କେନ୍ଦୁଝର ଗାଁ ଝଲମଲ, ସୁନ୍ଦରଗଡ଼ ଗାଁ ଅନ୍ଧାର

କୋଇଡ଼ା (ସୁନୀଲ୍‌ ପଣ୍ଡା): ଘର ବାରଣ୍ଡାରେ ଥିବା କାଠ ଖୁଣ୍ଟରେ ଝୁଲୁଛି ଲଣ୍ଠନ୍‌। ଆଉ ଅପେକ୍ଷା କରିଛି ସଞ୍ଜକୁ। ଅନ୍ଧକାର ଭିତରେ ସେ ନିଜେ ଜଳୁଛି ଓ ଅନ୍ୟକୁ ଆଲୋକ ଦେଉଛି। ଆଉ ତା’ରି ପାଖରେ ବସି ପାଠ ପଢ଼ୁଛନ୍ତି କୁନା, କୁନି, ମିନା, ମିନି…। ଏ ଚିତ୍ର ଗୋଟିଏ ଘରର ନୁହେଁ, ପୂରା ଗାଁର। ସଞ୍ଜ ନଇଁଲେ ପୂରା ଗାଁରେ ଅନ୍ଧକାର ଛାଇ ହୋଇଯାଉଥିବା ବେଳେ ଝାଟିମାଟିର ଖପର ଘର ଭିତରେ ଦପ୍‌ ଦପ୍‌ ହୋଇ […]

Lanthin

Lanthin

Manoranjan Sial
  • Published: Friday, 12 August 2022
  • Updated: 12 August 2022, 08:28 PM IST

Sports

Latest News

କୋଇଡ଼ା (ସୁନୀଲ୍‌ ପଣ୍ଡା): ଘର ବାରଣ୍ଡାରେ ଥିବା କାଠ ଖୁଣ୍ଟରେ ଝୁଲୁଛି ଲଣ୍ଠନ୍‌। ଆଉ ଅପେକ୍ଷା କରିଛି ସଞ୍ଜକୁ। ଅନ୍ଧକାର ଭିତରେ ସେ ନିଜେ ଜଳୁଛି ଓ ଅନ୍ୟକୁ ଆଲୋକ ଦେଉଛି। ଆଉ ତା’ରି ପାଖରେ ବସି ପାଠ ପଢ଼ୁଛନ୍ତି କୁନା, କୁନି, ମିନା, ମିନି...। ଏ ଚିତ୍ର ଗୋଟିଏ ଘରର ନୁହେଁ, ପୂରା ଗାଁର। ସଞ୍ଜ ନଇଁଲେ ପୂରା ଗାଁରେ ଅନ୍ଧକାର ଛାଇ ହୋଇଯାଉଥିବା ବେଳେ ଝାଟିମାଟିର ଖପର ଘର ଭିତରେ ଦପ୍‌ ଦପ୍‌ ହୋଇ ଜଳେ ଲଣ୍ଠନ ଓ ଡିବିରି। ଦେଶ ଏବେ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏପରି ଚିତ୍ର ଆସିଛି ଖଣି ଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ କଦମଢ଼ି ଗାଁରୁ। ଆଜି ପର୍ଯ୍ୟନ୍ତ ଏହି ଗାଁରେ ପହଞ୍ଚି ପାରିନି ବିଦ୍ୟୁତ ଆଲୁଅ। ହେଲେ ଏହି ଗାଁର ସୀମାକୁ ଲାଗିଥିବା ପଡ଼ୋଶୀ କେନ୍ଦୁଝର ଜିଲ୍ଲାର ଗାଁ ବିଦ୍ୟୁତ ଆଲୁଅରେ ଝଲମଲ ହେଉଛି।

କୋଇଡ଼ା ବ୍ଲକ୍‌ କାର୍ଯ୍ୟାଳୟଠାରୁ ୧୮ କିଲୋମିଟର ଗଲେ ପଡ଼ିବ ପାଟମୁଣ୍ଡା ପଞ୍ଚାୟତର କଦମଢ଼ି ଗାଁ। ଏହି ଗାଁରେ ୧୦୨ରୁ ଅଧିକ ପରିବାର ବାସ କରୁଛନ୍ତି। ସମସ୍ତେ ମୂଲ ଲାଗି ପରିବାର ଭରଣ ପୋଷଣ କରୁଛନ୍ତି। ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଏହି ଗାଁକୁ ରାସ୍ତା ତିଆରି ହୋଇପାରିନି। କଚ୍ଚା ଜଙ୍ଗଲି ରାସ୍ତାରେ ଲୋକମାନେ ଜୀବନକୁ ବାଜି ଲଗାଇ ଯିବା ଆସିବା କରୁଛନ୍ତି। ଏନେଇ ଗାଁ ଲୋକେ ଅଧିକାରୀଙ୍କଠାରୁ ଜନପ୍ରତିନିଧିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ମିଳୁନାହିଁ ବୋଲି କହିଛନ୍ତି।

କଦମଢ଼ି ଗାଁଟି ସୁନ୍ଦରଗଡ଼ ଜିଲ୍ଲାର ଶେଷ ଗାଁ। ଏହି ଗାଁକୁ ଅତିକ୍ରମ କଲେ ଆରମ୍ଭ ହେବ କେନ୍ଦୁଝର ଜିଲ୍ଲା। କଦମଢ଼ି ଗାଁର ପଡ଼ୋଶୀ ତଥା କେନ୍ଦୁଝର ଜିଲ୍ଲାର ଗ୍ରାମ ବିଜୁଳି ଲାଇଟ୍‌ ଝଲମଲ୍‌ କରୁଛି। ହେଲେ ଆଜି ପର୍ଯ୍ୟନ୍ତ କଦମଢ଼ି ଗାଁରେ ପହଞ୍ଚି ପାରିନି ବିଦ୍ୟୁତ୍‌। ଯେଉଁଥିପାଇଁ ଲୋକଙ୍କୁ ଡିବିରି ଓ ଲଣ୍ଠନ ଆଲୁଅ ଉପରେ ଭରସା କରିବାକୁ ପଡ଼ୁଛି। ସଞ୍ଜ ନଇଁଲେ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଟିଭି, ମୋବାଇଲ୍‌ କ'ଣ ଗାଁ ଲୋକେ ଜାଣିନାହାନ୍ତି।

[caption id="attachment_757094" align="aligncenter" width="650"]Deberee ଡିବିରି ଆଲୁଅରେ ପାଠ ପଢ଼ୁଛନ୍ତି ପିଲାମାନେ[/caption]

କଦମଢ଼ି ଗାଁକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ଲୋକମାନେ ବାରମ୍ୱାର ଦାବି କରିଥିଲେ। ଗାଁ ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବାକୁ ଯାଇ ୫ ବର୍ଷ ତଳେ ଜିଲ୍ଲା ପ୍ରଶାସନ ଗୋଟିଏ ଚାଲ୍‌ ଖେଳିଥିଲା। ଗାଁର କେତେକ ଲୋକଙ୍କ ଘରେ ସୋଲାର ଲାଇଟ୍‌ର ବ୍ୟବସ୍ଥା କରିଥିଲା। ହେଲେ କିଛି ଦିନ ପରେ ସେହି ଲାଇଟ୍‌ ଅଚଳ ହୋଇ ପଡ଼ିଥିଲା। ଅଭିଯୋଗ କଲେ ମଧ୍ୟ ସେଗୁଡ଼ିକ ମରାମିତ କରାଯାଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପୂରା ଗାଁ ଅନ୍ଧକାରରେ ରହିଛି।

ଆଜି ଦେଶ ସ୍ୱାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ କରାଯାଉଛି। ହେଲେ ଦୁଃଖ ଓ ପରିତାପର ବିଷୟ ଖଣିଖାଦାନ ଭରା କୋଇଡା ବ୍ଲକର କଦମଢ଼ି ଗାଁକୁ ରାଜ୍ୟ ସରକାର ବିଦ୍ୟୁତ ସଂଯୋଗ ଦେଇ ପାରିନାହାନ୍ତି। ଯେଉଁଥିପାଇଁ ୧୦୨ ପରିବାର ଏବେ ମଧ୍ୟ ଅନ୍ଧକାରରେ ରହିଛନ୍ତି। ତେବେ ଏନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ପ୍ରଶ୍ନ ହେବାରୁ କଦମଢ଼ି ଗାଁକୁ ବିଦ୍ୟୁତ ସଂଯୋଗ ହୋଇଥିବ କହି ଦ୍ୱନ୍ଦ୍ୱ ବଢ଼ାଇଥିବା ବେଳେ ସ୍ଥାନୀୟ ପ୍ରଶାସନ କିମ୍ୱା ଜିଲ୍ଲା ପ୍ରଶାସନ ଏ ବିଷୟରେ ମୁହଁ ଖୋଲୁ ନଥିବା ଦେଖିବାକୁ ମିଳିଛି। ଏଠି ପ୍ରଶ୍ନ ଉଠୁଛି, ସରକାର କେବଳ କୋଇଡା ଖଣି ଖାଦନରୁ ବର୍ଷକୁ ୩୬ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ଏ ଅଞ୍ଚଳକୁ କ'ଣ ପାଇଁ ଅଣଦେଖା କରାଯାଉଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos