ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ପଂଚାୟତ ନିର୍ବାଚନରେ ଦୁର୍ନୀତି ଓ ଅପାରଗତାକୁ ଲୁଚାଇ ଜନଆକ୍ରୋଶରୁ ବର୍ତ୍ତିବା ପାଇଁ ବିଜେଡି ଏବେ ‘ଆବାସ’ ରାଜନୀତି କରୁଛି। ବିଜେଡି ଶାସନରେ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ହେଉଥିବାବେଳେ ଦଳର ସାଂସଦମାନେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଅଧିକ ଘର ଦାବି କରିବା ଚୋରି ଉପରେ ସିନା ଚୋରି ଭଳି ହୋଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି।
ସେ କହିଛନ୍ତିି ଯେ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି ଆଧାରରେ ବିଜେଡିର ସାଂସଦମାନେ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଯେଉଁ ଦାବି କରିଛନ୍ତି ତାହା ଭିତ୍ତିହୀନ । ଗତ ୧୧ ତାରିଖରେପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଥିବା ଚିଠି ହିଁ ମିଛର ଗୁମର ଖୋଲିଥିଲା । ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଥିଲେ ଯେ ତାଙ୍କ କାରଣରୁ ହିଁ ଗରିବ ଲୋକମାନେ ପକ୍କା ଘର ପାଇବାରୁ ବଂଚିତ ହୋଇଛନ୍ତି । କେନ୍ଦ୍ର ସରକାର ‘ଆବାସ ପ୍ଲସ’ ଅଧୀନରେ ଯୋଗ୍ୟ ଆବାସ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ୨୦୧୯ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସମୟ ଦେଇଥିଲେ ଏବଂ ରାଜ୍ୟ ସରକାର ସେ ସମୟ ମଧ୍ୟରେ କେବଳ ୩୫ ହଜାର ହିତାଧିକାରୀ ଚିହ୍ନଟ କରିପାରିଥିଲେ ଏବଂ ଲକ୍ଷାଧିକ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପତ୍ର ଆଧାରରେ ବିଜେଡିର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ସ୍ପେଶାଲରେ ୧.୮୪ ଲକ୍ଷ ଘର ଦେବା ସହ ଜନଜାତି ଏବଂ କେବିକେ ଅଂଚଳରେ ଗରବ ଲୋକଙ୍କୁ ଯେଉଁ ଘର ଦେବାର ଦାବୀ କରିଛନ୍ତିି, ତାହା ଅମୂଳକ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀରେ ପ୍ରତିବାଦ କରିବାରୁ ବିଜେପିର ଦୁଇ ଜଣ କର୍ମକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ମାହାଙ୍ଗାରୁ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିପ୍ତ ଅଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଉପରେ ନିରବ ରହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଆସୁଥିବା ଅର୍ଥର ବାଟମାରଣା ହେଉଥିବାବେଳେ ଦଳୀୟ ଆଧାରରେ ଘର ଆବଂଟନ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ସରକାରରେ ରାଜ୍ୟରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଘର ବଂଟନରେ ଅନିୟମିତତା ତଥା ପ୍ରତି ଘର ପିଛା ୧ ଲକ୍ଷ ୨୦ ହଜାର ହେଲେ ପାଖାପାଖି ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା କେନ୍ଦ୍ରୀୟ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା ।
ଜନଜାତି ଓ କେବିକେ ଅଂଚଳରେ ଗରିବଙ୍କୁ ଘର ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ଟଙ୍କା ଦିଆଯିବା ସତ୍ୱେ ସେ ଟଙ୍କା ଯାଉଛି କୁଆଡ଼େ? ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଘର ଆବଂଟନ ଶୂନ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନ କରାଯାଇଛି । ଅଧିକାଂଶ ଘର ନିର୍ମାଣ କାମ ନିମ୍ନମାନର ଥିବା ହୋଇଥିବା ବଳେ ଅନେକ ଘର ଅସମ୍ପୂର୍ଣ୍ଣ ରହିଛି ଯଥା କେତେ ସ୍ଥାନରେ ରୋଷେଇ ଘର ନାହିଁ, ଝରକା ନାହିଁ, ଛାତ ପଡ଼ିନାହିଁ, ଶୌଚାଳୟ ନଥିବା ମଧ୍ୟ ଉକ୍ତ ତଦନ୍ତରୁ ଜଣାପଡ଼ିଥିଲା । ତେଣୁ ଏସବୁ ପାଇଁ ରାଜ୍ୟ ସରକାର ଦାୟୀ ହୋଇଥିବାବେଳେ ବିଜେଡି ସାଂସଦମାନେ ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବା ‘ଚୋରି ଉପରେ ସିନା ଚୋରି’ ସଦୃଶ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।