ଆଳି (ବନମାଳି ସାହୁ): ପ୍ରେମ କରି ବିବାହ କରିଥିଲେ। ସୁଖର ସାଂସାର ଚାଲୁଥିବା ବେଳେ ଅବେଳରେ ଚାଲିଗଲେ ସ୍ୱାମୀ। ଆଉ ଅସହାୟ ହୋଇପଡ଼ିଥିଲେ ପ୍ରେମିକାରୁ ପତ୍ନୀ ବନିଥିବା କାଜଲ୍ ସେଠୀ। ତାଙ୍କର ଏ ଦୁଃଖ ଦେଖିପାରିଲେ ନାହିଁ ଶାଶୂ ଓ ଶ୍ୱଶୁର। ଆବୁଧାବିରେ ଚାକିରି କରୁଥିବା ସାନ ପୁଅକୁ ଡାକି ତାଙ୍କ ସହ ବାହାଘର କରାଇ ଥିଲେ। ସିନ୍ଦୂର ଦେଲେ ଦିଅର। ଆଜି ଏପରି ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରୁ।
୬ ବର୍ଷ ତଳେ ଆଳି ବ୍ଲକ୍ କୁମ୍ଭାରଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲ ସେଠୀ ସେହି ଗାଁର କାଜଲ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ସୁନୀଲ ନିଜ କାମରେ ବ୍ୟସ୍ତ ହୋଇଗଲେ ଓ କାଜଲ ଶାଶୂ, ଶ୍ୱଶୁର ଏବଂ ଘର କାମରେ ନିଜକୁ ନିୟୋଜିତ କରୁଥିଲେ। ବେଶ୍ ହସ ଖୁସିରେ ଚାଲିଥିଲା ପାରିବାରିକ ସାଂସଦର ରଥ। ପରେ ମାଆ ହେଲେ କାଜଲ। ତିନି ଛୁଆ, ସ୍ୱାମୀ, ଶାଶୂ ଓ ଶ୍ୱଶୁରକୁ ସୁଖର ସଂସାର ଗଢ଼ୁଥିବା କାଜଲଙ୍କ ଭାଗ୍ୟ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ।
ପ୍ରେମିକରୁ ସାତ ଜନମର ଜୀବନ ସାଥୀ ବନିଥିବା ସୁନୀଲ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ସୁନୀଲଙ୍କୁ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଭାଙ୍ଗି ପଡ଼ିଥିଲେ କାଜଲ ଓ ତାଙ୍କ ପରିବାର ଲୋକେ। ବହୁ ଚିକିତ୍ସା କରାଯାଇଥିଲେ ମଧ୍ୟ ସୁନୀଲଙ୍କ ଜୀବନ ବଞ୍ଚାଇ ପାରିନଥିଲେ ଡାକ୍ତର। ଦେଢ଼ ବର୍ଷ ତଳେ କାଜଲ୍ଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ ସୁନୀଲ। ଆଉ ଭାଙ୍ଗି ଗଲା କାଜଲଙ୍କର ସବୁ ସ୍ୱପ୍ନ। ସମ୍ପୂର୍ଣ୍ଣ ବେସାହାରା ହୋଇଗଲେ। ସିନ୍ଥିରୁ ଲିଭିଗଲା ସିନ୍ଦୂର। କୁନି କୁନି ତିନି ପିଲା ବାପା ଛେଉଣ୍ଡ ହୋଇଗଲେ। ସେପଟେ ତିନି ପିଲା ଓ ବୋହୂ କାଜଲଙ୍କ ଭବିଷ୍ୟତ ନେଇ ଚିନ୍ତିତ ହୋଇପଡ଼ିଲେ ପୁରୁଷୋତ୍ତମ ଏବଂ ତାଙ୍କ ପତ୍ନୀ ଶାନ୍ତିଲତା।
[caption id="attachment_797521" align="aligncenter" width="650"] ପରିବାର ଲୋକଙ୍କ ସହ[/caption]
ଅନ୍ୟପକ୍ଷରେ ବଡ଼ଭାଇ ସୁନୀଲଙ୍କ ମୃତ୍ୟୁ ଖବର ପାଇ ଆବୁଧାବିରେ ରହୁଥିବା ସାନ ଭାଇ ଅନୀଲ୍ ଭାଙ୍ଗି ପଡ଼ିଥିଲେ। ଫୋନ୍ କଲ ପାଇ ସେ ଘରକୁ ଫେରି ଆସିଥିଲେ। ଘରେ ପହଞ୍ଚିବା ପରେ କାଜଲଙ୍କ ସହିତ ବିବାହ ପାଇଁ ଅନୀଲଙ୍କୁ ପ୍ରସ୍ତାବ ଦେଇଥିଲେ ବାପା ପୁରୁଷୋତ୍ତମ ଓ ମାଆ। ପ୍ରଥମେ ରାଜି ହେଉନଥିବା କାଜଲ ପରେ ହଁ ମାରିଥିଲେ। ଏହା ପରେ ଅନୀଲ ମଧ୍ୟ ବାପା ମାଆଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଉଭୟ(କାଜଲ ଓ ଅନୀଲ୍) ପରିବାର ଲୋକଙ୍କ ସହମତିରେ ଆଜି ଜଗନ୍ନାଥ ମନ୍ଦିରରେ ପଡ଼ିଛି ହାତ ଗଣ୍ଠି। କାଜଲଙ୍କ ସିନ୍ଥିରେ ସିନ୍ଦୂର ଦେଇଛନ୍ତି ଅନୀଲ୍। ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କାଲଜଙ୍କୁ ପତ୍ନୀ ଭାବେ ଗ୍ରହଣ କରିଛନ୍ତି ଅନୀଲ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।