ନିର୍ବାଚନୀ ବର୍ଷରେ ତୀବ୍ର ହେଉଛି ବିଜେଡି କନ୍ଦଳ: କୋମାରେ ଛାତ୍ର-ଯୁବ-ମହିଳା ମୁଖିଆ

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ୫ ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରଗଡ଼ର ଭଟଲୀ ଓ କଳାହାଣ୍ଡିର ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ରୋଡ୍ ଶୋ’ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Wednesday, 08 March 2023
  • , Updated: 08 March 2023, 10:29 PM IST

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବଢ଼ୁଥିବା ରାଜନୀତିକ ଛକାପଞ୍ଝା ଓ ଉଷ୍ମତା ଭିତରେ ଦଳୀୟ ଭୋଟ ବୃଦ୍ଧି ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାକୁ ମାରାଥନ୍ ସରକାରୀ ଗସ୍ତ ଜାରି ରଖିଛନ୍ତି । ଗତ ଜାନୁୟାରୀରୁ ଚଳିତ ମାର୍ଚ୍ଚ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କେବଳ ପଶ୍ଚିମଓଡ଼ିଶାକୁ ୬ଥର ଗସ୍ତ କରିସାରିଥିବାବେଳେ ଆସନ୍ତା ୧୦ତାରିଖରେ ପୁଣିଥରେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଯିବେ । ବିଜେଡି ସୁପ୍ରିମୋଙ୍କ ଘନଘନ ଗସ୍ତ ସତ୍ତ୍ୱେ ପଶ୍ଚିମଓଡ଼ିଶାରେ ବିଜେଡି କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ ବରଂ ଦକ୍ଷିଣରୁ ଉତ୍ତର, ପଶ୍ଚିମରୁ ପୂର୍ବ ସବୁଆଡ଼େ ଜଳଜଳ ହୋଇ ଦିଶିଲାଣି । ନିର୍ବାଚନ ଯେତିକି ପାଖେଉଛି, ଦଳରେ ଗୋଷ୍ଠୀକନ୍ଦଳ ସେତେ ତୀବ୍ର ହେବାରେ ଲାଗିଛି । ଆଉ ଏସବୁ ଭିତରେ ଦଳର ଛାମୁଆ ସଂଗଠନ ଛାତ୍ର, ଯୁବ ଓ ମହିଳା ମୁଖିଆ ନିଷ୍ପ୍ରଭ ପାଲଟି ଯାଇଛନ୍ତି । ଏହି ଛାମୁଆ ସଂଗଠନଗୁଡ଼ିକର ମୁଖିଆମାନଙ୍କ ଅପାରଗତା ଓ ନିଷ୍କ୍ରିୟତା ଯୋଗୁ ଦଳକୁ ପ୍ରତ୍ୟେକ ସାଂଗଠନିକ କାର୍ଯ୍ୟ ପାଇଁ ବିଧାୟକମାନଙ୍କ ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ପଶ୍ଚିମଓଡ଼ିଶାକୁ ଘନଘନ ସରକାରୀ ଗସ୍ତରେ ଯାଇ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ସହ ଭୋଟ ହାର ବୃଦ୍ଧି ନିମନ୍ତେ ପ୍ରୟାସ କରୁଥିବାବେଳେ ପଶ୍ଚିମଓଡ଼ିଶାରେ ବିଜେଡି କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ବିଶେଷକରି ମାର୍ଚ୍ଚ ୫ତାରିଖରେ ପଶ୍ଚିମଓଡ଼ିଶାର ୩ଟି ଜିଲ୍ଲା ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରି ପ୍ରାୟ ୭୮କିମିର ରୋଡ୍ ଶୋ’ ,ସାଧାରଣ ସଭା ଓ ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବାର ସୁଫଳ ବିଜେଡିକୁ ମିଳିବା ପରିବର୍ତ୍ତେ ଦଳୀୟ କନ୍ଦଳ ଏବେ ଅଧିକ ତୀବ୍ର ହେବାରେ ଲାଗିଛି ।

