ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଜି ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନ। ଏହି ୧୪ ନଭେମ୍ବରକୁ ମଧ୍ୟ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ଶିଶୁମାନଙ୍କୁ ପ୍ରତି ନେହରୁଙ୍କ ସମ୍ପର୍କ ଥିଲା ନିବିଡ଼। ପିଲାମାନଙ୍କୁ ନେହରୁ ଖୁବ୍ ସ୍ନେହ କରୁଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ୧୯୬୪ ମସିହା ପୂର୍ବରୁ ଭାରତରେ ନଭେମ୍ବର ୨୦ରେ ଶିଶୁ ଦିବସ ପାଳନ କରାଯାଉଥିଲା। ତେବେ ପଣ୍ଡିତ ନେହରୁଙ୍କ ଦେହାନ୍ତ ପରେ ଅର୍ଥାତ ୧୯୬୪ ମସିହା ପର ଠାରୁ ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଦେବାକୁ ତାଙ୍କ ଜନ୍ମଦିନ ନଭେମ୍ବର ୧୪କୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।
ନେହରୁଙ୍କ ମତରେ ଶିଶୁ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ନେହରୁଙ୍କ ପିତା ମୋତିଲାଲ ନେହରୁ ବାରିଷ୍ଟର ଥିଲେ। ତାଙ୍କ ପରିବାରର ସଦସ୍ୟ କାଶ୍ମୀର ପଣ୍ଡିତ ଥିଲେ। ୪ ଭାଇ ଭଉଣୀଙ୍କ ମଧ୍ୟରେ ନେହରୁ ସବୁଠୁ ବଡ଼ ଥିଲେ। ନେହରୁ ଶିକ୍ଷା ଘରୁ ଆରମ୍ଭ ହୋଇଥିଲା। ନେହରୁ ଇଂଲିସ, ହିନ୍ଦୀ ଏବଂ ସଂସ୍କୃତରେ ଶିକ୍ଷା ଲାଭ କରିଥିଲେ। ବାଲ୍ୟାବସ୍ଥାରେ ଗୃହଶିକ୍ଷକଙ୍କ ତତ୍ୱାବଧାନରେ ସେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ।
ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କୁ ଦୁଇ ଥର ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ସାଇମନ କମିଶନଙ୍କୁ ବିରୋଧ କରି ସେ ୧୯୨୮ମସିହାରେ ପୁଲିସ ଲାଠି ମାଡ଼ ଖାଇଥିଲେ। ସେହି ବର୍ଷ ଜବାହରଲାଲ ନେହରୁ ଗଠନ କରିଥିଲେ “ଭାରତ ସ୍ୱାଧୀନତା ଲିଗ୍”। ଯାହା ଭାରତରୁ ବ୍ରିଟିଶ ଶାସନର ସମ୍ପୂର୍ଣ୍ଣ ବିଲୋପ ପାଇଁ ଦାବି କରିଥିଲା। ଆଉ ସେ ଏହାର ସାଧାରଣ ସମ୍ପାଦକ ହୋଇଥିଲେ। ୧୯୨୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନ ଲାହୋରଠାରେ ଅନୁଷ୍ଠିତ ହେଲା।
ଏହି ଅଧିବେଶନରେ ଜବାହରଲାଲ ନେହରୁ ଦଳର ସଭାପତି ଭାବେ ମନୋନୀତ ହୋଇଥିଲେ। ପଣ୍ଡିତ ନେହରୁ ଅନେକ ବାର ଜେଲ ବରଣ କରିଛନ୍ତି। ୧୯୪୨ ମସିହା ଅଗଷ୍ଟ ୭ରେ ମୁମ୍ବାଇଠାରେ ଏଆଇସିସିର ଅଧିବେଶନ ବସିଥିଲା। ଏହି ଅଧିବେଶନରେ ପଣ୍ଡିତ ନେହରୁ “ଭାରତ ଛାଡ” ପ୍ରସ୍ତାବ ଆଗତ କରିଥିଲେ । ୧୯୪୨ ଅଗଷ୍ଟ ୮ରେ ନେହରୁ ଓ ଅନ୍ୟ ନେତାମାନଙ୍କୁ ପୁଲିସ ଗିରଫ କରି ଅହମ୍ମଦନଗର ଦୁର୍ଗକୁ ନେଇଯାଇଥିଲା। ଏହା ଥିଲା ତାଙ୍କର ଶେଷ ଓ ଦୀର୍ଘତମ ଜେଲ ଅବସ୍ଥାନ। ସର୍ବମୋଟ ସେ ୯ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ।