ଓବିସି ପ୍ରସଙ୍ଗରେ ଘେରିଲା ବିଜେପି: ୫୦% ସଂରକ୍ଷଣ ସିଲିଂକୁ ହଟାନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓବିସି ପ୍ରସଙ୍ଗରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ରାଜନୀତିକ ଫାଇଦା ହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ସରକାରକୁ ଘେରିଛି । ଦେଶର ଅଧିକାଂଶ ରାଜ୍ୟ ସମ୍ବିଧାନର ଅନୁଚ୍ଛେଦ-୯ ବଳରେ ୫୦ ପ୍ରତିଶତ ସଂରକ୍ଷଣ ସିଲିଂ ବ୍ୟବସ୍ଥାକୁ ଅତିକ୍ରମ କରି ନିଜ ନିଜ ରାଜ୍ୟର ପଛୁଆ ବର୍ଗଙ୍କୁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିଥିବାବେଳେ ଓଡ଼ିିଶା ସରକାର କାହିଁକି ପଛଘୁଂଚା ଦେଉଛନ୍ତିି ବୋଲି ବିଜେପି ପ୍ରଶ୍ନ କରିଛି । ଆଜି […]

obc

Ordigital Desk
  • Published: Friday, 27 August 2021
  • , Updated: 27 August 2021, 10:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓବିସି ପ୍ରସଙ୍ଗରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ରାଜନୀତିକ ଫାଇଦା ହାସଲ ପାଇଁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ଏହି ପ୍ରସଙ୍ଗରେ ସରକାରକୁ ଘେରିଛି । ଦେଶର ଅଧିକାଂଶ ରାଜ୍ୟ ସମ୍ବିଧାନର ଅନୁଚ୍ଛେଦ-୯ ବଳରେ ୫୦ ପ୍ରତିଶତ ସଂରକ୍ଷଣ ସିଲିଂ ବ୍ୟବସ୍ଥାକୁ ଅତିକ୍ରମ କରି ନିଜ ନିଜ ରାଜ୍ୟର ପଛୁଆ ବର୍ଗଙ୍କୁ ସମସ୍ତ କ୍ଷେତ୍ରରେ ସଂରକ୍ଷଣ ପ୍ରଦାନ କରିଥିବାବେଳେ ଓଡ଼ିିଶା ସରକାର କାହିଁକି ପଛଘୁଂଚା ଦେଉଛନ୍ତିି ବୋଲି ବିଜେପି ପ୍ରଶ୍ନ କରିଛି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି ଯେ, ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା କମିଶନଙ୍କ ସୁପାରିଶ ଓଡ଼ିଶାରେ ଆଦୌ କାର୍ଯ୍ୟକାରୀ ହେଉନାହିଁ । ଆତ୍ମନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଅଣଦେଖା କରିଛନ୍ତି । ଏପରିକି ରାଜ୍ୟରେ ୨୭ ପ୍ରତିଶତ ବହୁ ଦୂର କଥା, ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାରେ ବିଫଳ ହୋଇଛନ୍ତି । ଶିକ୍ଷା ବିଭାଗର ସଦ୍ୟତମ ପ୍ରକାଶିତ ବିଜ୍ଞପ୍ତିରେ ୧୨୬୦ଟି ପିଇଟି ଶିକ୍ଷକ ନିଯୁକ୍ତି ପାଇଁ ଆହ୍ୱାନ କରାଯାଇଥିବାବେଳେ ମାତ୍ର ୨୩ଟି ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି । ଏହା ଶାସକ ବିଜେଡିର ପଛୁଆ ବର୍ଗଙ୍କ ପାଇଁ ଥିବା ମନୋଭାବକୁ ସ୍ପଷ୍ଟ ପ୍ରମାଣିତ କରୁଛି । ତୁରନ୍ତ ଏହି ବିଜ୍ଞପ୍ତିକୁ ବାତିଲ କରି ଆବଶ୍ୟକ ସଂଖ୍ୟାରେ ପଛୁଆ ବର୍ଗଙ୍କ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରି ସଂରକ୍ଷଣର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଶ୍ରୀ ବିଶ୍ୱାଳ ଦାବି ଜଣାଇଛନ୍ତି ।

