ପୁଣି ବିବାଦରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ

again controversy

BJD MLA Byomkesh Ray

Ordigital Desk
  • Published: Wednesday, 06 October 2021
  • , Updated: 06 October 2021, 10:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ନିୟମକୁ ଉଲ୍ଲଘଂନ କରି ଚାନ୍ଦବାଲିି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏବେ ପୁଣିଥରେ ବିବାଦଘେରରେ। ନିଜର କ୍ଷମତାର ଅପବ୍ୟବହାର କରି ପୁଲିସକୁ ଚକ୍‌ମା ଦେଇ ଶ୍ରୀ ରାୟ ନିଜ ଗାଡ଼ିକୁ ପୁରୀ ଶ୍ରୀମନ୍ଦିର ସମ୍ମୁଖକୁ ନେବାରେ ସକ୍ଷମ ହୋଇଥିଲେ। ଯାହାକୁ ସ୍ଥାନୀୟ ଜଣେ ଯୁବକ ନିଜର ଫେସବୁକ୍ ମାଧ୍ୟମରେ ଲାଇଭ୍ ପ୍ରସାରଣ କରି ପୁରୀ ଏସପି ଓ ପୁଲିସକୁ ଜବାବ ମାଗିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଓଡ଼ି୨୨ଏନ୍‌୦୦୧ ନମ୍ବର ବିଶିଷ୍ଟ ଫୋର୍ଡ କମ୍ପାନୀର ଏକ ବିଳାସପୂର୍ଣ୍ଣ ଗାଡ଼ି ଶ୍ରୀମନ୍ଦିର ସମ୍ମୁଖ ଅରୁଣ ସ୍ତମ୍ଭ ନିକଟରେ ପାର୍କିଂ କରିଥିଲା। ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ କର୍ମଚାରୀମାନେ ଏହା ଦେଖିଥିଲେ ମଧ୍ୟ କେହି କିଛି ପ୍ରତିବାଦ ଜଣାଇନଥିଲେ। ସ୍ଥାନୀୟ ଜଣେ ଯୁବକ ଏନେଇ ପୁଲିସକୁ ପ୍ରଶ୍ନ କରିବା ସହ ଏ ଗାଡ଼ି କିଭଳି ଶ୍ରୀମନ୍ଦିର ସାମ୍ନାକୁ ଆସିଲା ବୋଲି ପ୍ରଶ୍ନ କରିଥିଲେ। ମାତ୍ର ପୁଲିସ କିଛି ନକହି ଏଡ଼ାଇ ଯିବାରୁ ସେ ନିଜର ଫେସବୁକ ମାଧ୍ୟମରେ ଏହି ଗାଡ଼ି ଅଟକି ରହିଥିବାର ଭିଡ଼ିଓକୁ ଭାଇରାଲ କରିଥିଲେ। ସେ ପୁରୀର ବାସିନ୍ଦା ହୋଇଥିଲେ ମଧ୍ୟ ତାଙ୍କଠୁ ଗତକାଲି ଫାଇନ୍ ରଖାଯାଇଥିବାବେଳେ ଏହି ଗାଡ଼ିକୁ କିଏ ମନ୍ଦିର ପାଖକୁ ନେବାକୁ ଅନୁମତି ଦେଲା ବୋଲି ସେ ଭିଡିଓ ମାଧ୍ୟମରେ ପୁରୀ ଜିଲ୍ଲା ଏସପିଙ୍କୁ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ଯୁବକଙ୍କ ଏଭଳି ଲାଇଭ୍ ପ୍ରସାରଣକୁ ସେଠାରେ ଥିବା ପୁଲିସ କର୍ମଚାରୀମାନେ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ଏପରିକି ଯୁବକଙ୍କ ଏଭଳି ଲାଇଭ୍ ପ୍ରସାରଣକୁ ଦେଖି ପୁଲିସ ସୁରକ୍ଷା ମଧ୍ୟରେ ଡ୍ରାଇଭର ଗାଡ଼ିକୁ ସେଠାରୁ ନେଇ ପଳାଇଥିଲେ। ପରେ ଗାଡ଼ିର ସମ୍ମୁଖ ପଟରେ ‘ଏମଏଲଏ’ ପାସ୍ ମରାଯାଇଥିବା ଦେଖିବାକୁ ମିଳିଥିଲା । ଯାହାକି ଜଣେ ବିଜେଡି ବିଧାୟକଙ୍କର ଗାଡ଼ି ବୋଲି ଜଣାପଡ଼ିଥିଲା । ପରେ ରାଜ୍ୟ ପରିବହନ ବିଭାଗର ତଥ୍ୟ ଅନୁସାରେ ସମ୍ପୃକ୍ତ ନମ୍ବର ବିଶିଷ୍ଟ ଗାଡ଼ି ବିଧାୟକ ବ୍ୟୋମକେଶ ରାୟଙ୍କର। ସେହି ଏଣ୍ଡେଭର ଗାଡ଼ିଟି ୨୦୨୦ ଜୁଲାଇ ୨୨ତାରିଖରେ ପଞ୍ଜିକୃତ ହୋଇଛି । ଆଜି ଗାଡ଼ିଟି ପୁରୀ ଶ୍ରୀମନ୍ଦିର ସମ୍ମୁଖକୁ ଯିବାବେଳେ ଉକ୍ତ ଗାଡ଼ିରେ ବିଧାୟକ ଶ୍ରୀ ରାୟ ଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଏହାର ୭୫ମିଟର ପରିସର ମଧ୍ୟରେ ଥିବା ସମସ୍ତ ଦୋକାନ ଓ ଘରକୁ ଉଚ୍ଛେଦ କରିଛନ୍ତି । ଏହାସହିତ ଶ୍ରୀମନ୍ଦିର ନିକଟକୁ କେବଳ ଭିଭିଭିଆଇପିଙ୍କ(ଜେଡ୍‌, ୱାଇ ପ୍ଲସ ସୁରକ୍ଷାରେ) ଥିବା ବ୍ୟକ୍ତିଙ୍କ ଗାଡ଼ି ବ୍ୟତୀତ ଅନ୍ୟ କାହାରି ଯିବା ପାଇଁ ଅନୁମତି ନାହିଁ । ଅନ୍ୟମାନଙ୍କୁ ଶ୍ରୀମନ୍ଦିରଠୁ ପ୍ରାୟ ୫୦୦ମିଟର ଦୂରରେ ଗାଡ଼ି ପାର୍କିଂ ରଖିବାର ନିୟମ ରହିଛି । ପୁଲିସ ମଧ୍ୟ ସେଠାରେ ବ୍ୟାରିକେଡ୍ କରି ଗାଡ଼ିକୁ ଅଟକାଇଥାଏ । ମାତ୍ର ଏତେ କଡ଼ା ସୁରକ୍ଷା ମଧ୍ୟରେ ବିଧାୟକ ଶ୍ରୀ ରାୟ କିଭଳି ନିଜ ଗାଡ଼ିକୁ ମନ୍ଦିର ପାଖକୁ ନେଇଥିଲେ ତାହା ନାକେବଳ ପୁରୀ ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବରଂ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ବିଧାୟକ ନିଜେ ଆଇନକୁ ଉଲ୍ଲଘଂନ କରୁଥିବାବେଳେ ତାଙ୍କଠୁ କାହିଁକି ଫାଇନ୍ ରଖାନଯିବ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି ।ପୂର୍ବରୁ ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସ ସହଯୋଗୀଙ୍କ ଗାଡ଼ି ଚଢ଼ି ଶ୍ରୀ ରାୟ ବିବାଦଘେରକୁ ଆସିଥିଲେ। ଦ୍ୱିତୀୟ କ୍ଷମତାକେନ୍ଦ୍ର ଓ ବିଜେଡି ସଂଗଠନ ସମ୍ପାଦକଙ୍କ ଘନିଷ୍ଠ ବୋଲି କହି ବିଧାୟକ ଶ୍ରୀ ରାୟ ଏବେ ଧରାକୁ ସରା ମଣି ନିଜର କ୍ଷମତାର ଅପବ୍ୟବହାର କରୁଥିବା ଚର୍ଚ୍ଚା ହେଉଛି।

Related story