ସେହି ଛେଳିଛୁଆ ପାଇଁ…

ଗାନ୍ଧିଜୀ ଯେଉଁ କାମଟି କରୁଥିଲେ ତାକୁ ମନପ୍ରାଣ ଦେଇ କରୁଥିଲେ। ସାନ ବଡ଼ କାମ ଭେଦଭାବ ତାଙ୍କର ନଥିଲା। ଏହାର ଏକ ଚମତ୍କାର ଦୃଷ୍ଟାନ୍ତ ଦେଖିବାକୁ ଆର୍ଟେନବର୍ଗଙ୍କ ‘ଗାନ୍ଧି’ ଚଳଚ୍ଚିତ୍ରରେ ଦେଖିବାକୁ ମିଳେ। ଦିନେ ସ୍ୱାଧୀନତା ଆନ୍ଦୋଳନର ଏକ ଜରୁରୀ ସମସ୍ୟା ବିଷୟରେ ପରାମର୍ଶ ନେବାକୁ ପଣ୍ଡିତ ଜବାହାରଲାଲ ନେହରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ଆଉ କିଛି ନେତା ଗାନ୍ଧିଜୀଙ୍କ ଆଶ୍ରମକୁ ଆସିଥିଲେ। ସମସ୍ତେ ତାଙ୍କ ସହିତ ଆଲୋଚନା କରିବାକୁ ବ୍ୟଗ୍ର ଥିଲେ। ମାତ୍ର ବାପୁ ସେତେବେଳେ ଗୋଟିଏ ଛେଳିଛୁଆର ଛୋଟା ଗୋଡ଼ରେ ଚେରମୂଳ ଦେଇ ପଟି ଭିଡ଼ିବାରେ ବ୍ୟସ୍ତ ଥିଲେ। ଆଉ ଛୋଟ ଝିଅଟିଏ ତାଙ୍କୁ ସାହାଯ୍ୟ କରୁଥିଲା। ସେ ଏହି କାମରେ ଏପରି ଏକନିଷ୍ଟ ଚିତ୍ତରେ ଲାଗି ପଡ଼ିଥିଲେ ଯେ ତାଙ୍କର ଏକାଗ୍ରତା ଭାଙ୍ଗିବାକୁ କେହି ସାହସ କରି ନଥିଲେ। କିନ୍ତୁ ଅପେକ୍ଷା କରିବାକୁ ସେମାନଙ୍କର ଧୈର୍ଯ୍ୟ ବି ନଥିଲା। ବାପୁ ସମସ୍ତଙ୍କୁ ଦେଖୁଥିଲେ, କିନ୍ତୁ କିଛି କହୁ ନଥିଲେ କି କାମ ବନ୍ଦ କରୁ ନଥିଲେ। ଛେଳିଛୁଆ ଗୋଡ଼ରେ ପଟି ଭିଡ଼ିବା ପରେ ସେ ସମସ୍ତଙ୍କ ସହିତ ଆଲୋଚନା କରିଥିଲେ। ଏହି ଦୃଶ୍ୟଟିକୁ ଶରତ କୁମାର ମହାନ୍ତି ତାଙ୍କ ପୁସ୍ତକ ‘ଗାନ୍ଧି ମଣିଷ’ରେ ବର୍ଣ୍ଣନା କରି ଲେଖିଛନ୍ତି ଯେ ଭାରତର ସ୍ୱାଧୀନତା ସମସ୍ୟା ଓ ଛେଳିଛୁଆର ଆରୋଗ୍ୟ ଲାଭ- ଏ ଦୁଇଟି ମଧ୍ୟରୁ କୌଣସିଟି ବାପୁଙ୍କ ପକ୍ଷରେ କମ୍ ଗୁରୁତ୍ୱପୂର୍ଣ୍ଣ ନଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।