BJD
ରାଜଧାନୀ ଭୁବନେଶ୍ୱରରେ ବିଜେଡି କଳି ନେଉଛି ଉଗ୍ର ରୂପ। ଭୁବନେଶ୍ୱର ଏକାମ୍ର ଓ ଉତ୍ତର ନିର୍ବାଚନମଣ୍ଡଳୀ ଟିକେଟ ଘୋଷଣା ହୋଇଥିଲେ ମଧ୍ୟ ପ୍ରବଳ ବିଦ୍ରୋହ ପାଇଁ ଅଟକି ରହିଛି ମଧ୍ୟ ନିର୍ବାଚନ ମଣ୍ଡଳୀ। ଏକାମ୍ରରେ ମଧ୍ୟ ପ୍ରବଳ ଅସନ୍ତୋଷ। ବିଦ୍ରୋହୀ ସ୍ୱାଧୀନ ଭାବେ ଲଢ଼ିବାକୁ ଘୋଷଣା କଲେଣି। ଏଭଳି ସ୍ଥଳେ ରାଜଧାନୀ ଭୋଟ ବ୍ୟାଙ୍କକୁ ଦଳ କେମିତି ବଞ୍ଚାଇବ ତାକୁ ନେଇ ଚିନ୍ତାରେ ଦଳପତି।
ରାଜଧାନୀରେ ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ଏକ ତରଫା ବିଜୟୀ ହେଉଥିଲା। ହେଲେ ଏଥର ବୋଧହୁଏ ଏତେ ସହଜ ହେବନାହିଁ। ଅଙ୍କ ଛିଡ଼ୁନଥିବାରୁ ଝୁଲି ରହିଲା ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ। ତୀବ୍ର ହେଲା ବିଧାୟକ ଅନନ୍ତ ଜେନାଙ୍କୁ ବିରୋଧ। ଅନନ୍ତଙ୍କୁ ବିରୋଧ କରି ଶେଷରେ ହାତ ମିଳାଇଛନ୍ତି ଦୁଇ ଆଶାୟୀ, ଅମରେଶ ଜେନା ଓ ରୁଦ୍ର ସାମନ୍ତରାୟ। ଏହି ଦୁହିଁଙ୍କ ସହ କିଛି ପୂର୍ବତନ କର୍ପୋରେଟର ମଧ୍ୟ ସାମିଲ ଅଛନ୍ତି। ପ୍ରଚାର ଆରମ୍ଭ କରି ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଇଛନ୍ତି।
ସେପଟେ ଆସନ ଟଳମଳ ଜାଣି, ବିଧାୟକ ଅନନ୍ତ ଜେନା ବୁଧବାର ନବୀନ ନିବାସ ଯାଇ ଶକ୍ତି ପ୍ରଦର୍ଶନ କରିଛନ୍ତି। କଳେ ବଳେ କୌଶଳେ ଟିକେଟ ହାତେଇବାକୁ ସୁପ୍ରିମୋଙ୍କ ପାଖେ ଆରମ୍ଭ କରିଦେଇଛନ୍ତି ଲବି। କିନ୍ତୁ ଗଣ ମାଧ୍ୟମରେ ଏନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ଏଭଳି ଛକା ପଞ୍ଝା ସ୍ଥିତି ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ଅନ୍ୟପକ୍ଷରେ ଭୁବନେଶ୍ୱର ଏକାମ୍ର ଟିକେଟ ପୁଣି ଅଶୋକ ପଣ୍ଡାଙ୍କୁ ମିଳିବା ପରେ ବିଦ୍ରୋହ ବଢ଼ିଛି। ଟିକେଟ ଆଶା ମଉଳିବା ପରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଖାଲି ସେତିକି ନୁହେଁ, ଦଳକୁ ଖୋଲା ଚାଲେଞ୍ଜ ଦେଇ କହିଛନ୍ତି, ନିର୍ବାଚନ ଫଳ କ’ଣ ହେବ ତାହା ଜୁନ ୪ ତାରିଖରେ ଜଣାପଡ଼ିବ। ଅନ୍ୟପକ୍ଷରେ ଅଶୋକ ପଣ୍ଡାଙ୍କ ଯୁକ୍ତି ବିଦ୍ରୋହୀଙ୍କ ରଣ ହୁଙ୍କାରର କିଛି ପ୍ରଭାବ ପଡିବନି। ତେଣେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଯଦିଓ ପ୍ରିୟଦର୍ଶୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି, କିନ୍ତୁ ବିଜେଡି ପାଇଁ ସେ ମୁଖ୍ୟ ପ୍ରତିବନ୍ଧକ ସାଜିବେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ସମାନ ସ୍ଥିତି। ବିଧାୟକ ଅରବିନ୍ଦ ଢ଼ାଲି ବିଜେପିକୁ ଯିବା ପରେ ଦଳର ଅକଲ ଗୁଡୁମ୍। ଅରବିନ୍ଦ ବିଜେପିରୁ ଟିକେଟ ପାଇ ସାରିଛନ୍ତି। କିନ୍ତୁ ବିଜେଡ଼ି ଏଯାଏଁ ଘୋଷଣା କରିପାରିନି ପ୍ରାର୍ଥୀ।
୨୦୦୯, ୧୪ ଓ ୧୯ ମସିହାରେ ଭୁବନେଶ୍ୱର ବିଜେଡି ପାଇଁ ସୁରକ୍ଷିତ ଜୋନ ଥିଲା। କିନ୍ତୁ ଏଥର ଦଳ ପାଇଁ ଏଠି ପ୍ରବଳ ଅଡ଼ୁଆ। ବିଦ୍ରୋହୀ ସ୍ୱାଧୀନ ବା ଅନ୍ୟ ଦଳରୁ ଲଢ଼ିଲେ ବିଜେଡିର ଭୋଟ କଟିବା ସୁନିଶ୍ଚିତ। ଏହାକୁ ଦଳ କିପରି ଭରଣା କରିବ ତାହା ବଡ଼ ଚାଲେଞ୍ଜ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJD_1711798390.jpg)