେ ମାରି ଦେଇଥିବା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।