ଆଇନଜୀବୀଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ବିଜେଡି ଆଇନ ସାମ୍ମୁଖ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜସ୍ୱ ମହତ୍ୱାକାଂକ୍ଷୀ ‘ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା’ରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟର ବିଜେଡି ସରକାର ଡିଣ୍ଡିମ ପିଟୁଥିବାବେଳେ ଶାସକ ଦଳ ବିଜେଡିର ଆଇନ ସାମ୍ମୁଖ୍ୟ ପକ୍ଷରୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦାବି କରାଯାଇଛି। ଶାସକ ବିଜେଡିର ନିଜସ୍ୱ ଆଇନ ସାମ୍ମୁଖ୍ୟର ଆବାହକ ଆଡଭୋକେଟ୍ ମିଲନ କାନୁନଗୋ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କୋଭିଡ୍ ମହାମାରୀ କାରଣରୁ […]

lawyers

lawyers

Ordigital Desk
  • Published: Friday, 18 June 2021
  • Updated: 18 June 2021, 11:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜସ୍ୱ ମହତ୍ୱାକାଂକ୍ଷୀ ‘ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା’ରେ ରାଜ୍ୟର ସବୁ ବର୍ଗର ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ରାଜ୍ୟର ବିଜେଡି ସରକାର ଡିଣ୍ଡିମ ପିଟୁଥିବାବେଳେ ଶାସକ ଦଳ ବିଜେଡିର ଆଇନ ସାମ୍ମୁଖ୍ୟ ପକ୍ଷରୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦାବି କରାଯାଇଛି।

ଶାସକ ବିଜେଡିର ନିଜସ୍ୱ ଆଇନ ସାମ୍ମୁଖ୍ୟର ଆବାହକ ଆଡଭୋକେଟ୍ ମିଲନ କାନୁନଗୋ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କୋଭିଡ୍ ମହାମାରୀ କାରଣରୁ ଆର୍ଥିକ ଦୁଃସ୍ଥିତିରେ ଥିବା ଓକିଲମାନଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଶ୍ରୀ କାନୁନଗୋ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ମହାମାରୀ ଯୋଗୁ ଗତ ଦେଢ଼ବର୍ଷ ହେବ କୋର୍ଟ ବନ୍ଦ ରହିଛି। ଏହି କାରଣରୁ ଓକିଲମାନେ ନିଜର ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ବି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓକିଲମାନେ ଅତ୍ୟାବଶ୍ୟକ ସେବା ଯୋଗାଇ ଦେଉଛନ୍ତି।

ଆବେଦନକାରୀଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଓ ସରକାରଙ୍କ ବିଭିନ୍ନ ମାମଲା ପାଇଁ ଓକିଲମାନଙ୍କୁ କୋର୍ଟରେ ପକ୍ଷ ରଖିବାକୁ ପଡ଼ୁଛି। ଏହି କାରଣରୁ ବହୁ ସଂଖ୍ୟକ ଓକିଲ କୋଭିଡ-୧୯ ରେ ସଂକ୍ରମିତ ହେବା ସହ ଅନ୍ୟାନ୍ୟ ରୋଗର ଶିକାର ହୋଇଛନ୍ତି । ଏହି ଚିକିତ୍ସା ଖର୍ଚ୍ଚକୁ ବହନ କରିବା ଓକିଲମାନଙ୍କ ପାଇଁ ସମସ୍ୟା ହେଉଛି। ସେମାନେ ନିଜର ଚିକିତ୍ସା ଖର୍ଚ୍ଚର ବୋଝକୁ ବହନ କରିବାକୁ ଅସମର୍ଥ ହୋଇପଡ଼ୁଛନ୍ତି ।

ଏପରିକି ସାଧାରଣ ସମୟରେ ବି ଓକିଲମାନେ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚ ତୁଲାଇବାରେ ସମସ୍ୟା ଭୋଗିଥାନ୍ତି। ତେଣୁ ଏହି କାରଣରୁ ଓକିଲମାନଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଗଲେ ସମଗ୍ର ଓକିଲ ସମାଜ କୃତଜ୍ଞ ରହିବ । ଏହା ଓକିଲ ସମୁଦାୟକୁ ସୁଦୃଢ଼ କରାଇବ ଓ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ସେମାନଙ୍କ ମନୋବଳ ବୃଦ୍ଧି କରିବ ବୋଲି ଶ୍ରୀ କାନୁନଗୋ କହିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ନିଜସ୍ୱ ‘ବିଜୁ କଲ୍ୟାଣ ଯୋଜନା’ରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ସବୁସ୍ତରର ସରକାରୀ ମେଡିକାଲରେ ସବୁ ବର୍ଗର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି । ଏହାବ୍ୟତୀତ ଗରିବ ଶ୍ରେଣୀର ଲୋକଙ୍କୁ ଅନ୍ୟ ଘରୋଇ ହସ୍ପିଟାଲରେ ବାର୍ଷିକ ୫ଲକ୍ଷ ଟଙ୍କା ଓ ମହିଳାଙ୍କୁ ୭ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ପ୍ରଚାର କରୁଛନ୍ତି । ଯଦି ସରକାରୀ ମେଡିକାଲ ଓ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା ଦିଆଯାଉଛି ତା’ହେଲେ ତା’ର ସୁବିଧା କେଉଁମାନେ ନେଉଛନ୍ତି?

ରାଜ୍ୟର ଓକିଲମାନେ ବିଶେଷକରି ବିଜୁ ଜନତା ଦଳର ଛାମୁଆ ସଂଗଠନ ବିଜେଡି ଆଇନ ସାମ୍ମୁଖ୍ୟ ଏବେ ଓକିଲମାନଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଦାବି କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ଉପରେ ପରୋକ୍ଷରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାର କୋଭିଡ୍ ପାଇଁ ମାଗଣା ଚିକିତ୍ସା ସୁବିଧା ଦେଉଥିବାବେଳେ ଅନ୍ୟାନ୍ୟ ସମସ୍ତ ରୋଗର ଚିକିତ୍ସା ସୁବିଧା ମଧ୍ୟ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ମାଗଣାରେ ଦିଆଯାଉଛି ବୋଲି କହୁଛନ୍ତି । ଯଦି ଏହା ସତ, ତେବେ ଓକିଲଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ମାଗଣାରେ ସରକାରୀ ଚିକିତ୍ସା ସେବା ପାଇପାରନ୍ତେ ଓ ସେମାନଙ୍କୁ ଅଯଥାରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ନ୍ତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos