ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁସାରେ, ଏଥର ଦୀପାବଳିରେ ରାତି ୮ରୁ ୧୦ ଟା ପର୍ଯ୍ୟନ୍ତ କେହି ବାଣ ଫୁଟାଇ ପାରିବେ। ତେବେ ପ୍ରତିବର୍ଷ ଦୀପାବଳି ଆସିବା ମାତ୍ରେ, ବିଶେଷ କରି ସହରାଞ୍ଚଳରେ ଏହି ବାଣ ଫୁଟାଇବାକୁ ନେଇ ବହୁ ବିତର୍କ ହୋଇଥାଏ।
ସହରରେ ବାଣ ନ ଫୁଟାଇବାକୁ ନେଇ ଉଠୁଥିବା ଆପତ୍ତି ପଛରେ ଏକ ବିଶେଷ କାରଣ ରହିଛି। ଯେହେତୁ ଏହି ସମୟରେ ଶୀତ ଋତୁ ଆରମ୍ଭ ହୋଇଥାଏ, ତେଣୁ ଆକାଶରେ କୁହୁଡି ଏବଂ ଗାଡ଼ି ଓ କାରଖାନାରୁ ନିର୍ଗତ ଧୂଆଁ ପୂର୍ବରୁ ହିଁ ରହିଥାଏ। ଅଧିକାଂଶ ସ୍ଥାନରେ ସନ୍ଧ୍ୟାରେ ଏହି ଧୂଆଁର ମାତ୍ରା ବଢ଼ିଯାଏ। ଏହି ଧୂଆଁ ସହିତ ଦୀପାବଳିରେ ବାଣର ଧୂଆଁ ମିଶି ଯିବାରୁ, ଏହା ଅନେକ ଦିନ ଯାଏ ଆକାଶକୁ ଆଚ୍ଛନ୍ନ କରି ରଖିଥାଏ।
କିନ୍ତୁ ଇତିହାସ କୁହେ, ବାଣର ଆବିଷ୍କାର ବହୁତ୍ ପୁରୁଣା। ଚୀନ୍ରେ ୧୬୦୦ ଶତାବ୍ଦୀରେ ପୋଟାସିୟମ୍ ନାଇଟ୍ରେଟ୍ ଓ ସଲ୍ଫର୍ ମିଶାଇ ପ୍ରଥମେ ବାରୁଦ ଏବଂ ପରେ ବାରୁଦରୁ ବାଣ ତିଆରି ହୋଇଥିଲା
ବାଣର ଇତିହାସ
୧୫୦୦ ଶତାବ୍ଦୀରେ ଭାରତରେ ବାଣ ଫୁଟିବା ଆରମ୍ଭ ହୋଇଥିବାର ପ୍ରମାଣ ରହିଛି। ସେତେବେଳର ବିଭିନ୍ନ ପାରମ୍ପରିକ ଚିତ୍ରରେ ଝୁର୍ଝୁରି ଓ ତାଳ ଫୋଟକା ବାଣ ଦେଖିବାକୁ ମିଳିଥାଏ। ତେବେ ଯେଉଁ ସମୟରେ ବାଣର ଚିତ୍ର ଆମେ ଦେଖିବାକୁ ମିଳୁଛି, ସେହି ସମୟରେ ବାଣର ଆବିଷ୍କାର ସମ୍ପର୍କରେ କୌଣସି ଲିଖିତ ସାହିତ୍ୟ ନାହିଁ।
ପର୍ତ୍ତୁଗୀଜ୍ ପରିବ୍ରାଜକ Duarte Barbosaଙ୍କ କହିବା ଅନୁସାରେ, ୧୫୧୮ରେ ଗୁଜରାଟର ଏକ ବ୍ରାହ୍ମଣ ପରିବାରରେ ବିବାହ ଉତ୍ସବରେ ବାଣ ଫୁଟା ଯାଇଥିଲା। ସେହି ସମୟରେ ବାଣର ବ୍ୟବହାର ବହୁଳ ହେଉଥିବାର କୁହାଯାଏ।
ବାଣର ବ୍ୟବହାର ଦେଶର ଗୋଟିଏ ଭାଗରେ ସୀମିତ ନୁହେଁ। ଅଲଗା ଅଲଗା ଅଞ୍ଚଳ ଗସ୍ତ ପରେ ଐତିହାସିକ ଗୌଡ଼ ଜାଣିବାକୁ ପାଇଲେ ଯେ, ଓଡ଼ିଶାରେ ମଧ୍ୟ ବାରୁଦ ତିଆରି ହେଉଥିବା ସାମଗ୍ରୀ ରହିଛି।
ଏହି କଥା ୧୬୦୦ ଶତାବ୍ଦୀର ଏକ ସଂସ୍କୃତ ଦସ୍ତାବିଜରେ ଲେଖାଯାଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ବାରୁଦ ତିଆରି ସାମଗ୍ରୀରେ ଗୋମୂତ୍ରକୁ ମଧ୍ୟ ସାମିଲ୍ କରାଯାଇଥିଲା।
କିନ୍ତୁ ଏହାର ୩୦୦ ବର୍ଷ ପରେ ଯେଉଁ ଦସ୍ତାବିଜ ଲେଖାଯାଇଥିଲା, ସେଥିରେ ଗୋମୂତ୍ରକୁ ସ୍ଥାନ ଦିଆଯାଇ ନ ଥିଲା।
ନିଜ ପୁସ୍ତକରେ ଐତିହାସିକ ଗୌଡ଼ ମରାଠୀ ସନ୍ଥ ଏକନାଥଙ୍କର ଏକ କବିତାକୁ ସ୍ଥାନ ଦେଇଛନ୍ତି। ୧୫୭୦ରେ ଲେଖିତ ଏହି କବିତା ଅନୁସାରେ, ଶ୍ରୀକୃଷ୍ଣ ଓ ରୁକ୍ମିଣୀଙ୍କ ବିବାହରେ ବାଣ ଫୁଟା ଯାଇଥିଲା।
ବାଣ ଫୁଟାଇବା ପରମ୍ପରା କିପରି ଗୋଟିଏ ଶତାବ୍ଦୀରୁ ଅନ୍ୟ ଏକ ଶତାବ୍ଦୀରେ ପହଞ୍ଚିଲା ଏବଂ ଏହାର ରୂପ କେଉଁ ସମୟରେ ପରିବର୍ତ୍ତନ ହୋଇ ରଙ୍ଗୀନ ହେଲା, ତାହା ଖୋଜି ବାହାର କରିବାର ଦାୟିତ୍ୱ ଐତିହାସିକ ପିକେ ଗୌଡ଼ ନିଜ ପରବର୍ତ୍ତୀ ପିଢ଼ିର ଗବେଷକଙ୍କ ଉପରେ ଛାଡ଼ି ଦେଇଛନ୍ତି।