ଫେଲ୍ ମାରିଲା ବିଜେଡି ଷ୍ଟ୍ରାଟେଜୀ: ଥିଙ୍କଟ୍ୟାଙ୍କ୍ ଚିନ୍ତାରେ, ନେତା ବେଫିକର

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଥିଙ୍କଟ୍ୟାଙ୍କ୍ ଦଳର ଭୋଟବ୍ୟାଙ୍କ୍ ବୃଦ୍ଧି ଓ ବିରୋଧୀଙ୍କୁ କଡ଼ାଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଥିଲେ ।

ଶଙ୍ଖ ଭବନ

  • Published: Monday, 16 October 2023
  • , Updated: 16 October 2023, 10:24 PM IST

ବିଜେଡିର ଥିଙ୍କଟ୍ୟାଙ୍କଙ୍କ ଷ୍ଟ୍ରାଟେଜୀ(ରଣନୀତି)କୁ ଧକ୍କା । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ସହ ଭୋଟବ୍ୟାଙ୍କ୍ ବୃଦ୍ଧି ନିମନ୍ତେ ଯେଉଁ ଷ୍ଟ୍ରାଟେଜୀ କରିଥିଲେ ତାହା ଫେଲ୍ ମାରିଛି । ଦଳର ନେତାମାନଙ୍କ ଅସହଯୋଗ ଓ ଖାମଖିଆଲି ନୀତି ଯୋଗୁ କୌଣସି ଗୋଟିଏ ନିର୍ବାଚନମଣ୍ଡଳୀରେ ବି ଜନସମ୍ପର୍କ ପଦଯାତ୍ରା ଓ ପ୍ରଶିକ୍ଷଣ ଶିବିର ସଠିକ୍ ଢଙ୍ଗରେ ହୋଇପାରିନି । ଯାହାକୁ ନେଇ ବିଜେଡି ଥିଙ୍କଟ୍ୟାଙ୍କ୍ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଥିଙ୍କଟ୍ୟାଙ୍କ୍ ଦଳର ଭୋଟବ୍ୟାଙ୍କ୍ ବୃଦ୍ଧି ଓ ବିରୋଧୀଙ୍କୁ କଡ଼ାଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଥିଲେ । ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଦଳର ୨୦୦ଜଣ ଲେଖାଏଁ ସକ୍ରିୟ କର୍ମୀମାନଙ୍କୁ ଭୁବନେଶ୍ୱର ଡକାଇ ଶଙ୍ଖ ଭବନରେ ପ୍ରଶିକ୍ଷଣ ଦେଲେ । ନିଜ ସରକାରର ଲୋକାଭିମୁଖୀ ଯୋଜନାର ପ୍ରଚାର, କେନ୍ଦ୍ରୀୟ ଅବହେଳା, ହାଉସ୍ ଟ୍ୟାଗିଂ ଓ ସୋସିଆଲ ମିଡିଆ ସମ୍ପର୍କରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦିଆଗଲା । ୩୭ଦିନ ଧରି ଏହି ପ୍ରଶିକ୍ଷଣ ଶିବିର ଚାଲିଲା।

ଆଉ ସମଗ୍ର ରାଜ୍ୟରୁ ପ୍ରାୟ ୨୯ହଜାର କର୍ମୀ(ମାଷ୍ଟର ଟ୍ରେନର ଭାବେ)  ପ୍ରଶିକ୍ଷଣ ନେଲେ । ପାୱାରପଏଂଟ ପ୍ରେଜେଣ୍ଟେସେନଠୁ ଆରମ୍ଭ କରି ସୋସିଆଲ ମିଡିଆରେ କିଭଳି ବିରୋଧୀଙ୍କୁ ମୁକାବିଲା କରିବେ ତା’ର ଗୁରୁମନ୍ତ୍ର ନେଲେ । ଏସବୁକୁ ସେମାନେ ନିଜ ନିଜ ବ୍ଲକ ଓ ପଂଚାୟତରେ ଦଳର ଅନ୍ୟ ସକ୍ରିୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ରଣନୀତି ହେଲା । ଅକ୍ଟୋବର ୧୨ରୁ  ଏକମାସ ଧରି ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଜିଲ୍ଲା ପରିଷଦ ଜୋନସ୍ତରୀୟ ଓ ପୌରାଂଚସ୍ତରରେ ପ୍ରଶିକ୍ଷଣ ଶିବିର ମାନ ଆୟୋଜନ କରାଯାଉଛି । ଦଳ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ପାଇଁ ରାଜ୍ୟସ୍ତରର ନେତାମାନଙ୍କୁ ଟ୍ରେନିଂ ଦେବାକୁ ପଠାଯାଇଛି । କିନ୍ତୁ ଦଳର ବିଧାୟକ ଓ ବରିଷ୍ଠ ନେତାମାନଙ୍କ ଖାମଖିଆଲ ନୀତି ଯୋଗୁ ଏହି ଟ୍ରେନିଂ କ୍ୟାମ୍ପ ଏବେ ଦଳୀୟ କର୍ମୀ ସମାବେଶରେ ପାଲଟି ଯାଇଛି।

