ବିଜେଡିର ନିର୍ବାଚନୀ ଇସ୍ତାହାର: ଚାଷୀ ଓ ମହିଳା ନିରାଶ, ହାତରେ ନିଶ୍ଚିତ ପାଣ୍ଠି ପାଇଁ ମିଳିଲାନି ପ୍ରତିଶ୍ରୁତି

ରାଜ୍ୟର ମହିଳା, ଚାଷୀ, ଯୁବବର୍ଗଙ୍କୁ ସନ୍ତୁଷ୍ଟ କରିବା ଭଳି କୌଣସି ଆଖିଦୃଶିଆ ଘୋଷଣା ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିନି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। (ଫାଇଲ ଫଟୋ)

  • Published: Thursday, 09 May 2024
  • , Updated: 10 May 2024, 09:11 AM IST

ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିବ । ଆଉ ଆଜି ରାତିରେ ବିଜେଡି ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି । କଂଗ୍ରେସ ଓ ବିଜେପି ପରେ ସମସ୍ତଙ୍କ ନଜର ବିଜେଡିର ନିର୍ବାଚନୀ ଇସ୍ତାହାର(ଘୋଷଣାପତ୍ର) ଉପରେ ରହିଥିଲା । ମାତ୍ର ବିଜେଡିର ଏହି ନିର୍ବାଚନୀ ଇସ୍ତାହାର ‘ବହୁ ଆଡ଼ମ୍ବରେ ଲଘୁକ୍ରିୟା’ ସଦୃଶ ହୋଇଛି । ରାଜ୍ୟର ମହିଳା, ଚାଷୀ, ଯୁବବର୍ଗଙ୍କୁ ସନ୍ତୁଷ୍ଟ କରିବା ଭଳି କୌଣସି ଆଖିଦୃଶିଆ ଘୋଷଣା ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିନି । ଓଲଟା ପୂର୍ବରୁ ଘୋଷଣା କରିଥିବା କିଛି ଓ କିଛି କାର୍ଯ୍ୟକାରୀ କରିନଥିବା ଯୋଜନାକୁ ଚଳିତ ଇସ୍ତାହାରରେ ଉଲ୍ଲେଖ କରି ବିଜେଡି ଧର୍ମକୁ ଆଖିଠାର ମାରିବା ଭଳି କାର୍ଯ୍ୟ କରିଛି । ରାଜ୍ୟର ୭୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଚାଷୀଙ୍କ ପାଇଁ ପେନସନ କିମ୍ବା ଚାଷକୁ ପ୍ରୋତ୍ସାହନ ପାଇଁ କୌଣସି ଘୋଷଣା କି ସହାୟତା ଦେବାକୁ ବିଜେଡି ଉଚିତ୍ ମଣିନି । ଏପରିକି ଯେଉଁ ମହିଳା ଭୋଟ ଉପରେ ବିଜେଡି ନିର୍ଭର କରିଥାଏ ସେହି ମହିଳାମାନଙ୍କ ହାତରେ ପ୍ରତ୍ୟେକ ମାସରେ ‘ନିଶ୍ଚିତ ପାଣ୍ଠି’ ଦେବାକୁ ବି ବିଜେଡି କୌଣସି ପଦକ୍ଷେପ ନେଇନି ।

ସୂଚନା ଅନୁସାରେ, କଂଗ୍ରେସ ଓ ବିଜେପିର ନିର୍ବାଚନୀ ଇସ୍ତାହାର ପରେ ବିଜେଡି ଆଜି ତା’ର ବହୁ ପ୍ରତୀକ୍ଷିତ ନିବାଚନୀ ଘୋଷଣାପତ୍ର(ଇସ୍ତାହାର) ଜାରି କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନ ଏହି ଇସ୍ତାହାରକୁ ଜାରି କରୁଥିବାର ଫଟୋଚିତ୍ର ସହ ନବୀନଙ୍କ ଭିଡିଓ ଗଣମାଧ୍ୟମକୁ ଦିଆଯାଇଛି । ଜ୍ୟୋତିଷଶାସ୍ତ୍ର ଉପରେ ଭରସା ରଖି ବିଜେଡି ନିଜର ଇସ୍ତାହାରରେ ୯ଟି ପଏଣ୍ଟକୁ ସାମିଲ କରିଥିବା ଭଳି ପ୍ରତୀତ ହୋଇଛି। ୨୪ଟି ଦିଗ ଉପରେ ଗ୍ୟାରେଣ୍ଟି ଦେଇ ଓଡ଼ିଶାକୁ ୧ନମ୍ବର କରିବା ଆମର ଲକ୍ଷ୍ୟ ବୋଲି କହିଛି। 

ରାଜ୍ୟର ଚାଷୀଙ୍କୁ ପେନସନ କିମ୍ବା ସେମାନଙ୍କ ଚାଷକୁ ପ୍ରୋତ୍ସାହନ ଯୋଗାଇବା ପାଇଁ କୌଣସି ଆଖିଦୃଶିଆ ଘୋଷଣା କରିନି ବିଜେଡି । ନିଜର ଇସ୍ତାହାରରେ କେବଳ ଚାଷୀ କାର୍ଯ୍ୟ ପାଇଁ ମାଗଣା ବିଦ୍ୟୁତ(ହାତଗଣତି ଚାଷୀ ବିଦ୍ୟୁତ ଉପଯୋଗ କରନ୍ତି) ଦେବାର ପ୍ରତିଶ୍ରୁତି ଦେଇଛି । ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଫସଲ ଋଣ ପରିମାଣକୁ ଦେଢ଼ଲକ୍ଷ ଟଙ୍କାକୁ ବୃଦ୍ଧି ସହ କାଳିଆ ଯୋଜନାର ଅନୁଦାନ ଜାରି ରହିବ ବୋଲି ଇସ୍ତାହାରରେ ଉଲ୍ଲେଖ ଅଛି । ତେବେ ଚାଷୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା କିମ୍ବା ପଂଚାୟତରେ ଫସଲ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଓ ଗୋଦାମଘର ଆଦି ଭଳି ଘୋଷଣାକୁ ବିଜେଡି ଗୁରୁତ୍ୱ ଦେଇନି । କିମ୍ବା ଚାଷୀଙ୍କୁ ସନ୍ତୁଷ୍ଟ କରିବା ଭଳି ସେଭଳି ଆଖିଦୃଶିଆ ପ୍ରତିଶ୍ରୁତି ମଧ୍ୟ ଦେଇନି ।

ସେହିପରି ରାଜ୍ୟର ଯୁବବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ନିଜର ଇସ୍ତାହାରରେ କିଛି ନୂଆ ଘୋଷଣା କରିନି । ଖାଲି ପଡ଼ିଥିଲା ଲକ୍ଷେରୁ ଅଧିକ ସରକାରୀ ପଦବୀକୁ ଦୀର୍ଘ ଦେଢ଼ ଦଶନ୍ଧି ଧରି ପୂରଣ କରିବାରେ ବିଫଳ ଥିବା ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଆଗାମୀ ୫ବର୍ଷ ମଧ୍ୟରେ ୨ଲକ୍ଷ ସରକାରୀ ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି । ନିର୍ବାଚନ ପୂର୍ବରୁ ଆଣିଥିବା ‘ନୂଆ ଓ ଛାତ୍ରବୃତ୍ତି’ ପରିମାଣରେ ୨ହଜାର ଟଙ୍କା ବୃଦ୍ଧି ଘୋଷଣା କରିଛି । ତେବେ ୨୦୧୯ ନିର୍ବାଚନୀ ଇସ୍ତାହାରରେ ‘କେଜିରୁ ପିଜି’ ପର୍ଯ୍ୟନ୍ତ ସମସ୍ତ ଝିଅଙ୍କୁ ମାଗଣା ପାଠପଢ଼ାର ଘୋଷଣାକୁ ଏବେବି କାର୍ଯ୍ୟକାରୀ କରିବାରେ ବିଜେଡି ସଫଳ ହୋଇନି ।

ସେହିପରି ମହିଳାଙ୍କୁ ନିଜର ଭୋଟ୍ ମେସିନ ଭାବେ ଉପଯୋଗ କରୁଥିବା ବିଜେଡି ନିଜର ଇସ୍ତାହାରରେ ମହିଳାଙ୍କ ପାଇଁ କିଛି ଖାସ୍ ଘୋଷଣା କରିବ ବୋଲି ଆଶା କରାଯାଉଥିଲା । ୨୦୧୪ ଓ ୨୦୧୯ ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ବିଜେଡି ଏପର୍ଯ୍ୟନ୍ତ ପାଳନ କରିନି । ଚଳିତ ଇସ୍ତାହାରରେ ମହିଳା ଏସଏଚଜିଙ୍କୁ ବିନାସୁଧରେ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ,  ଆସନ୍ତା ୫ବର୍ଷରେ ଦେଢ଼ଲକ୍ଷ କୋଟି ଟଙ୍କାର ଆର୍ଥିକ ଲିଙ୍କେଜ୍ ଓ ୧୦ବର୍ଷ ମଧ୍ୟରେ ୨୦ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ ଯୋଗାଇବା, ମହିଳା ଉଦ୍ୟୋଗୀଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡିଯୁକ୍ତ ଋଣ, ମିଶନ ଶକ୍ତି ମହିଳାଙ୍କ ପାଇଁ ପେନସନ ପ୍ରଦାନ ସମେତ ଆଶା, ଅଙ୍ଗନବାଡ଼ି ଓ ଅନ୍ୟ ତୃଣମୂଳସ୍ତରର ମହିଳା କର୍ମୀଙ୍କୁ ବିଏସକେୱାଇ ଓ ସାମାଜିକ ସୁରକ୍ଷା ପେନସନ ଯୋଗାଇ ଦିଆଯିବ ବୋଲି ବିଜେଡି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ମାତ୍ର ମିଶନଶକ୍ତି ମହିଳାଙ୍କୁ କେତେ ଟଙ୍କାର ପେନସନ୍ ମିଳିବ ତାହା ଉଲ୍ଲେଖ କରିନି । ତା’ଛଡ଼ା ରାଜ୍ୟର ସବୁ ବର୍ଗର ଲୋକେ ବିଏସକେୱାଇ କାର୍ଡ ପାଇବେ ବୋଲି ପୂର୍ବରୁ ସରକାର ଘୋଷଣା କରିଥିବାବେଳେ ଇସ୍ତାହାରରେ କ’ଣ ନୂତନତ୍ୱ ରହିଛି ତାହା ବୁଝାପଡ଼ିନି । ରାଜ୍ୟରେ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନଙ୍କୁ ସାମାଜିକ ସୁରକ୍ଷା ପେନସନ୍ ମିଳିବାର ପ୍ରାବଧାନ ରହିଛି । ମହିଳାମାନଙ୍କୁ ଏଥିରେ ଅଧିକ ବିଜେଡି କ’ଣ ଯୋଗାଇବ ତାହା ବି କହିନି ।

ଅନ୍ୟପକ୍ଷରେ ବିଜେପି ରାଜ୍ୟରେ ସରକାରକୁ ଆସିଲେ ‘ସୁଭଦ୍ରା’ ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କାର କ୍ୟାସ ଭାଉଚର ଦେବାର ପ୍ରତିଶ୍ରୁତି ଦେଇଛି । ଏହି କ୍ୟାସ ଭାଉଚରକୁ ଜଣେ ମହିଳା ବର୍ଷକୁ ୨୫ହଜାର ଟଙ୍କା ଆକାରରେ ନିଜ ଇଚ୍ଛାରେ ଖର୍ଚ୍ଚ କରିପାରିବେ । ଅର୍ଥାତ୍ ମାସକୁ ୨୦୮୩ଟଙ୍କାର ‘ନିଶ୍ଚିତ ପାଣ୍ଠି’ ଜଣେ ମହିଳା ପାଇପାରିବେ । ରାଜ୍ୟରେ ୨୫ଲକ୍ଷ ‘ଲକ୍ଷପତି ଦିଦି’,  ସମସ୍ତ ବିପିଏଲ୍ ଝିଅମାନଙ୍କ ପାଇଁ ୨ଲକ୍ଷ ଟଙ୍କାର ଆଶ୍ୱାସନା ପ୍ରମାଣପତ୍ର, ମାତୃତ୍ୱ ସୁରକ୍ଷା ଯୋଜନାରେ ୨୧ହଜାର ଟଙ୍କାର ସହାୟତାର ପ୍ରତିଶ୍ରୁତି ଦେଇଛି । କେବଳ ସେତିକି ନୁହେଁ  ଚାଷୀଙ୍କଠୁ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମାସକୁ ୩ହଜାର ଟଙ୍କା, ମତ୍ସ୍ୟଜୀବୀଙ୍କୁ ମାସକୁ ୧୦ହଜାର ଟଙ୍କା ଭତ୍ତା, ଯୁବବର୍ଗଙ୍କ ପାଇଁ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ୫ଲକ୍ଷ ପଦବୀରେ ନିଯୁକ୍ତି, ୧୫ଲକ୍ଷ ଗରିବଙ୍କୁ ପକ୍କାଘର, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ସହ ୨୧ଟି ସଂକଳ୍ପ ବିଜେପି ନେଇଛି । ବିଜେପିର ଏହି ନିର୍ବାଚନୀ ପ୍ରତିଶ୍ରୁତି ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ଲାଗିଥିବାରୁ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଆଶା ସଂଚାର ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ସେହିପରି କଂଗ୍ରେସ ମଧ୍ୟ ରାଜ୍ୟରେ କ୍ଷମତାକୁ ଆସିଲେ ‘ଗୃହଲକ୍ଷ୍ମୀ’ ଯୋଜନାରେ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ହଜାର ଟଙ୍କାର ଭତ୍ତା,ସିଲିଣ୍ଡର ପାଇଁ ମାସକୁ ୫୦୦ଟଙ୍କା, ବିଧବା-ବାର୍ଦ୍ଧକ୍ୟ ଭତ୍ତା ମାସକୁ ୨ହଜାର ଟଙ୍କା, ସବୁ ପରିବାରକୁ ମାଗଣା ୨୦୦ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ , କୃଷି ଋଣ ଛାଡ଼ ଓ ଚାଷୀଙ୍କୁ ମାସିକ ୨ହଜାର ଟଙ୍କାର ପେନସନ, ବେକାରୀ ଭତ୍ତା ୩ହଜାର ଟଙ୍କା ଓ ୫ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଛି ।

ସୂଚନାଯୋଗ୍ୟ,  ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଏବେବି ଅନେକ ପାଳନ କରିନି ।  ୨୦୧୪ରେ ଦଳ ‘ଆଶ୍ରୟ ସୁରକ୍ଷା ମିଶନ’ ଗଠନ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରିନି । କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ, ଭିତ୍ତିଭୂମିର ବିକାଶ ମାଧ୍ୟମରେ ମଡେଲ ପଂଚାୟତ ଓ ଗାଁ, ଜିଲ୍ଲାସ୍ତରରେ ନିୟମିତ ନିଯୁକ୍ତି ମେଳା ଆଦିର ପ୍ରତିଶ୍ରୁତି ସହ ରାଜ୍ୟରେ  ‘ସାମଗ୍ରିକ ମହିଳା ନୀତି’ ପ୍ରଣୟନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା ।

ସେହିପରି ୨୦୧୯ ନିର୍ବାଚନୀ ଇସ୍ତାହାରରେ ‘କେଜିରୁ ପିଜି’ ପର୍ଯ୍ୟନ୍ତ ଝିଅମାନଙ୍କୁ ମାଗଣା ଶିକ୍ଷା, ରାଜ୍ୟ ସରକାରଙ୍କ ନିଯୁକ୍ତି ଏଜେନ୍ସୀ ଦ୍ୱାରା ପରିଚାଳିତ ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଫି’ ଛାଡ଼, ସୁନାଝିଅ ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ୨୫ହଜାର ଟଙ୍କାର ବିବାହକାଳୀନ ସହାୟତା, ମହିଳା ଏସଏଚଜିଙ୍କ ଜିଲ୍ଲା ଓ ରାଜ୍ୟସ୍ତରୀୟ ଫେଡେରେସନ୍ ଗଠନ କରି କର୍ମକର୍ତ୍ତାଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୁବିଧାସୁଯୋଗ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଏସବୁ ଏବେବି ପୂରଣ କରିବାରେ ବିଜେଡି ସରକାର ଏପର୍ଯ୍ୟନ୍ତ ସକ୍ଷମ ହୋଇନଥିଲାବେଳେ ଏବେପୁଣିଥରେ ମହିଳା ଏସଏଚଜିଙ୍କୁ ସନ୍ତୁଷ୍ଟ ପାଇଁ ଉଦ୍ୟମ କରିଛି । ତେବେ ରାଜ୍ୟରେ ମିଶନଶକ୍ତିରେ ୭୦ଲକ୍ଷ ଏସଏଚଜି ମହିଳା ସଦସ୍ୟ ଅଛନ୍ତି ବୋଲି ବିଜେଡି ଦାବି କରୁଛି । ମାତ୍ର ବାସ୍ତବରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଷ ମାତ୍ର ୧୦ରୁ ୨୦ପ୍ରତିଶତ ମହିଳା ହିଁ ଉପକୃତ ହେଉଥିବା ଜଣାପଡ଼ିଛି ।

Related story