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗତ ୫ ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରଗଡ଼ର ଭଟଲୀ ଓ କଳାହାଣ୍ଡିର ଜୁନାଗଡ଼ ନିର୍ବାଚନମଣ୍ଡଳୀରେ ରୋଡ୍ ଶୋ’ କରିଥିଲେ । ଜିଲ୍ଲା ମୁଖ୍ୟାଳୟ ପରିବର୍ତ୍ତେ ଏସବୁ ସ୍ଥାନରେ ରୋଡ୍ ଶୋ’ ଓ ସାଧାରଣ ସଭା କରାଇ ଦୁଇ ବିବାଦୀୟ ବିଧାୟକ ସୁଶାନ୍ତ ସିଂ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ କରିଛନ୍ତି । ଯଦିଓ ଏହି ଦୁଇଜଣ ବିଧାୟକଙ୍କ ବିବାଦୀୟ ଭୂମିକାକୁ ନେଇ ପଶ୍ଚିମଓଡ଼ିଶାରେ ଲୋକଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ରହିଛି ତଥା ଦଳକୁ ବଦନାମ ମୁଣ୍ଡାଇବାକୁ ପଡ଼ିଛି । କିନ୍ତୁ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀ ଏହି ଦୁଇ ବିଧାୟକଙ୍କୁ ସୁରକ୍ଷା ଦେଇ ସେମାନଙ୍କ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଇଥିବାରୁ ପଶ୍ଚିମଓଡ଼ିଶାର ବିଜେଡିରେ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି । ଦଳର ନେତାମାନେ ଖୋଲାଖୋଲି ଭାବେ ଆଗକୁ ଆସୁନଥିଲେ ମଧ୍ୟ ବିଜେଡି ପରାମର୍ଶଦାତାଙ୍କର ସୁଶାନ୍ତ ଓ ଦିବ୍ୟଶଙ୍କର ପ୍ରୀତିକୁ ଉଚିତ୍ ଶିକ୍ଷା ଦେବାକୁ ସୁଯୋଗ ଅପେକ୍ଷାରେ ରହିଥିବା ଜଣାପଡ଼ିଛି ।

ବରଗଡ଼ ଜିଲ୍ଲାରେ ବିଜେଡିର ପୁରୁଖା ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏବେ ଏକରକମ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରଖାଯାଇଛି । ଏପରିକି ଜିଲ୍ଲାର ମନ୍ତ୍ରୀ ରୀତା ସାହୁଙ୍କୁ ଗୁରୁତ୍ୱହୀନ କରାଇ ସୁଶାନ୍ତ ସିଂଙ୍କୁ ପ୍ରାଥମିକତା ଦିଆଯାଉଛି । ଯେଉଁଥିପାଇଁ ଜିଲ୍ଲାରେ ବିଜେଡି ସଂଗଠନ ଏବେ ବହୁ ଗୋଷ୍ଠୀରେ ବିଭକ୍ତ ହୋଇ କାର୍ଯ୍ୟ କରୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୁଶାନ୍ତଙ୍କ ଭୂମିକାକୁ ନେଇ ତାଙ୍କର ସମର୍ଥକମାନେ ନାନାଦି ଅଭିଯୋଗ ଆଣିଥିଲେ।

ସେହିପରି କଳାହାଣ୍ଡି ଜିଲ୍ଲାରେ ମମିତା ମେହର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ବିବାଦୀୟ ଭୂମିକା ସତ୍ତ୍ୱେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ କରାଇ ଶ୍ରୀ ମିଶ୍ରଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ୟମ ହେବାକୁ ଜିଲ୍ଲାର ଆଗଧାଡ଼ିର ଦଳୀୟ କର୍ମୀ ଓ ନେତାମାନେ ନାପସନ୍ଦ କରିଛନ୍ତି। ଜିଲ୍ଲାର ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ସାଂସଦ ସୁଜିତ୍ କୁମାର, ବିଧାୟକ ଭୂପିନ୍ଦର ସିଂଙ୍କ ସହ ଶ୍ରୀ ମିଶ୍ରଙ୍କର ଶୀତଳଯୁଦ୍ଧ ଯୋଗୁ ସେଠାରେ ଦଳୀୟ ସଂଗଠନ ତଳିତଳାନ୍ତ ହେବାରେ ଲାଗିଛି।

