ଛାତିରେ ୧୧ ଗୁଳିଖାଇ ବହୁ ସାଂସଦଙ୍କ ଜୀବନ ବଞ୍ଚାଇଥିଲେ କମ୍‌ଲେଶ କୁମାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତୀୟ ଇତିହାସ ଅନେକ ସାହସୀ ନାରୀଙ୍କ ଉଦାହରଣରେ ସମୃଦ୍ଧ। ସେଦିନ ଝାନ୍‌ସୀର ରାଣୀ ଲକ୍ଷ୍ମୀ ବାଈ କାନ୍ଧରେ ନିଜ ପୁଅକୁ ଝୁଲାଇ ଯୁଦ୍ଧଭୂମିକୁ ଓହ୍ଲାଇଥିଲେ। ସେ ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସେଦିନର ସାହସୀ ଲକ୍ଷ୍ମୀବାଇଙ୍କ ଭଳି ଆଉ ଜଣେ ନାରୀ ଯୋଦ୍ଧା ଦେଶ ମାତୃକାର ସେବା କରି ନିଜ ଜୀବନକୁ ଝାସ ଦେଇଥିଲେ। କିନ୍ତୁ ସେହି ବୀରାଙ୍ଗନାଙ୍କ ବିଷୟରେ ଖୁବ କମ ଚର୍ଚ୍ଚା ହୋଇଛି। ବହୁଚର୍ଚ୍ଚିତ ସଂସଦ ଆତଙ୍କୀ ଆକ୍ରମଣ […]

dd

dd

Tapas Behera
  • Published: Tuesday, 25 December 2018
  • Updated: 25 December 2018, 09:49 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଭାରତୀୟ ଇତିହାସ ଅନେକ ସାହସୀ ନାରୀଙ୍କ ଉଦାହରଣରେ ସମୃଦ୍ଧ। ସେଦିନ ଝାନ୍‌ସୀର ରାଣୀ ଲକ୍ଷ୍ମୀ ବାଈ କାନ୍ଧରେ ନିଜ ପୁଅକୁ ଝୁଲାଇ ଯୁଦ୍ଧଭୂମିକୁ ଓହ୍ଲାଇଥିଲେ। ସେ ଇଂରେଜମାନଙ୍କ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସେଦିନର ସାହସୀ ଲକ୍ଷ୍ମୀବାଇଙ୍କ ଭଳି ଆଉ ଜଣେ ନାରୀ ଯୋଦ୍ଧା ଦେଶ ମାତୃକାର ସେବା କରି ନିଜ ଜୀବନକୁ ଝାସ ଦେଇଥିଲେ। କିନ୍ତୁ ସେହି ବୀରାଙ୍ଗନାଙ୍କ ବିଷୟରେ ଖୁବ କମ ଚର୍ଚ୍ଚା ହୋଇଛି।

ବହୁଚର୍ଚ୍ଚିତ ସଂସଦ ଆତଙ୍କୀ ଆକ୍ରମଣ ବେଳେ ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଥିବା ସେହି ମହିଳା ଜଣକ ହେଉଛନ୍ତି ସିଆରପିଏଫ୍‌ କନଷ୍ଟେବଳ କମ୍‌ଲେଶ କୁମାରୀ ୟାଦବ। ମୃତ୍ୟୁ ପରେ ହେଉ ପଛେ ନିଜ ବୀରତ୍ୱ ଏବଂ ସାହସ ପାଇଁ ପ୍ରଥମ ମହିଳା ଭାବେ ତାଙ୍କୁ ଅଶୋକ ଚକ୍ରରେ ସମ୍ମାନିତ କରାଯାଇଥିଲା।

୨୦୦୧ ଡିସେମ୍ବର ୧୩ ତାରିଖରେ ଆତଙ୍କବାଦୀମାନେ ସଂସଦ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଆତଙ୍କବାଦୀ ଫେକ୍ ପାସ୍ ଜରିଆରେ କାର୍ ଯୋଗେ ସଂସଦ ମଧ୍ୟକୁ ପ୍ରବେଶ କରିଥିଲେ । ତେବେ ଅନ୍ୟ ସୁରକ୍ଷା କର୍ମୀଙ୍କ ସହ କମଲେଶ ମଧ୍ୟ ସଂସଦର ସୁରକ୍ଷା ପାଇଁ ଆଇରନ୍‌ ଗେଟ ନଂ ୱାନ୍‌ରେ ନିଯୋଜିତ ହୋଇଥିଲେ।

ପରିଦର୍ଶକମାନଙ୍କୁ ଯାଞ୍ଚ କରି ଭିତରକୁ ପ୍ରବେଶ କରାଇବା ତାଙ୍କର କାମ ଥିଲା। ଏହି ଗେଟ୍‌ ଦେଇ ମନ୍ତ୍ରୀ, ସଂସଦ ସଦସ୍ୟ ଏବଂ ଭିଭିଆଇପିମାନେ ପ୍ରବେଷ କରିଥାନ୍ତି। ହେଲେ ସେଦିନ ସାଂସଦ ଏବଂ ବରିଷ୍ଠ ଅଧିକାରୀ ବ୍ୟବହାର କରୁଥିବା ଗାଡ଼ିର ଅବିକଳ ନକଲ ଏବଂ ନକଲି ପାସ୍ ଷ୍ଟିକର ବ୍ୟବହାର କରି ଆତଙ୍କବାଦୀ ସଂସଦ ଭବନରେ ପ୍ରବେଶ କରିଥିଲେ।

ସେହି ସମୟରେ ଭବନ ପରିସରରେ ତତ୍କାଳୀନ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହ ଅନେକ ସାଂସଦ ଏବଂ ୧୦୦ରୁ ଉର୍ଦ୍ଧ୍ଵ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏକେ-47 ରାଇଫଲ, ଗ୍ରେନେଡ଼ ଏବଂ ପିସ୍ତଲ ସହ ଆତଙ୍କବାଦୀ ପ୍ରବେଶ କରିଥିଲେ। ହେଲେ ଯେତେବେଳେ ଆତଙ୍କବାଦୀମାନେ ଏକ ଧଳା କାରରେ ଭିତରେ ପ୍ରବେଶ କରି ସାଇରନ୍‌ ବଜାଇଲେ। ସଙ୍ଗେ ସଙ୍ଗେ ସଜାଗ୍ ହୋଇଗଲେ କମଲେଶ କୁମାରୀ। ସନ୍ଦେହ କରି ସେ ନିଜ୍‌ ୱାକି-ଟକିରେ ବଡ଼ ଜୋରରେ ଚିତ୍କାର କରି ଅନ୍ୟ ସୁରକ୍ଷାକର୍ମୀଙ୍କୁ ସତର୍କ କରି ଦେଇଥିଲେ। ଏହି ସମୟରେ ସେ ଆତଙ୍କବାଦୀଙ୍କ ପ୍ରଥମ ଗୁଳିର ଶିକାର ହୋଇଥିଲେ। ତାଙ୍କ ଶରୀରରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ, ୧୧ଟି ଗୁଳି ଉତାରି ଦେଇଥିଲେ।

୫ଜଣ ଆତଙ୍କବାଦୀ ସଂସଦ ଭିତରେ ପଶି ୪୫ ମିନିଟ୍‌ ଧରି ଗୁଳି ବର୍ଷା କରିଥିଲେ। ଏହି ଘଟଣା ପୁରା ଭାରତକୁ ସ୍ତବ୍ଧ କରିଦେଇଥିଲା। ତେବେ ଆତଙ୍କବାଦୀଙ୍କ ସହ ଲଢେଇ କରି ୫ଜଣ ଆତଙ୍କବାଦୀଙ୍କୁ ଭାରତୀୟ ଯବାନମାନେ ନିପାତ କରିଥିଲେ। ଏହି ଆକ୍ରମଣରେ କମଲେଶଙ୍କ ସମେତ ୮ଜଣ ଯବାନ ସହିଦ ହୋଇଥିଲେ। ଯାହାଙ୍କ ପାଇଁ ଆଡ଼ଭାନୀଙ୍କ ସମେତ ଅନେକ ସାଂସଦଙ୍କ ଜୀବନ ବଞ୍ଚିଯାଇଥିଲା।

ଏହି ଆକ୍ରମଣରେ ୧୮ରୁ ଅଧିକ ଆହତ ହୋଇଥିଲେ। ଲସ୍କର ଏ ତାଇବା ଏବଂ ଜୈସ ଏ ମହମ୍ମଦ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ। ଯାହାକୁ ପରୋକ୍ଷ ଭାବେ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ସମର୍ଥନ କରିଥିଲା। ନିଜର ସାହସ ଓ ବୀରତ୍ୱ ପାଇଁ କମଲେଶଙ୍କୁ ୨୦୦୨ରେ ବାଜପେୟୀ ସରକାର ତାଙ୍କୁ ସର୍ବୋଚ୍ଚ ସାମରିକ ସମ୍ମାନ ‘ଅଶୋକ ଚକ୍ର’ରେ ସମ୍ମାନିତ କରିଥିଲେ। ଏହି ଦୁଃସାହସିକ କାର୍ଯ୍ୟ ପାଇଁ କମଲେଶଙ୍କ ନାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ତାହା ନିଃସନ୍ଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos