ବିଜେଡିର ‘ତେଲ’ ରାଜନୀତି: ଭୟ ନା ଅସନ୍ତୁଷ୍ଟଙ୍କୁ ଚେକ୍ ଦେବାକୁ ଚୁପ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୨ଟି ଜିଲ୍ଲାରେ ଆଜି ପେଟ୍ରୋଲ ଦର ୧୦୦ଟଙ୍କା ଉପରେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଲିଟର ୯୯ଟଙ୍କା ୮୫ପଇସା ରହିଛି। ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଥିବାବେଳେ ଓଡ଼ିଶାବାସୀଙ୍କ ଦଳ ବୋଲି ଦାବି କରୁଥିବା ଶାସକ ବିଜେଡି ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରିଛି। ସାମାନ୍ୟ ତୈଳ ଓ ଏଲପିଜି ଦର ବଢ଼ିଲେ ରାଜରାସ୍ତା ଓ ବିଭିନ୍ନ ଫୋରମରେ ଲଢ଼େଇ କରୁଥିବା ବିଜେଡି ୨୦୧୯ […]

bjd

bjd

Ordigital Desk
  • Published: Wednesday, 30 June 2021
  • Updated: 30 June 2021, 11:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୨୨ଟି ଜିଲ୍ଲାରେ ଆଜି ପେଟ୍ରୋଲ ଦର ୧୦୦ଟଙ୍କା ଉପରେ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଲିଟର ୯୯ଟଙ୍କା ୮୫ପଇସା ରହିଛି। ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଥିବାବେଳେ ଓଡ଼ିଶାବାସୀଙ୍କ ଦଳ ବୋଲି ଦାବି କରୁଥିବା ଶାସକ ବିଜେଡି ଏହି ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରିଛି। ସାମାନ୍ୟ ତୈଳ ଓ ଏଲପିଜି ଦର ବଢ଼ିଲେ ରାଜରାସ୍ତା ଓ ବିଭିନ୍ନ ଫୋରମରେ ଲଢ଼େଇ କରୁଥିବା ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପରଠୁ ମୁହଁରେ ତାଲା ପକାଇ ଦେଇଛି। ବିଜେଡିର ଏଭଳି ଦୋମୁହାଁ ନୀତିକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବାବେଳେ ବିଜେଡି ଏବେ ବିଜେପିର ମୁଖ୍ୟ ଗୁମାସ୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି। ଗତ କିଛିଦିନ ଧରି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୧୦୦ଟଙ୍କାରେ ପହଂଚିଲାଣି।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଜୁନ୍ ପହିଲାରେ ପେଟ୍ରୋଲ ଲିଟର ପିଛା ୯୫ଟଙ୍କା ୨୨ ପଇସା ଥିବାବେଳେ ଜୁନ୍ ୨୯ରେ ଏହା ସର୍ବକାଳୀନ ରେକର୍ଡ ଭାଙ୍ଗି ୯୯ଟଙ୍କା ୯୬ ପଇସାରେ ପହଂଚିଛି। ମାସକ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୫ଟଙ୍କା ବୃଦ୍ଧି ପାଇଥିବାବେଳେ ମାଲକାନଗିରିରେ ଲିଟର ପିଛା ୧୦୫ଟଙ୍କା ଛୁଇଁବାକୁ ବସିଲାଣି। ୨୦୨୦ ମେ’ ମାସରେ ରାଜ୍ୟର ବିଜେଡି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୨ ପ୍ରତିଶତ ଭ୍ୟାଟ୍ ବୃଦ୍ଧି କରିବାବେଳେ ଲିଟର ପିଛା ପେଟ୍ରୋଲ ଦର ୬୮.୫୮ଟଙ୍କା ଓ ଡିଜେଲ ୬୬.୭୦ଟଙ୍କା ରହିଥିଲା।

ପେଟ୍ରୋଲ ଉପରେ ୩୨ ପ୍ରତିଶତ ଓ ଡିଜେଲ ଉପରେ ୨୮ପ୍ରତିଶତ ଭ୍ୟାଟ ଓଡ଼ିଶା ନେଉଛି । କିନ୍ତୁ ଗତବର୍ଷକ ମଧ୍ୟରେ ତୈଳ ଦରରେ ଲିଟର ପିଛା ୩୨ରୁ ୩୫ଟଙ୍କା ବଢ଼ିଥିବାବେଳେ ଶାସକ ବିଜେଡି କିନ୍ତୁ ସମ୍ପୂର୍ଣ୍ଣ ନିରବ ରହିଛି। କରୋନା ମହାମାରୀ ଯୋଗୁ ସାଧାରଣ ଲୋକେ ଜୀବିକା ହରାଇ ବଂଚିବା ପାଇଁ ସଂଘର୍ଷ କରୁଥିବାବେଳେ ଦରଦାମ ବୃଦ୍ଧିର ବୋଝ ସେମାନଙ୍କ ନିମନ୍ତେ ଅସହ୍ୟ ହେବାରେ ଲାଗିଛି। ଏପଟେ ତୈଳଦର ହୁହୁ ହୋଇ ବଢ଼ି ଚାଲିଛି, ତା’ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଅନୁରୂପ ବଢ଼ୁଛି। କିନ୍ତୁ ଲୋକଙ୍କ ସ୍ୱାର୍ଥ କଥା କହି ଭୋଟ୍ ହାତେଉଥିବା ରାଜନୀତିକ ଦଳଗୁଡ଼ିକ ଏଥିପ୍ରତି ସାମାନ୍ୟତମ ଦୃଷ୍ଟି ଦେଉନାହାନ୍ତି ।

