ବିଜେଡି ଅଡ଼ୁଆ: ୧୮ ଜିଲ୍ଲାର ସଭାପତି ଘୋଷଣା,୧୫ ଜିଲ୍ଲାରେ ମୁହାଁମୁହିଁ ସ୍ଥିତି

ଦଳର ମୋଟ ୩୩ଟି ସାଂଗଠନିକ ଜିଲ୍ଲା ଥିବାବେଳେ ମଙ୍ଗଳବାର ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ମାତ୍ର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ।

Sankha bhawan BJD

ଶଙ୍ଖ ଭବନ

Ordigital Desk
  • Published: Tuesday, 15 April 2025
  • , Updated: 15 April 2025, 08:34 PM IST

ବିଜେଡିରେ ଜିଲ୍ଲା ସଭାପତି ଚୟନକୁ ନେଇ ପ୍ରାୟ ୧୫ଟି ସାଂଗଠନିକ ଜିଲ୍ଲାରେ ମୁହାଁମୁହିଁ ସ୍ଥିତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ନବମଥର ପାଇଁ ‘ସଭାପତି’ ପଦରେ ଆସୀନ କରାଇବାକୁ ତାରିଖ ଚୂଡ଼ାନ୍ତ ସରିଥିଲେ ମଧ୍ୟ ସବୁ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଚୂଡ଼ାନ୍ତ କରିବାରେ ବିଜେଡି  ନେତୃତ୍ୱ ବିଫଳ ହୋଇଛନ୍ତି । ଦଳର କିଛି ବରିଷ୍ଠ ନେତାମାନେ ସିଧାସଳଖ ଭିକେ ପାଣ୍ଡିଆନ ଓ ତାଙ୍କ ଖାସ୍ ଅନୁଗତ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ମାମଲାତିକୁ ବିରୋଧ କରୁଥିବାରୁ ମାତ୍ର ୧୮ଟି ସାଂଗଠନିକ ଜିଲ୍ଲାରେ ସଭାପତିଙ୍କ ନାଁ ମଙ୍ଗଳବାର ଘୋଷଣା କରିବାକୁ ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ସକ୍ଷମ ହୋଇଛନ୍ତି । ଯଦିଓ ଦଳର ‘ସଭାପତି’ ଚୟନ କାର୍ଯ୍ୟ ୧୯ତାରିଖ ଶନିବାର ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଛି । ପାଣ୍ଡିଆନଙ୍କୁ ହାତବାରିସି କରି ବବି ଯେଉଁସବୁ ଜିଲ୍ଲାରେ ନିଜର ଅନୁଗତଙ୍କୁ ଥଇଥାନ ନିମନ୍ତେ ଗୋଟିଚାଳନା କରିଥିଲେ ତାହା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ତାଙ୍କୁ ଏନେଇ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା ଜଣାପଡ଼ିଛି । ଖାସ୍ ଏହି କାରଣରୁ ଦଳ ଏବେ ଘୋଷିତ ୧୮ଟି ଜିଲ୍ଲାର ସଭାପତିଙ୍କୁ ନେଇ ‘ରାଜ୍ୟ ପରିଷଦ’ ଓ ‘ରାଜ୍ୟ କାର୍ଯ୍ୟକାରିଣୀ’ ଗଠନ କରିବ । ଆଉ ସଭାପତି ନିର୍ବାଚନ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବ ବୋଲି ସୂଚନା ମିଳିଛି । ୫୦ପ୍ରତିଶତ ସାଂଗଠନିକ ଜିଲ୍ଲାରେ ସଭାପତି ନିଯୁକ୍ତି ନହେଲେ ‘ରାଜ୍ୟ ପରିଷଦ’ ଗଠନ ସମ୍ଭବପର ହୋଇପାରିବ ନାହିଁ ବୋଲି ଦଳୀୟ ସମ୍ବିଧାନରେ ଥିବା ପ୍ରାବଧାନ ରହିଛି ।

୧୮ଟି ସାଂଗଠନିକ ଜିଲ୍ଲାରେ ସଭାପତି ଘୋଷଣା

ଦଳର ମୋଟ ୩୩ଟି ସାଂଗଠନିକ ଜିଲ୍ଲା ଥିବାବେଳେ ମଙ୍ଗଳବାର ଦଳର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ମାତ୍ର ୧୮ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏହି ସବୁ ଜିଲ୍ଲାରେ ଏକାଧିକ ନାମାଙ୍କନ ନଥିବାରୁ ସହମତି ଭିତ୍ତିରେ ସଭାପତି ନିର୍ବାଚନ ହୋଇଥିବା ଶ୍ରୀ ଦେବ କହିଛନ୍ତି । ‘ରାଜ୍ୟ ପରିଷଦ’ ତାଲିକା ବୁଧବାର ସୁଦ୍ଧା ଘୋଷଣା କରାଯିବା ସହ ଦଳର ସଭାପତି ନିର୍ବାଚନ ନିମନ୍ତେ ନାମାଙ୍କନ କେବେ ହେବ ତାହା ମଧ୍ୟ ଖୁବଶୀଘ୍ର ଜଣାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଦଳର ଯେଉଁସବୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି ସେଥିରେ, ଅନୁଗୁଳ-ବ୍ରଜ କିଶୋର ପ୍ରଧାନ, ବରଗଡ଼-ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ-ଜଗନ୍ନାଥ ସ୍ୱାଇଁ, ବୌଦ୍ଧ- ପ୍ରଦୀପ କୁମାର ଅମାତ, ଦେବଗଡ଼- ରୋମାଂଚରଞ୍ଜନ ବିଶ୍ୱାଳ, ଗଜପତି- ପ୍ରଦୀପ ନାୟକ, ଜଗତସିଂହପୁର- ପ୍ରଶାନ୍ତ କୁମାର ମୁଦୁଲି, ଯାଜପୁର-ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା-ହରିଶ ଗଣତ୍ରା, କନ୍ଧମାଳ- ପଦ୍ମନାଭ ବେହେରା, ମାଲକାନଗିରି- ମାନସ ମାଡ଼କାମୀ, ମୟୂରଭଞ୍ଜ(୧)-ସୁଦାମ ମାର୍ଣ୍ଡି, ନବରଙ୍ଗପୁର-ମନୋହର ରନ୍ଧାରୀ, ନୟାଗଡ଼- ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା- ଅବନୀରଞ୍ଜନ ଯୋଶୀ, ପୁରୀ-ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର-ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼-ଯୋଗେଶ ସିଂଙ୍କୁ ଦଳର ଜିଲ୍ଲା ସଭାପତି ଭାବେ ଆଜି ଘୋଷଣା କରାଯାଇଛି ।

ଆଉ ୧୫ଟି ସାଂଗଠନିକ ଜିଲ୍ଲାରେ ଅଡ଼ୁଆ

ଯେଉଁ ଜିଲ୍ଲାଗୁଡ଼ିକ ଘୋଷଣା ହୋଇପାରିନି ସେଗୁଡ଼ିକ ହେଲା-କଟକ, କେନ୍ଦ୍ରାପଡ଼ା,ଢେଙ୍କାନାଳ, ଭୁବନେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର,ସମ୍ବଲପୁର, ରାଉରକେଲା ବାଲେଶ୍ୱର, ମୟୂରଭଞ୍ଜ ସଦର, ବଲାଙ୍ଗୀର, କଳାହାଣ୍ଡି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ରହିଛି । ଏସବୁ ଜିଲ୍ଲାର ବରିଷ୍ଠ ନେତାଙ୍କୁ ସଭାପତି ଭାବେ ଅବସ୍ଥାପିତ କରିବାକୁ ଶଙ୍ଖ ଭବନରେ ବସିଥିବା ବୈଠକରେ ଦଳୀୟ ନେତାମାନଙ୍କ ମଧ୍ୟରେ ସହମତି ହୋଇଥିଲା । କିନ୍ତୁ ନିଜର ଅନୁଗତଙ୍କୁ ଏସବୁ ଜିଲ୍ଲାରେ ଅବସ୍ଥାପିତ କରିବାକୁ    ପାଣ୍ଡିଆନ ଓ ବବି ଗୋଟିଚାଳନା କରିଥିବାରୁ ଏବେ ମୁହାଁମୁହିଁ ସ୍ଥିତି ଉପୁଜିଛି । ଯେଉଁ କାରଣରୁ ଏସବୁ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇ ନାହିଁ । ଦଳର ରାଜ୍ୟ ସଭାପତି ନିର୍ବାଚନ ଶେଷ ହେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧରି ବିନା ବିଚାରବିମର୍ଶରେ ଏହି ଜିଲ୍ଲାରେ ପାଣ୍ଡିଆନ-ବବି ନିଜର ଅନୁଗତଙ୍କୁ ଅବସ୍ଥାପିତ କରିବେ ବୋଲି ଜଣାପଡ଼ିଛି ।

ଦେବୀଙ୍କ ମାମଲାତିକୁ ଧକ୍କା

ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ବିଭିନ୍ନ ଜିଲ୍ଲାର ଆଗଧାଡ଼ିର ଦଳୀୟ ନେତା ଓ ବିଧାୟକମାନଙ୍କ ସହ ଶଙ୍ଖଭବନରେ ବୈଠକ କରି ସହମତି ଭିତ୍ତିରେ ସଭାପତି ଚୟନ ପ୍ରକ୍ରିୟା କରୁଛନ୍ତି । ମାତ୍ର ସେସବୁ ଜିଲ୍ଲାରେ ଥିବା ପାଣ୍ଡିଆନ-ବବିଙ୍କ ଅନୁଗତମାନଙ୍କ ପ୍ରଭାବ ଯୋଗୁ ସହମତି ଭିତ୍ତିରେ ଜିଲ୍ଲା ସଭାପତି ଚୟନ ସମ୍ଭବପର ହୋଇପାରୁନି । ଯେଉଁଥିପାଇଁ ଆଜି ରାଜନଗର ବିଧାୟକ ଧ୍ରୁବ ସାହୁ ଓ ଦେବୀ ମିଶ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଅନ୍ୟ ନେତାମାନଙ୍କ ହସ୍ତକ୍ଷେପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସହମତିରେ ସଭାପତି ଚୟନ ହୋଇନଥିବାରୁ ନିଷ୍ପତ୍ତି ନବୀନ ନିବାସ ଉପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି । ଏହି ଯୁକ୍ତିତର୍କବେଳେ ଦେବୀଙ୍କ ମାମଲାତିକୁ ନେଇ ମଧ୍ୟ ନେତାମାନେ ପ୍ରଶ୍ନ ଉଠାଇବାକୁ ପଛାଇ ନଥିବା ଜଣାପଡ଼ିଛି ।

Related story