ସେହିପରି ନୂଆପଡ଼ା ଜିଲ୍ଲାର ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କୁ ଦଳ ଏବେ ଗୁରୁତ୍ୱ ଦେଉଥିବାବେଳେ ଜିଲ୍ଲା ବିଜେଡି ସଭାପତି ମନୋଜ ମିଶ୍ର ଓ ଲମ୍ବୋଦର ନିଆଲଙ୍କ ସହ ତାଙ୍କର ଛକାପଞ୍ଝା ବିଜେଡି ସଂଗଠନକୁ ଦୁର୍ବଳ କରିବାରେ ଲାଗିଥିବା ଚର୍ଚ୍ଚା।

ସମ୍ବଲପୁର ଜିଲ୍ଲାର ମନ୍ତ୍ରୀ ରୋହିତ ପୂଜାରୀଙ୍କ ସହ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପଡ଼ୁନଥିବାବେଳେ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ନିଜ ଢଙ୍ଗରେ ସଂଗଠନକୁ ପରିଚାଳନା କରୁଥିବା ବିଜେଡି ସୂତ୍ରରୁ ଜଣାପଡ଼ିଛି । ଦଳୀୟ କନ୍ଦଳ ଯୋଗୁ ଜିଲ୍ଲାରେ ବିଜେଡି ସଂଗଠନ ଭାଗଭାଗ ହୋଇ ରହିଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦେଇ ଦଳ ସେଠାରେ ବିଶ୍ୱକପ୍ ହକି ମ୍ୟାଚ ଆୟୋଜନ ସହ ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଗସ୍ତ କରାଇଥିଲେ ମଧ୍ୟ ବିଜେଡି ଏବେବି ବ୍ୟାକଫୁଟରେ ରହିଛି । ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ଶାରଦା ନାୟକଙ୍କୁ ଚେକ୍ ଆଣ୍ଡ ବାଲାନ୍ସରେ ରଖି କାର୍ଯ୍ୟ କରାଉଥିବାବେଳେ ବିଧାୟକ ସୁବ୍ରତ ତରାଇ ଏବେ ସଂଗଠନରେ ପ୍ରାୟତଃ ସକ୍ରିୟ ନାହାନ୍ତି । କଂଗ୍ରେସ ଛାଡ଼ି ଯୋଗେଶ ସିଂ ଓ ପ୍ରଫୁଲ୍ଲ ମାଝୀ ବିଜେଡିରେ ସାମିଲ ହେବାର ୪ବର୍ଷ ପରେ ବି ସେମାନଙ୍କୁ ତୃଣମୂଳସ୍ତରର ବିଜେଡି କର୍ମୀ ଗ୍ରହଣ କରିନଥିବା ଜଣାପଡ଼ିଛି । ବିଜେଡି ଏବେ ଜର୍ଜ ତିର୍କୀଙ୍କୁ ସାମିଲ କରି ସୁନ୍ଦରଗଡ଼ ସଂଗଠନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରହିଛି । କିନ୍ତୁ ଦଳର ନେତା ଓ କର୍ମୀମାନେ ବହୁ ଭାଗରେ ବିଭକ୍ତ ହୋଇସାରିଥିବାରୁ ବିଜେଡିକୁ ଆଶାନୁରୂପ ସଫଳତା ମିଳିବା ସମ୍ଭାବନା କ୍ଷୀଣ । ଯଦିଓ ଦଳ ପଂଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ନେଇ ଉତ୍ସାହିତ, ତଥାପି ବର୍ତ୍ତମାନର ସାଂଗଠନିକ ସ୍ଥିତିକୁ ଦେଖିଲେ ସାଧାରଣ ନିର୍ବାଚନରେ ବିଜେଡି ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଣ୍ଡବ୍ୟଥାର କାରଣ ହେବ ।

ସେହିପରି ବଲାଙ୍ଗିର ଜିଲ୍ଲା ବିଜେଡିରେ ସିଂହଦେଓ ରାଜପରିବାରର ପ୍ରଭାବହୀନ କରିବା ପ୍ରୟାସରେ ବିଜେଡି ପରାମର୍ଶଦାତା ଓ ତାଙ୍କ ଟିମ୍ ଏକରକମ ସଫଳ ହୋଇସାରିଛନ୍ତି । କେବଳ ସନ୍ତୁଳନ ରକ୍ଷା ପାଇଁ କଳିକେଶ ସିଂହଦେଓଙ୍କୁ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ ପଦରେ ଥଇଥାନ କରାଯାଇଥିଲେ ମଧ୍ୟ ସିଂହଦେଓ ପରିବାର ହାତରୁ ଛଡ଼ାଇ ଆଣିଥିବା ଦଳୀୟ ସଂଗଠନକୁ କାହାରି ହାତରେ ନ୍ୟସ୍ତ କରାଯାଇ ପାରିନି । ଯଦିଓ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଜିଲ୍ଲା ସଭାପତି କରି ସଂଗଠନ ଦାୟିତ୍ୱ ନ୍ୟସ୍ତ ହୋଇଛି । କିନ୍ତୁ ଟୁକୁନିଙ୍କ ଅଭିଜ୍ଞତାର ଅଭାବ ଓ ଅପାରଗତା ଜିଲ୍ଲା ବିଜେଡିକୁ ଦୁର୍ବଳ କରିବାରେ ଲାଗିଛି। ଜିଲ୍ଲାରେ ଆୟୁବ ଖାନ୍ ଓ ସରୋଜ ମେହେର ଭିତରେ ଛକାପଞ୍ଝା ଜାରି ରହିଥିବାବେଳେ ଟିଟିଲାଗଡ଼ରେ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ପ୍ରଭାବ ବିସ୍ତାର ଟୁକୁନିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେପଟେ ଜିଲ୍ଲା ବିଜେଡିର ଗୋଟିଏ ଗୋଷ୍ଠୀ ଏବେ ମୁଖପାତ୍ର ଶ୍ରୀମୟୀ ମିଶ୍ରଙ୍କ ସହ ସମ୍ପର୍କ ରହି ସାଂଗଠନିକ କାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି ।

ସେହିପରି ରାୟଗଡ଼ା ଜିଲ୍ଲାରେ ଏନ୍ ଭାସ୍କର ରାଓଙ୍କ ସହ ଜିଳ୍ଲାର ମନ୍ତ୍ରୀ ଜଗନ୍ନାଥ ସାରକା ଓ ବରିଷ୍ଠ ନେତା ସୁଧୀର ଦାସ ଓ ଅନ୍ୟମାନଙ୍କ ଛକାପଞ୍ଝାର ଝଲକ ବିଜୁ ଜୟନ୍ତୀରେ ଦେଖିବାକୁ ମିଳିଥିଲା । ଦେବଗଡ଼, ଗଜପତି,ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ଦଳୀୟ ସଂଗଠନ ବହୁ ଭାଗରେ ବିଭକ୍ତ ହୋଇ କାର୍ଯ୍ୟ କରୁଛି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିଲ୍ଲା ବିଜେଡିରେ ଏଭଳି ସମାନ୍ତରାଳ ସଂଗଠନ ଓ ଗୋଷ୍ଠୀକନ୍ଦଳ ତୀବ୍ର ହେଉଥିବା ସମ୍ପର୍କରେ ବିଜେଡି ପରାମର୍ଶଦାତା ଓ ତାଙ୍କ ଟିମ ପାଖରେ ସୂଚନା ଥିଲେ ମଧ୍ୟ ତାକୁ ସଜାଡ଼ିବାକୁ ଉଦ୍ୟମ ହେଉନି । ଆଉ ସେପଟେ ଦଳର ଅସନ୍ତୁଷ୍ଟ ବିଜେଡି ନେତାମାନେ ନିଜର ଆପତ୍ତି-ଅଭିଯୋଗ କହିବା ନିମନ୍ତେ ସୁଯୋଗ ପାଉନାହାନ୍ତି କି ସେମାନଙ୍କ ପାଖରେ ଏସବୁ କଥା କହିବା ନିମନ୍ତେ ପ୍ଲାଟଫର୍ମ ବି ନାହିଁ । ଯାହାକି ଦଳୀୟ ଅସନ୍ତୋଷ ଓ କନ୍ଦଳକୁ ତୀବ୍ର କରାଇବାରେ ଲାଗିଛି । ସଂଗଠନ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଯେଉଁ ନେତାଙ୍କ ପାଖରେ କରିବା ନିମନ୍ତେ କୁହାଯାଉଛି, ତାଙ୍କ ଉପରେ ଅସନ୍ତୁଷ୍ଟ ନେତାମାନେ ଭରସା କରିପାରୁନାହାନ୍ତି । ସମ୍ପୃକ୍ତ ନେତାଙ୍କ ଅପରିପକ୍ୱତା ଓ ରାଜନୀତିକ ଅନଭିଜ୍ଞତା ଯୋଗୁ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ୍ତରାଳ ସଂଗଠନ କାର୍ଯ୍ୟ କରୁଛି । ଦଳୀୟ ପ୍ଲାଟଫର୍ମରେ ଆପତ୍ତି-ଅଭିଯୋଗ ଶୁଣାଣିର ଅଭାବ ମଧ୍ୟରେ ସଂଗଠନ କଥା ବୁଝୁଥିବା ସମ୍ପୃକ୍ତ ନେତାଙ୍କ ଏକପାଖିଆ ନୀତି(ଗୋଟିଏ ଗୋଷ୍ଠୀକୁ ପ୍ରାଥମିକତା) ଯୋଗୁ ବିଜେଡି ସଂଗଠନ ଏବେ ବାରୁଦ ଗଦାରେ ପରିଣତ ହୋଇସାରିଛି ।

ଦଳର ଛାମୁଆ ସଂଗଠନଗୁଡ଼ିକ ବି ଜିଲ୍ଲାସ୍ତରରେ ଦଳୀୟ ସଂଗଠନକୁ କ୍ରିୟାଶୀଳ କରିବା ଅବା ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ଭଳି କୌଣସି କାର୍ଯ୍ୟ କରିବାରେ ସକ୍ଷମ ହେଉନାହାନ୍ତି । ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ନିଜର ବିବାଦୀୟ କାର୍ଯ୍ୟ, ଆତ୍ମବଡ଼ିମା ଓ ଅହଙ୍କାର ପାଇଁ ସଂଗଠନଠୁ ଦୂରେଇ ଯାଇଥିବାବେଳେ ଦଳ ମଧ୍ୟ ତାଙ୍କ ଆଚରଣରେ କ୍ଷୁବ୍ଧ । ଯୁବ ସଂଗଠନ ମୁଖିଆ ହେଲେ ବି ଗତ ୩ବର୍ଷ ମଧ୍ୟରେ ସଂଗଠନକୁ କ୍ରିୟାଶୀଳ କରାଇବାରେ ସକ୍ଷମ ହେଲେନି ଓଲଟା ଦଳର ଯୁବ ସଂଗଠନ ପାଇଁ ସେ ନିଜେ ବୋଝ ପାଲଟିଛନ୍ତି । ସେହିପରି ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ଛାତ୍ର ଗୋଷ୍ଠୀକୁ କ୍ରିୟାଶୀଳ କରିବାକୁ ଆଖିଦୃଶିଆ କାର୍ଯ୍ୟକ୍ରମ ହାତକୁ ନେଇପାରିନାହାନ୍ତି । ଛାତ୍ରଙ୍କୁ ଏକଜୁଟ କରି ସୋସିଆଲ ମିଡିଆରେ ଦଳ ସପକ୍ଷରେ ଜନମତ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି । ଓଲଟା ତାଙ୍କ ପିତା ପ୍ରଭାତ ତ୍ରିପାଠୀଙ୍କ ବିବାଦୀୟ ବୟାନ ଯୋଗୁ ସେ ନିଜେ ଦଳରେ ଅଲୋଡ଼ା ହୋଇ ପଡ଼ିଛନ୍ତି । ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଅଧିକାଂଶ ସମୟ ନିଜ ନିର୍ବାଚନମଣ୍ଡଳୀରେ ରହୁଥିବାରୁ ଦଳର ମହିଳା ସଂଗଠନ ନିଷ୍କ୍ରିୟ ହୋଇ ରହିଛି । ଯଦିଓ ଗତ ୧୫ଦିନ ମଧ୍ୟରେ ବିଜେଡି ରାଜଧାନୀରେ ମହିଳାଙ୍କୁ ନେଇ ୩ଟି ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ କରିଛି, କିନ୍ତୁ ସେଥିରେ ସ୍ନେହାଙ୍ଗିନୀଙ୍କୁ ଦେଖିବାକୁ ମିଳିନଥିଲା । ସିଏ ଏବେ ମହିଳା ସଂଗଠନ ଦାୟିତ୍ୱରେ ଅଛନ୍ତି କି ନାହିଁ ତାହା ମଧ୍ୟ ଅନେକ ଭୁଲିଗଲେଣି । ଏହି ୩ ଛାମୁଆ ସଂଗଠନର ମୁଖିଆମାନଙ୍କ କାର୍ଯ୍ୟଶୈଳୀ ନିର୍ବାଚନୀ ବର୍ଷରେ ଦଳ ପାଇଁ ବୋଝ ହେବାରେ ଲାଗିଛି ।

ଅନ୍ୟପକ୍ଷରେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଯଦି ଦଳୀୟ ନେତାମାନଙ୍କୁ ନିଜର ଆପତ୍ତି-ଅଭିଯୋଗ ରଖିବାର ସୁଯୋଗ ନମିଳେ ଓ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଉଦ୍ୟମ ନହୁଏ, ତେବେ ତା’ର ପରିଣାମ ବିଜେଡିକୁ ଭୋଗିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି । ଦକ୍ଷିଣ ଓ ପୂର୍ବ ଓଡ଼ିଶାରେ ବିଜେଡିର ସଂଗଠନରେ ବଢ଼ିଥିବା କନ୍ଦଳ ନକହିଲେ ଭଲ । ପୂର୍ବ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବିଜେଡି ସଂଗଠନ ଭିତରେ ବଢ଼ୁଥିବା ଅବିଶ୍ୱାସ ଓ ଅସନ୍ତୋଷର ପାହାଡ଼ ଯେକୌଣସି ମୁହୂର୍ତ୍ତରେ ବିଜେଡି ନେତୃତ୍ୱଙ୍କୁ ଅଡ଼ୁଆରେ ପକାଇବାର ସମ୍ଭାବନା ରହିଛି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡି ନେତୃତ୍ୱ ନିଜର କାର୍ଯ୍ୟଶୈଳୀରେ ପରିବର୍ତ୍ତନ କରି କେବଳ ସଂଗଠନ ସମ୍ପାଦକଙ୍କ ଭରସାରେ ରାଜ୍ୟର ସଂଗଠନକୁ ନରଖି ଦଳୀୟ ନେତାମାନଙ୍କ ଅସନ୍ତୋଷ ଓ ଆପତ୍ତି ଶୁଣିବା ନିମନ୍ତେ ଏକ ନିରପେକ୍ଷ ପ୍ଲାଟଫର୍ମ ଦେବାର ଆବଶ୍ୟକତା ରହିଛି । ତା’ଛଡ଼ା ବିଭିନ୍ନ କାରଣରୁ ଦଳ ଓ ସରକାର ପାଇଁ ବିବାଦୀୟ ହୋଇଥିବା ନେତାମାନଙ୍କୁ ଗୁରୁତ୍ୱ ନଦେଇ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ନେତାମାନଙ୍କୁ ଯଦି ଆଗକୁ ନଆଣିବେ ତା’ହେଲେ ସରକାର ପ୍ରତି ବଢ଼ୁଥିବା ଆକ୍ରୋଶକୁ ପ୍ରଶମିତ କରିବା ବିଜେଡି ପାଇଁ ସମ୍ଭବପର ହେବନି ଓ ଓଲଟା ଅସନ୍ତୁଷ୍ଟ ବିଜେଡି କର୍ମୀ ଓ ନେତାମାନେ ‘ନିଆଁରେ ଘିଅ ଢ଼ାଳିବା କାର୍ଯ୍ୟ’ କରିବାର ସମ୍ଭାବନା ବେଶୀ । ଦଳ ୨୦୧୭ ପଂଚାୟତ ନିର୍ବାଚନ ଓ ଧାମନଗର ଉପନିର୍ବାଚନ ପରିଚାଳନାର ତ୍ରୁଟିରୁ ଯଦି ଶିକ୍ଷା ନନିଏ ତା’ହେଲେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବିଜେଡିକୁ ୧୯୯୫ ମସିହା ବିଜୁ ପଟ୍ଟନାୟକଙ୍କ ନିର୍ବାଚନ ଭଳି ପରିଣାମ ଦେବ ବୋଲି ଆକଳନ ହେଉଛି ।

Related story