Advertisment

କମିନି ଶତାୟୁଙ୍କ ଜୋସ୍‌; ଘରେ ଦେବେ ଭୋଟ୍‌, ଯୁବପିଢ଼ିଙ୍କୁ କଲେ ଅପିଲ୍‌

କେନ୍ଦୁଝର ଲୋକସଭା କ୍ଷେତ୍ରରେ ୨୫ ତାରିଖରେ ହେବ ମତଦାନ। ତା’ପୂର୍ବରୁ ଅର୍ଥାତ ୧୯ ତାରିଖରେ ମତଦାନ ସାବ୍ୟସ୍ତ କରିବେ ଜିଲ୍ଲାର ୬ ଶତାୟୁ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

100 Years

100 Years

Advertisment

ମତଦାନ ସାବ୍ୟସ୍ତ କରିବା ପାଇଁ ଶତାୟୁ ବ୍ୟକ୍ତିଙ୍କର କମିନି ଜୋସ୍‌। ପରିଣତ ବୟସରେ ମଧ୍ୟ ଭୋଟ୍‌ ଦେବା ପାଇଁ ଉତ୍ସାହିତ ଅଛନ୍ତି। ସବୁଥର ପରି ଏଥର ସେମାନଙ୍କୁ ଆଉ ପୋଲିଂ ବୁଥ୍‌କୁ ଯିବାକୁ ପଡ଼ିବନାହିଁ। ତାଙ୍କ ଘରକୁ ଆସିବ ପୋଲିଂ ବୁଥ୍‌। ଯେଉଁଥିପାଇଁ ସେମାନେ ଉତ୍ସାହିତ ଅଛନ୍ତି। ଆଉ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେବା ପାଇଁ ଯୁବପିଢ଼ିଙ୍କୁ ଅପିଲ୍‌ କରିଛନ୍ତି କେନ୍ଦୁଝର ଜିଲ୍ଲାର ୬ ଶତାୟୁ ଭୋଟର।

Advertisment

କେନ୍ଦୁଝର ଲୋକସଭା କ୍ଷେତ୍ରରେ ୨୫ ତାରିଖରେ ହେବ ମତଦାନ। ତା’ପୂର୍ବରୁ ଅର୍ଥାତ ୧୯ ତାରିଖରେ ମତଦାନ ସାବ୍ୟସ୍ତ କରିବେ ଜିଲ୍ଲାର ୬ ଶତାୟୁ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିଂ ଅଧିକାରୀଙ୍କ ଉପସ୍ଥିତିରେ ୧୯ ତାରିଖରେ ଶତାୟୁମାନେ ଭୋଟ୍‌ ଦେବେ। ଏଥିପାଇଁ ସେମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

ପାଟଣା ନିର୍ବାଚନମଣ୍ଡଳୀ ବଦନେଉଳି ପଞ୍ଚାୟତ ସିଲଟିଆ ଗାଁର ଶୁରୁବାଲି ମହାନ୍ତ। ବୟସ ୧୦୬ ବର୍ଷ ହେଲାଣି। ସ୍ୱାମୀ ଚନ୍ଦ୍ରମଣୀ ମହାନ୍ତ କେବେଠାରୁ ଚାଲି ଗଲେଣି। ଦେଶ ସ୍ୱାଧୀନ ପରେ ସେ ତାଙ୍କ ଜୀବନର ପ୍ରଥମ ଭୋଟ ଭୋଦପଶିରେ ଗଛମୂଳେ ଦେଇଥିଲେ ବୋଲି କହିଛନ୍ତି। ପରେ ଉଖୁଣ୍ଡା, ଶରାସିଙ୍ଗା, ପାହାଡ଼ପୁର ମତଦାନ କେନ୍ଦ୍ରରେ ଭୋଟ ଦେଇଥିଲେ। କିନ୍ତୁ ଚଳିତ ଥର ନିର୍ବାଚନ କମିଶନଙ୍କ ନିଷ୍ପତ୍ତି କ୍ରମେ ସେ ନିଜ ଘରେ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଭୋଟ ଦେବାକୁ ଯାଉଛନ୍ତି। ପାଟଣା ନିର୍ବାଚନମଣ୍ଡଳୀର ସର୍ବ ବରିଷ୍ଠ ଭୋଟର ଶୁରୁବାଲି ମହାନ୍ତ ଏଥିପାଇଁ ଖୁସି ପ୍ରକଟ କରିଛନ୍ତି। ଘରେ ଥିବା ପୁଅ, ବୋହୂ, ନାତି, ନାତୁଣୀ ଓ ଅନ୍ୟ ପରିବାରବର୍ଗଙ୍କୁ ମତଦାନ କରିବାକୁ ପରାମର୍ଶ ଦେଉଛନ୍ତି। ଏତଦ୍‌ ବ୍ୟତୀତ ନୂତନ ଯୁବ ଭୋଟରମାନେ ଅଧିକରୁ ଅଧିକ ଭୋଟଦେଇ ରାଜ୍ୟ ଓ ଦେଶ ଗଠନରେ ସହ।ୟକ ହେବାକୁ ବରିଷ୍ଠ ଭୋଟର ଜଣଙ୍କ ଆହ୍ୱାନ ଜଣାଉଛନ୍ତି।

Advertisment

ସେହିପରି ଆଉ ଜଣେ ବୟସ୍କ ଭୋଟର ହେଉଛନ୍ତି ପାଟଣା ନିର୍ବାଚନମଣ୍ଡଳୀର ବାସନ୍ତୀ ସାହୁ। ତାଙ୍କୁ ଏବେ ୧୦୪ ବର୍ଷ। ତାଙ୍କ ଘର ଖୁଣ୍ଟାପଡ଼ା ପଞ୍ଚାୟତ ବାରଖଣ୍ଡିଆ ଗାଁରେ। ସ୍ୱାମୀ ସ୍ୱତ୍ରାନନ୍ଦ ସାହୁଙ୍କର କେବେଠାରୁ ବିୟୋଗ ହୋଇ ଗଲାଣି। ତେଣୁ ପରିବାର ଲୋକଙ୍କ ସହ ରହୁଛନ୍ତି ବାସନ୍ତୀ ସାହୁ। ପ୍ରତି ନିର୍ବାଚନରେ ସେ ମତଦାନ ସାବ୍ୟସ୍ତ କରୁଛନ୍ତି। ଏଥର କିନ୍ତୁ ସେ ନିଜ ଘରେ ମତଦାନ ସାବ୍ୟସ୍ତ କରିବେ। ସେଥିପାଇଁ ସେ ବେଶ୍‌ ଉତ୍ସାହିତ ଅଛନ୍ତି ବାସନ୍ତୀ। ନିର୍ବାଚନରେ ଭାଗ ନେଇ ମତଦାନ ସାବ୍ୟସ୍ତ କରିବାକୁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି ବାସନ୍ତୀ।

ଆଉ ଜଣେ ବରିଷ୍ଠ ଭୋଟର ହେଉଛନ୍ତି ଆନନ୍ଦପୁର ନିର୍ବାଚନମଣ୍ଡଳୀ ଓରାଳୀ କରଞ୍ଜାପଦି ଚଞ୍ଚଳା ଜେନା। ତାଙ୍କୁ ଏବେ ବୟସ ୧୦୦ ବର୍ଷ। ତାଙ୍କ କହିବା ଅନୁସାରେ ପ୍ରତି ନିର୍ବାଚନରେ ସେ ଭାଗ ନିଅନ୍ତି। ଆଉ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତି। କିନ୍ତୁ ଏ ପରିଣତ ବୟସରେ ଚାଲି ପାରୁନାହାନ୍ତି। ଆଣ୍ଠୁରେ ଯନ୍ତ୍ରଣା ହେଉଥିବାରୁ ଠିକ୍‌ରେ ଚାଲି ପାରୁନାହାନ୍ତି। ତଥାପି ଘରର ପିଲାମାନେ ତାଙ୍କୁ ବହୁ କଷ୍ଟରେ ଭୋଟ୍‌ କେନ୍ଦ୍ରକୁ ନେଇଯାଆନ୍ତି। ଏଥର କିନ୍ତୁ ଚଞ୍ଚଳା ମାଉସୀ ଭୋଟ୍‌ କେନ୍ଦ୍ରକୁ ଯିବେନାହିଁ। ମତଦାନ କେନ୍ଦ୍ର ତାଙ୍କ ଘରକୁ ଯିବ। ପୋଲିଂ ଅଧିକାରୀ ତାଙ୍କଠାରୁ ଭୋଟ୍‌ ଗ୍ରହଣ କରିବେ। ଏଥିପାଇଁ ବେଶ୍‌ ଖୁସି ଅଛନ୍ତି ଚଞ୍ଚଳା ମାଉସୀ।

ସେହିପରି ପାଟଣା ନିର୍ବାଚନମଣ୍ଡଳୀ କମରାମରା ଗାଁର ବୁଧୁନି ମୁଣ୍ଡା। ତାଙ୍କର ବୟସ ୧୦୧ ବର୍ଷ। ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ସହ ରହୁଛନ୍ତି ବୁଧୁନି। ସେ ପ୍ରତି ନିର୍ବାଚନରେ ଭାଗ ନିଅନ୍ତି। ଆଉ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଯାଇ ମତଦାନ ସାବ୍ୟସ୍ତ କରନ୍ତି। ଏଥିପାଇଁ ତାଙ୍କୁ ବହୁ କଷ୍ଟ ହୁଏ। ହେଲେ ଏଥର ତାଙ୍କୁ ପୋଲିଂ ବୁଥ୍‌କୁ ଯିବାକୁ ପଡ଼ିବ ନାହିଁ। ଘରକୁ ଆସିବ ମତଦାନ କେନ୍ଦ୍ର। ଘରେ ବସି ମତଦାନ ସାବ୍ୟସ୍ତ କରିବେ।

ସେହିପରି ଚମ୍ପୁଆ ନିର୍ବାଚନମଣ୍ଡଳୀ ବଡ଼ବିଲର ଜଗତ ସିଂଙ୍କ ପୁଅ ହେଉଛନ୍ତି ଗୁରୁଦ୍ୱୀପ। ତାଙ୍କ ବୟସ ଏବେ ୧୦୧ ବର୍ଷ। ପତ୍ନୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ସହ ଘରେ କାଳାତିପାତ କରୁଛନ୍ତି ଗୁରୁଦ୍ୱୀପ। ପ୍ରତି ନିର୍ବାଚନରେ ସେ ଭୋଟ୍‌ ଦିଅନ୍ତି। ଏଥର ସେ ଘରେ ବସି ମତଦାନ ସାବ୍ୟସ୍ତ କରିବେ।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି ଓ ଆନନ୍ଦପୁରରୁ ମୁନ୍ନା ସିଂ

Kendujhar General Election 2024 General Election Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe