ଭୋଟ୍‌ ପୂର୍ବରୁ ମିଶନ ଶକ୍ତି ଗୃହରେ ଚାଲିଥିଲା ଟଙ୍କା ବଣ୍ଟା, କଳା ପଲିଥିନରୁ ୧.୧୮ ଲକ୍ଷ ଜବତ

ଫ୍ଲାଇଂ ସ୍କ୍ୱାଡ୍‌ ପହଞ୍ଚିଲା ବେଳକୁ ସେଠାରୁ ୩ ଜଣ ଏସ୍‌ଏଚ୍‌ଜି ମହିଳା ଚମ୍ପଟ ମାରିଥିବା କୁହାଯାଉଛି।

Money

ଜବତ ଟଙ୍କା

Jitendra Garnayak
  • Published: Friday, 31 May 2024
  • , Updated: 31 May 2024, 09:37 PM IST

ଆସନ୍ତାକାଲି ଶେଷ ପର୍ଯ୍ୟାୟ ଭୋଟ୍‌। ବାଲେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନରେ ଥିବା ବିଧାନସଭା ଆସନ ପାଇଁ କାଲି ମତଦାନ କରିବେ ଭୋଟର। ହେଲେ ତା’ ପୂର୍ବରୁ ଆସିଛି ଟଙ୍କା ବଣ୍ଟା ଅଭିଯୋଗ। ଜିଲ୍ଲାର ରେମୁଣାରୁ ଆସିଛି ଏହି ଅଭିଯୋଗ।

ରେମୁଣା ବ୍ଲକ୍ ପରିସର ସ୍ଥିତ ମିଶନ ଶକ୍ତି ଗୃହରେ ଏସ୍‌ଏଚ୍‌ଜି ମହିଳାମାନେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ହୋଇଛି। ଏନେଇ ବିଜେପି ବିଧାୟକ ପ୍ରାର୍ଥୀ ଅଭିଯୋଗ କରିବା ପରେ ପହଞ୍ଚିଥିଲା ଫ୍ଲାଇଂ ସ୍କ୍ୱାଡ୍‌। ସେହି ସମୟରେ ସେଠାରୁ ୩ ଜଣ ଏସ୍‌ଏଚ୍‌ଜି ମହିଳା ଚମ୍ପଟ ମାରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଯାଞ୍ଚ ବେଳେ ସେଠାରୁ ଏକ କଳା ପଲିଥିନରୁ ବାହାରିଥିଲା ପୁଳାପୁଳା ୫୦୦ ଟଙ୍କିଆ ନୋଟ୍‌। ସେଥିରୁ ମୋଟ ୧ ଲକ୍ଷ ୧୮ ହଜାର ଟଙ୍କା ଜବତ କରାଯାଇଛି। କିଛି ନୋଟ୍‌କୁ ବଣ୍ଡଲ ବଣ୍ଡଲ କରି ବନ୍ଧାଯାଇ ତା’ ଉପରେ ଧଳା କାଗଜରେ କିଛି ସଂଖ୍ୟା ଲେଖାଯାଇଥିଲା। ସେହିପରି ଆଉ କିଛି ୫୦୦ ଟଙ୍କିଆ ନୋଟ୍‌ ଗୁଡ଼ିକୁ ଧଳା କାଗଜରେ ତିଆରି ଛୋଟ ଛୋଟ ପୁଡ଼ିଆରେ ରଖାଯାଇଥିଲା। ଏଗୁଡ଼ିକ ଭୋଟରଙ୍କୁ ବାଣ୍ଟିବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଥିଲା ଓ କେଉଁ କେଉଁ ବୁଥ୍‌ରେ ଦିଆଯିବ, ତାହା ଲେଖା ଯାଇଥିଲା ବୋଲି କୁହାଯାଉଛି। 

ଏହି ଘଟଣା ଜଣାପଡ଼ିବା ପରେ ଘଟଣାସ୍ଥଳକୁ ଆସିଥିବା ବାଲେଶ୍ୱରର ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି,ମୋର ବିଶ୍ୱାସ କୋଟି କୋଟି ଟଙ୍କା ବଣ୍ଟା ଯାଇଛି।  ବଡ଼ସାହି ଅଞ୍ଚଳରେ ଦୁଇ ତିନି କୋଟି ଟଙ୍କା ରଖାଯାଇଥିବା ନେଇ ଗତକାଲି ମଧ୍ୟ ମୋ ପାଖକୁ ଖବର ଆସିଥିଲା। ଏଠି ଏତିକି ମାତ୍ର ଜବତ ହୋଇଛି। ବାକି ସେମାନେ ନେଇ ଫେରାର ହୋଇଯାଇଛନ୍ତି। ବିଜେଡି ହତାଶ ହୋଇ ଟଙ୍କା ବାଣ୍ଟୁଛି। ସରକାରୀ ଅଫିସ୍‌ଗୁଡ଼ିକୁ ଟଙ୍କା ବାଣ୍ଟିବା ପାଇଁ ବ୍ୟବହାର କରୁଛି। ଭିକେ ପାଣ୍ଡିଆନ ଓ ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ଗିରଫ କରାଯାଉ। ସେମାନେ ସବୁ ଏ କାମ କରୁଛନ୍ତି। ଯେଉଁମାନେ ଏଠାରେ ଆଜି ଟଙ୍କା ବାଣ୍ଟୁଥିଲେ ସେମାନଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ଷଡ଼ଙ୍ଗୀ ଦାବି କରିଛନ୍ତି। 

ଅନ୍ୟପକ୍ଷରେ ଏହି ଘଟଣା ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।    

 

Related story