 ଶଙ୍ଖ ଭବନରେ  ଦଳ ନିଜର ସକ୍ରିୟ କର୍ମୀଙ୍କୁ ବିରୋଧୀଙ୍କ ମୁକାବିଲା ଓ ଭୋଟ୍ ଜିଣିବାର ଯେଉଁ ଗୁରୁମନ୍ତ୍ର ଦେଇପାରୁଥିଲା, ତାହା ଏବେ ଜିଲ୍ଲାପରିଷଦ ଜୋନସ୍ତରରେ ସମ୍ଭବପର ହୋଇପାରୁ ନଥିବା ଜଣାପଡ଼ିଛି । ବିଶେଷକରି ପ୍ରଶିକ୍ଷଣ ଶିବିରକୁ ଆସୁଥିବା କର୍ମୀମାନେ ପ୍ରାୟତଃ ମୋବାଇଲ ଫୋନରେ ସୁଟିଂ କରୁଥିବାରୁ ‘ଗୁରୁମନ୍ତ୍ର’ ଦେବା ସମ୍ଭବପର ହେଉନି । ବିଧାୟକମାନେ କେବଳ ମୁଣ୍ଡଗଣତି ପାଇଁ ଏହି ପ୍ରଶିକ୍ଷଣ ଶିବିରକୁ ଲୋକ ପଠାଉଛନ୍ତି ଓ ଅଧିକାଂଶ ସ୍ମାର୍ଟ ଫୋନ୍ କରିବା ଉପଯୋଗ ମଧ୍ୟ ଜାଣନ୍ତି ନାହିଁ ବୋଲି ଚର୍ଚ୍ଚା ହେଉଛି । ଏବେ ଦଶହରା ପୂଜା ଯୋଗୁ ଟ୍ରେନିଂ କ୍ୟାମ୍ପ ପ୍ରାୟ ୧୨ଦିନ ବନ୍ଦ ରହିବ । ନିର୍ବାଚନମଣ୍ଡଳୀ ନେତାମାନଙ୍କର ଏଭଳି ଖାମଖିଆଲି ନୀତି ଯୋଗୁ ଶଙ୍ଖ ଭବନରେ ଦଳ ପକ୍ଷରୁ ଯେଉଁ ୩୭ଦିନିଆ ଟ୍ରେନିଂ କ୍ୟାମ୍ପ ଚାଲିଥିଲା ତାହା ଏବେ ବହୁ ଆଡ଼ମ୍ବରରରେ ଲଘୁକ୍ରିୟା ସଦୃଶ ହେଲା।

ସେହିପରି ଦଳ ପକ୍ଷରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଯେଉଁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା ତାକୁ ନେଇ ବି ବିଧାୟକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିନି । ଅକ୍ଟୋବର ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହି ଅବଧି ସରିବା ପରେ ମଧ୍ୟ ଅଧିକାଂଶ ଅଂଚଳରେ ପଦଯାତ୍ରା ଜାରି ରହିଛି । ପ୍ରାୟ ୬୦ରୁ ୭୦ଟି ନିର୍ବାଚନମଣ୍ଡଳୀରେ ବିଧାୟକମାନଙ୍କୁ ବିରୋଧ କରି ଦଳରେ ସମାନ୍ତରାଳ ଜନସମ୍ପର୍କ ପଦଯାତ୍ରା ଚାଲିଛି । ଯେଉଁଥିପାଇଁ ଅନେକ ବିଧାୟକ କେବଳ ନାମକୁ ମାତ୍ର ଗୋଟିଏ ଦୁଇଟି ସ୍ଥାନରେ ଏହି ଜନସମ୍ପର୍କ ପଦଯାତ୍ରା କରି ଦାୟିତ୍ୱ ଶେଷ କରିଛନ୍ତି।

ନିର୍ବାଚନୀ ବର୍ଷରେ ଦଳୀୟ ନେତାମାନଙ୍କ ଏଭଳି ଆଚରଣ ଓ ଆଭିମୁଖ୍ୟ ବିଜେଡିର ଥିଙ୍କଟ୍ୟାଙ୍କଙ୍କୁ ଚିନ୍ତାରେ ପକାଇଛି । ବିରୋଧୀଙ୍କୁ ମୁକାବିଲା, ସରକାରୀ ଆକ୍ରୋଶକୁ ପ୍ରଶମିତ କରି ଭୋଟବ୍ୟାଙ୍କ ବଢ଼ାଇବା ପାଇଁ ଦଳ ଏବେ ବିକଳ୍ପ ଯୋଜନା କରୁଥିବା ଜଣାପଡ଼ିଛି।

Related story