ଗତ ୨୦୨୦ ମସିହା ଫେବୃଆରୀ ମାସରେ ରାଜ୍ୟ ସରକାର ପଛୁଆ ବର୍ଗ ତାଲିକା ପ୍ରସ୍ତୁତ କରିବା ପାଇଁ ବିଧାନସଭାରେ ରିଜୋଲୁସନ ପାସ୍ କରାଇଥିଲେ ଏବଂ ୨୦୨୧ ମସିହା ଜାନୁଆରୀ ୩ ତାରିଖରେ ରାଜ୍ୟ ଓବିସି କମିଶନ ଖୁବଶୀଘ୍ର ଓବିସି ଜନଗଣନା କରି ସେମାନଙ୍କ ସଂରକ୍ଷଣ ସୁନିଶ୍ଚିତ କରାଇବେ ବୋଲି କହିଥିଲେ । ତାହା ଏବେସୁଦ୍ଧା କାହିଁକି କାର୍ଯ୍ୟକାରୀ ହୋଇନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ପଛୁଆ ବର୍ଗ ତାଲିକାରେ ୨୧୦ ଜାତି ଓ ଉପଜାତି ଅଛନ୍ତି । ଏବେ ବି ଅନେକ ପଛୁଆ ବର୍ଗ ତାଲିକାଭୁକ୍ତ ହୋଇନାହାନ୍ତି । ନୂଆ ଭାବେ କେଉଁ କେଉଁ ଜାତିକୁ ଏହି ବର୍ଗରେ ସାମିଲ କରାଯିବ, ତାହା ରାଜ୍ୟ ସରକାରଙ୍କ ଦାୟିତ୍ୱ । ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀ ବିଶ୍ୱାଳ ଦାବି ଜଣାଇଛନ୍ତି ।ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ନିରୀହ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲରେ ବାହାରୁ କପିଲ ସିବଲଙ୍କ ଭଳି ଦାମୀ ଓକିଲ ଓ ରଥଯାତ୍ରା ବନ୍ଦ କରିବା ପାଇଁ ହରିଶ ସାଲଭେଙ୍କୁ ନିଯୁକ୍ତ ଦେଇଥିବାବେଳେ ପଛୁଆ ବର୍ଗ ସଂରକ୍ଷଣ ମାମଲାରେ କାହିଁକି ଉଦାସୀନତା ପ୍ରକାଶ କରୁଛନ୍ତି ? ଏହାର ସ୍ପଷ୍ଟୀକରଣ ରାଜ୍ୟବାସୀଙ୍କ ସମ୍ମୁଖରେ ସରକାର ରଖିବା ନିହାତି ଆବଶ୍ୟକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ଓବିସି ବର୍ଗଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଉଦ୍ଦିଷ୍ଟ ଓବିସି ଫାଇନାନ୍ସ ଏଣ୍ଡ୍ ଡେଭ୍‌ଲପ୍‌ମେଂଟ କୋଅପରେଟିଭ କର୍ପୋରେସନ ତରଫରୁ ଗତ ୨୦୦୮ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଜଣେ ବି ପଛୁଆ ବର୍ଗ ହିତାଧିକାରୀଙ୍କୁ ଋଣ କିମ୍ବା ଆର୍ଥିକ ସହାୟତା କାହିଁକି ପ୍ରଦାନ କରାଯାଉ ନାହିଁ ? ରାଜ୍ୟର ସଂଖ୍ୟାଧିକ ପଛୁଆ ବର୍ଗଙ୍କୁ ଶାସକ ବିଜେଡି ଦଳ ସର୍ବଦା ପ୍ରତାରଣ କରିଆସିଛି ଏବଂ ନିଜ ଦୋଷ ଲୁଚାଇବା ପାଇଁ ବିଭିନ୍ନ ସମୟରେ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛି । ଦୀର୍ଘ ୫୦ ବର୍ଷ ଧରି ଶାସନରେ ଥିବା କଂଗ୍ରେସ ଦଳ ସବୁବେଳେ ପଛୁଆ ବର୍ଗଙ୍କ ସ୍ୱାର୍ଥକୁ ଅଣଦେଖା କରିଆସିଛି । କଂଗ୍ରେସ ଦଳ ନିଜ ଶାସନ କାଳରେ ପଛୁଆ ବର୍ଗଙ୍କ ବିକାଶ ପାଇଁ ‘କାକା କେଲେଲ୍‌କର୍ କମିଶନ\' ଏବଂ ‘ମଣ୍ଡଳ୍ କମିଶନ୍‌\' ଦୁଇ ଦୁଇଟି କମିଶନର ରିପୋର୍ଟକୁ କାର୍ଯ୍ୟକାରୀ କରିନଥିବା କଂଗ୍ରେସ ଶାସକ ବିଜେଡିର ମୁଖପାତ୍ର ସାଜି ରାଜ୍ୟର ଅଢ଼େଇ କୋଟି ପଛୁଆ ବର୍ଗକୁ ବିଭ୍ରାନ୍ତ କରୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ନେତ୍ରୀ ପିଙ୍କି ପ୍ରଧାନ, ମୁଖପାତ୍ର ସୋନାଲୀ ସାହୁ, ସଦସ୍ୟ ବିଜୟ ଦଳବେହେରା ଏବଂ ଗଣମାଧ୍ୟମ ବିଭାଗର ସୁଜିତ୍ ଦାସ ଉପସ୍ଥିତ ଥିଲେ ।

Related story