ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଦୀର୍ଘ ଦେଢ଼ମାସରୁ ଅଧିକ ଦିନ ଧରି ଚାଲିଥିବା ବିଜେଡିର ପଦାଧିକାରୀ ଘୋଷଣା ପ୍ରକ୍ରିୟାରେ ଆଜି ଆଉ ୮୬ଜଣଙ୍କୁ ସାଂଗଠନିକ ପଦାଧିକାରୀ ଭାବେ ଥଇଥାନ କରାଯାଇଛି। ପ୍ରଥମଥର ପାଇଁ ବିଜେଡିର ପଦାଧିକାରୀ ତାଲିକା ୧୫୦ରୁ ଅଧିକ ହୋଇଥିବାବେଳେ କୋଷାଧ୍ୟକ୍ଷ ପଦବୀ ପାଇଁ ଏପର୍ଯ୍ୟନ୍ତ କାହାରି ନାମ ଘୋଷଣା ହୋଇନି। ଆଜି ଦଳର ସମ୍ପାଦକ ଓ ଯୁଗ୍ମ ସମ୍ପାଦକ(ପ୍ରଥମଥର) ତାଲିକା ଘୋଷଣା ହୋଇଛି। ସମ୍ପାଦକ ପଦବୀରେ ୪୫ଜଣ ଓ ଯୁଗ୍ମ ସମ୍ପାଦକ ପଦବୀରେ ୪୧ଜଣଙ୍କୁ ଥଇଥାନ କରାଯାଇଥିଲେ ମଧ୍ୟ ନେତାଙ୍କ ବରିଷ୍ଠତା ପ୍ରତି ସାମାନ୍ୟତମ ଦୃଷ୍ଟି ଦିଆଯାଇନି। ଦଳରେ କନିଷ୍ଠ ନେତାମାନଙ୍କୁ ସାଧାରଣ ସମ୍ପାଦକ ପଦବୀରେ ଥଇଥାନ କରାଯାଇଥିବାବେଳେ ଦଳ ଗଠନ ବେଳଠୁ ଥିବା ନେତାମାନଙ୍କୁ ସମ୍ପାଦକ ଓ ଏପରିକି ଯୁଗ୍ମ ସମ୍ପାଦକ ପଦବୀରେ ଅବସ୍ଥାପିତ କରାଯାଇଛି।
ବିଜେଡି ପକ୍ଷରୁ ଜାରି ତାଲିକା ଅନୁସାରେ, ୪୫ଜଣ ସମ୍ପାଦକଙ୍କ ତାଲିକାରେ ଜଣେ କିନ୍ନରଙ୍କ ସମେତ ୬ଜଣ ମହିଳା, ୩୮ଜଣ ପୁରୁଷଙ୍କୁ ସାମିଲ କରାଯାଇଛି। କିନ୍ନର ମୀରା ପରିଡ଼ାଙ୍କୁ ଦଳର ସମ୍ପାଦକ ଭାବେ ‘ଓଡ଼ିଶା ମୋ ପରିବାର’ ପ୍ରଭାରୀ କରାଯାଇଥିବାବେଳେ ଅମ୍ରେଶ ପତ୍ରୀ ଓ ରଞ୍ଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର ସମ୍ପାଦକ, ଅମରଜିତ୍ ସେନାପତି,ବିଶ୍ୱଜିତ ସାମନ୍ତରାୟ ଓ ମନ୍ଦାକିନୀ କରଙ୍କୁ ଯୁବ ବ୍ୟାପାର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଏସକେ ନିଜାମୁଦ୍ଦିନ ଓ ମହମ୍ମଦ ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର, ଭୁବନେଶ୍ୱର କିଷାନ ଓ ଭାରତୀ ସିଂହଙ୍କୁ ଆଦିବାସୀ ସଶକ୍ତିକରଣ, ଭୁବନେଶ୍ୱରର ପୂର୍ବତନ ଜିଲ୍ଲା ସଭାପତି ଅମରେଶ ଜେନାଙ୍କୁ ସଶକ୍ତ ଓଡ଼ିଶା ବ୍ୟାପାର ସମ୍ପାଦକ, ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ, ଅବସରପ୍ରାପ୍ତ ପ୍ରଶାସକ ରବିନାରାୟଣ ନନ୍ଦଙ୍କୁ କଳା ଓ ସଂସ୍କୃତି ବ୍ୟାପାର ସମ୍ପାଦକ ଭାବେ ଅବସ୍ଥାପିତ କରାଯାଇଛି ।
ସେହିପରି ଛାତ୍ର ସଭାପତି ଦୌଡ଼ରେ ଥିବା ହରିଶଙ୍କର ରାଉତଙ୍କ ସମେତ ରାକେଶ ରାମ, ପ୍ରକାଶ କୁମାର ଡାଙ୍ଗ ଓ ତନ୍ମୟ ସ୍ୱାଇଁଙ୍କୁ ଛାତ୍ର ବ୍ୟାପାରର ଯୁଗ୍ମ ସମ୍ପାଦକ, ଏମ ଧନଞ୍ଜୟ ରେଡ୍ଡୀ ଓ ଜ୍ୟୋତିରଞ୍ଜନ ଜେନାଙ୍କୁୂ ଯୁବ ବ୍ୟାପାରର ଯୁଗ୍ମ ସମ୍ପାଦକ ଭାବେ ସାମିଲ କରାଯାଇଛି ।
ଦଳରେ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟତମ ଜ୍ଞାନ ନଥିବା ନେତାମାନଙ୍କୁ ବିଭିନ୍ନ ପଦପଦବୀ ଦାୟିତ୍ୱ ଦିଆଯାଇଥିବାକୁ ନେଇ ଏବେ ଦଳ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଯଦିଓ କେହି ମୁହଁ ଖୋଲି କିଛି କହିବାକୁ ସାହାସ କରୁନାହାନ୍ତି ତଥାପି ଦଳରେ ଏହି ଅସନ୍ତୋଷ ଆଗାମୀ ଦିନରେ ଉଗ୍ର ରୂପ ନେବାର ଆଶଙ୍କା ରହିଛି ।
ସୂଚନାଯୋଗ୍ୟ, ଦଳ ପ୍ରଥମଥର ପାଇଁ ବରିଷ୍ଠ ଉପସଭାପତି , ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ ଓ ସାଧାରଣ ସମ୍ପାଦକ ପଦବୀରେ ୭୨ଜଣ ନେତାଙ୍କୁ ଥଇଥାନ କରିଥିଲା ।