ଆଶ୍ଚର୍ଯ୍ୟର କଥା, ୨୦୦୫-୦୬ ମସିହାରୁ ୨୦୧୪ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ କ୍ରମାଗତ ଭାବେ ରାଜରାସ୍ତାରେ କେନ୍ଦ୍ର ସରକାରଙ୍କ ତୈଳଦର ବୃଦ୍ଧିକୁ ବିଜେଡି ପ୍ରତିବାଦ କରୁଥିଲା, ଆଉ ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ଆସିବାପରେ ତୈଳଦର ବୃଦ୍ଧିକୁ ବିଜେଡିର ସ୍ୱର ନରମ ପଡ଼ିଥିଲା । କିନ୍ତୁ ୨୦୧୭ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପୁଣିଥରେ ତୈଳଦର ବୃଦ୍ଧି ବିରୁଦ୍ଧରେ ସ୍ୱରକୁ ଶାଣିତ କରି ରାଜରାସ୍ତାକୁ ଓହ୍ଲାଇଥିଲା। ମାତ୍ର ୨୦୧୯ ସାଧାରଣ ନିର୍ବାଚନ ପରେ ତୈଳଦର କ୍ରମାଗତ ବୃଦ୍ଧି ପାଉଥିବା ସତ୍ତ୍ୱେ ବିଜେଡି ନିରବ ରହିଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି କୌଣସି ରାଜନୀତିକ କାର୍ଯ୍ୟକ୍ରମ କରିପାରୁଛି ନା ନିଜେ ଭ୍ୟାଟ୍ କମାଇ ଲୋକଙ୍କୁ ଆଶ୍ୱସ୍ତି ଦେଉଛି। ବିଜେଡିର ‘ତେଲ’ ରାଜନୀତି ସତେଯେମିତି ବିଜେଡି ରଣନୀତିକାରଙ୍କ ତଣ୍ଟିରେ ମାଛକଣ୍ଟା ଭଳି ଲାଗିଛି । ନା ଗିଳିପାରୁଛନ୍ତି ନା କାଢ଼ି ପାରୁଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପରେ କେନ୍ଦ୍ରର ବିଜେପି ସରକାରକୁ ଉପରେ ପଡ଼ି ଏକାଧିକ ପ୍ରସଙ୍ଗରେ ସମର୍ଥନ ଦେଇଥିବା ବିଜେଡି ଏବେ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ମଧ୍ୟ ନିରବ ରହିଛି। ତୈଳଦର ଲିଟର ପିଛା ୧ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଲେ ଯେଉଁ ବିଜେଡି ସଙ୍ଗେସଙ୍ଗେ ରାଜରାସ୍ତାକୁ ଓହ୍ଲାଇ ଆସି ତୁମ୍ବିତୋଫାନ କରୁଥିଲା ସେହି ବିଜେଡି ୨୦୧୮ ଏପ୍ରିଲ ୭ତାରିଖ ପରଠୁ ତୈଳଦର ବିରୁଦ୍ଧରେ କୌଣସି ରାଜନୀତିକ କାର୍ଯ୍ୟକ୍ରମ ହାତକୁ ନେଇନି । ଯଦିଓ ତୈଳଦର ଲିଟର ପିଛା ୩୦ରୁ ୩୫ଟଙ୍କା ବୃଦ୍ଧି ପାଇସାରିଲାଣି। ଅବଶ୍ୟ ରାଜ୍ୟରେ ଅସ୍ତିତ୍ୱ ଫେରିପାଇବାକୁ ସଂଘର୍ଷ କରୁଥିବା କଂଗ୍ରେସ ମଝିରେ ମଝିରେ ତୈଳଦର ବିରୁଦ୍ଧରେ ପ୍ରତିବାଦ କାର୍ଯ୍ୟକ୍ରମ ଜାରି ରଖିଛି । ଫେବୃୟାରୀ ୧୫ରେ ୬ଘଣ୍ଟିଆ ବନ୍ଦ ଡାକରା ହେଉ ଅବା ପୁଣି ଆସନ୍ତା ଜୁଲାଇ ମାସରେ ରାଜ୍ୟବ୍ୟାପୀ ଆନ୍ଦୋଳନ, ଅବା ବିଧାନସଭା ଭିତରେ ହେଉ କିମ୍ବା ସାମ୍ବାଦିକ ସମ୍ମିଳନୀରେ ତୈଳଦର ବୃଦ୍ଧିକୁ ବିରୋଧ କରିଆସିଛି।

ରାଜନୀତିକ ବିଶେଷଜ୍ଞଙ୍କ ମତରେ, ବିଜେଡି ସର୍ବଦା ସୁବିଧାବାଦୀ ରାଜନୀତି କରିଆସିଛି। କେନ୍ଦ୍ରରେ ୟୁପିଏ ଆସୁ କି ଏନଡିଏ ତା’ର ପ୍ରଭାବ ବିଜେଡି ଉପରେ ପଡ଼େନି। ନିଜ ରାଜନୀତିକ ଫାଇଦା ପାଇଁ ବିଜେଡି ସମଦୂରତ୍ୱ ଓ ପ୍ରସଙ୍ଗଭିତ୍ତିକ ସମର୍ଥନ ଭଳି ବିଶ୍ଲେଷଣ ଗଣମାଧ୍ୟମ ଆଗରେ ରଖିଥାଏ । ତୈଳଦର ଯେଭଳି ହୁହୁ ହୋଇ ବଢ଼ୁଛି ଓ ବିଜେଡି ନିରବ ରହିଛି, ତାହା ବିଜେଡି ଓ ବିଜେପି ମଧ୍ୟରେ ଥିବା ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି।

ଚିଟଫଣ୍ଡ, କୋଇଲା ଦୁର୍ନୀତି ଭଳି ଏକାଧିକ ଦୁର୍ନୀତିର ସିବିଆଇ ତଦନ୍ତର ଭୟ ଯୋଗୁ ବ୍ୟାକଫୁଟରେ ଥିବା ବିଜେଡି ମଧ୍ୟ ନିଜ ଦଳ ଭିତରେ ବଢ଼ୁଥିବା କନ୍ଦଳ ଓ ଅସନ୍ତୋଷକୁ ଦୃଷ୍ଟିରେ ରଖି ବିଜେପି ସହ ରହିବାକୁ ବାଧ୍ୟ ହୋଇଛି। ବିଜେପିର ପ୍ରତ୍ୟେକଟି ରାଜନୀତିକ ବୟାନବାଜି ଉପରେ ସଙ୍ଗେସଙ୍ଗେ ଲୋକଦେଖାଣିଆ ଜବାବ ଦେଉଥିବା ବିଜେଡି କିନ୍ତୁ ତୈଳଦର ବୃଦ୍ଧି ପ୍ରସଙ୍ଗରେ ମୁହଁ ଖୋଲୁନି। କେବଳ ସେତିକି ନୁହେଁ, ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ପାଇଁ ଓଇଆରସିଙ୍କୁ ଅନୁରୋଧ କରାଯିବ ବୋଲି ବିଧାନସଭାରେ କହିଥିବା ଶକ୍ତିମନ୍ତ୍ରୀ ଏପର୍ଯ୍ୟନ୍ତ ଏଦିଗରେ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି। କିନ୍ତୁ ଲୋକଙ୍କ ସ୍ୱାର୍ଥସହ ଜଡ଼ିତ ଏହି ପ୍ରସଙ୍ଗକୁ ବିଜେପି ଏକ ପ୍ରମୁଖ ପ୍ରସଙ୍ଗ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନି।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପିର ଗୁମାସ୍ତା ହେଉଛି ବିଜେଡି। ଆଉ ଏକନମ୍ବର ସମର୍ଥକ ମଧ୍ୟ। କରୋନାର ଦୁର୍ଦ୍ଦଶା ଲୋକଙ୍କ ଅଣ୍ଟା ଭାଙ୍ଗି ଦେଇଥିବାବେଳେ କେନ୍ଦ୍ର ସରକାରଙ୍କ ଅଧସ୍ତନ କର୍ମଚାରୀ ଭଳି ବିଜେଡି ସରକାର କାର୍ଯ୍ୟ କରୁଛି । ତୈଳଦର ବୃଦ୍ଧି ମାଧ୍ୟମରେ କେନ୍ଦ୍ର ସରକାର ଲୁଟ୍ କରୁଥିବାବେଳେ ବିଜେଡି ପ୍ରତିବାଦ ବଦଳରେ ଗୁମାସ୍ତା ସାଜିଛି । ଅତ୍ୟାବଶ୍ୟକ ସାମଗ୍ରୀ ହୁହୁ ହୋଇ ବଢ଼ୁଛି। ରାଜନୀତିକ ସ୍ୱାର୍ଥ ପାଇଁ ଲୋକଙ୍କୁ ଠକିବା ବିଜେଡିର ଅଭ୍ୟାସରେ ପରିଣତ ହୋଇଗଲାଣି। ତୈଳଦର ଏବେ ବ୍ୟାରେଲ ପିଛା ୭୦-୭୨ଡଲାରରେ ରହିଛି । ତଥାପି ରାଜ୍ୟରେ ୧୦୦ଟଙ୍କା ଉପରେ ପେଟ୍ରୋଲ ଲିଟର ପିଛା ବିକ୍ରି ହେଉଛି। ତେଣୁ ବିଜେଡିର ସଦବୁଦ୍ଧି କେବେ ଉଦୟ ହେଉଛି ଓ ଲୋକଙ୍କ ସ୍ୱାର୍ଥ ପାଇଁ ତୈଳଦର ବୃଦ୍ଧିର ପ୍ରତିବାଦ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos