ପାରଳାଖେମୁଣ୍ଡି(ଆଦର୍ଶ ଦାସ): ରାଜ୍ୟରେ ମହାମାରୀ କରୋନା ଆୟତ୍ତକୁ ଆସିଥିଲେ ମଧ୍ୟ ବିପଦ ଟଳିନାହିଁ। ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଦେଉଛନ୍ତି। ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ ଓ ସଭାସମିତି ନକରିବାକୁ କୁହାଯାଉଛି। ହେଲେ ରାଜ୍ୟର ଶାସକ ଦଳର ନେତାଙ୍କ କାନରେ ଏହି ମନ୍ତ୍ର ପଡ଼ୁନଥିବା ପରି ମନେ ହେଉଛି। କାରଣ କିଛି ଦିନ ତଳେ ବିଜେଡିର ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିଜ ବାପାଙ୍କ ପ୍ରଥମ ବାର୍ଷିକୀରେ ସଭାସମିତି କରିବା ସହିତ ଭୋଜି ଆୟୋଜନ କରିଥିଲେ। ଏବେ ତାଙ୍କ ରାସ୍ତାରେ ସାଂସଦ ଚନ୍ଦ୍ର ଶେଖର ସାହୁ ଯାଇଥିବା ଆଲୋଚନା ହେଉଛି। ସେ କୋଭିଡ୍ ଗାଇଡ୍ଲାଇନ୍କୁ ଉଲ୍ଲଙ୍ଘନ କରି ଆୟୋଜନ କରିଛନ୍ତି ବିଜେଡି ବିଶ୍ରମ ପର୍ବ। ଶାସକ ଦଳର ଏପରି କାର୍ଯ୍ୟକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି।
[caption id="attachment_663135" align="aligncenter" width="650"]
ବର୍ତ୍ତମାନ ସୁଦ୍ଧା ଓଡ଼ିଶା କୋଭିଡ୍ କଟକଣା ମୁକ୍ତ ହୋଇନାହିଁ। ରାଜନୈତିକ ସଭା, ଶୋଭାଯାତ୍ରା ପାଇଁ ଅନୁମତି ମିଳିନି। ଏହା ସତ୍ତ୍ୱେ ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରାବନ୍ଧରେ ବିଜେଡି ପକ୍ଷରୁ ଆୟୋଜନ କରାଯାଇଛି ଜୋନ୍ ସ୍ତରୀୟ ସଭା ଓ ମିଶ୍ରଣ ପର୍ବ। ଯେଉଁ ଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ସ୍ତରୀୟ ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ସଭା ପୂର୍ବରୁ ଏକ ବିରାଟ ବାଇକ ଶୋଭାଯାତ୍ରା ହୋଇଥିଲା। ଏଥିରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ପରେ ହୋଇଥିଲା ସଭା। ମାତ୍ର ସେଠାରେ ଉପସ୍ଥିତ ଥିବା ଅଧିକାଂଶ କର୍ମୀ ମୁହଁରେ ମାସ୍କ ପିନ୍ଧି ନଥିଲେ। ସମସ୍ତେ ପାଖାପାଖି ବସିଥିବା ଦେଖିବାକୁ ମିଳିଥିଲା। ସଭା ପରେ ହୋଇଥିଲା ଗ୍ରାଣ୍ଡ ଫିଷ୍ଟ। ଭୋଜି ଭାତରେ ସମସ୍ତେ ମାତିଥିଲେ। ସେଥିରେ ମଧ୍ୟ ନଥିଲା ସାମାଜିକ ଦୂରତା।
ଶାସକ ଦଳର ସାଂସଦ, ତାଙ୍କ କର୍ମୀ ଓ ନେତାମାନେ ସରକାରୀ ନିୟମକୁ ଖୋଲମ୍ଖୋଲା ଉଲ୍ଲଂଘନ କରୁଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ସେ କହିଛନ୍ତି, ସାଧାରଣ ଲୋକେ ନିୟମ ଭାଙ୍ଗିଲେ ହଜାର ହଜାର ଟଙ୍କା ଜୋରିମାନା କରାଯାଉଛି। ହେଲେ ସରକାରୀ ଦଳ ଆୟୋଜନ କରୁଥିବା କାର୍ଯ୍ୟକ୍ରମ ବେଳେ ପ୍ରଶାସନ ନିରବ ରହୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ।
ବିଜେପି ପରି ଯୁବ କଂଗ୍ରେସ ମଧ୍ୟ ବିଜେଡିର ଏପରି କାର୍ଯ୍ୟକ୍ରମକୁ ବିରୋଧ କରିଛି। ଯୁବ କଂଗ୍ରେସ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ବିଜେଡିର ବାଇକ ଶୋଭାଯାତ୍ରା ଗାରାବନ୍ଧ ଥାନା ସମ୍ମୁଖ ଦେଇ ଯାଇଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିବା ଆଶ୍ଚର୍ଯ୍ୟ ଲାଗୁଛି। ତେଣୁ ଆଗାମୀ ଦିନରେ ଯୁବ କଂଗ୍ରେସ ପକ୍ଷରୁ ଏନେଇ ଏତେଲା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଯୁବ କଂଗ୍ରେସ ସଭାପତି।
ସେପଟେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କିନ୍ତୁ ସେମିତି କିଛି ଉଲ୍ଲଙ୍ଘନ ହୋଇନଥିବା କହିଛନ୍ତି। ସରକାରଙ୍କ ନିୟମ ଅନୁସାରେ ସବୁ କିଛି କମ ଲୋକଙ୍କୁ ନେଇ ହୋଇଥିଲା କହିଥିଲା ବୋଲି କହିଛନ୍ତି।