ଦକ୍ଷିଣ ଓଡ଼ିଶାର ୪ ଲୋକସଭା ଉପରେ ବିଆରଏସ୍‌ ଆଖି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ତେଲୁଗୁ ଭୋଟ୍ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍‌(ଭାରତ ରାଷ୍ଟ୍ର ସମିତି) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଆଖି। ଯାହା ଭିତରେ ବିଶେଷ ଫୋକସ୍‌ରେ ରହିଛି ଦକ୍ଷିଣ ଓଡ଼ିଶା ଦଖଲ ଆଶା। ଦକ୍ଷିଣ ଓଡ଼ିଶାର ଦୁଇ ଦୁଇ ଜଣ ପ୍ରମୁଖ ଆଦିବାସୀ ଚେହେରାଙ୍କର କେସିଆରଙ୍କ ସହିତ ସାକ୍ଷାତ ନେଇ ଏବେ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା। କୁହାଯାଉଛି, ବିଆରଏସ୍ ପାର୍ଟି ଓଡ଼ିଶାରେ ତାର ୟୁନିଟ୍ ଖୋଲି ଦଳକୁ ସଂପ୍ରସାରଣ କରିବାକୁ ଚାହୁଁଛି। ଫୋକସ୍‌ରେ […]

BRS

BRS

Niranjan Mishra
  • Published: Tuesday, 17 January 2023
  • , Updated: 17 January 2023, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ତେଲୁଗୁ ଭୋଟ୍ ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍‌(ଭାରତ ରାଷ୍ଟ୍ର ସମିତି) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓଙ୍କ ଆଖି। ଯାହା ଭିତରେ ବିଶେଷ ଫୋକସ୍‌ରେ ରହିଛି ଦକ୍ଷିଣ ଓଡ଼ିଶା ଦଖଲ ଆଶା। ଦକ୍ଷିଣ ଓଡ଼ିଶାର ଦୁଇ ଦୁଇ ଜଣ ପ୍ରମୁଖ ଆଦିବାସୀ ଚେହେରାଙ୍କର କେସିଆରଙ୍କ ସହିତ ସାକ୍ଷାତ ନେଇ ଏବେ ଓଡ଼ିଶା ରାଜନୀତିରେ ଜୋରଦାର ଚର୍ଚ୍ଚା। କୁହାଯାଉଛି, ବିଆରଏସ୍ ପାର୍ଟି ଓଡ଼ିଶାରେ ତାର ୟୁନିଟ୍ ଖୋଲି ଦଳକୁ ସଂପ୍ରସାରଣ କରିବାକୁ ଚାହୁଁଛି। ଫୋକସ୍‌ରେ ରହିଛି ଦକ୍ଷିଣ ଓଡ଼ିଶାର ୪ ଲୋକସଭା ଓ ପୂରା ଓଡ଼ିଶାର ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀ।

କେସିଆରଙ୍କ ଏହି ଗୋଟି ଚାଳନାକୁ ଆଜି ଆହୁରି ସ୍ପଷ୍ଟ କରିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପୁଅ ଶିଶିର ଗମାଙ୍ଗ। ଶିଶିର କହିଛନ୍ତି, କେସିଆର ତାଙ୍କ ରାଜ୍ୟର ଯେମିତି ଉନ୍ନତି କରିଛନ୍ତି, ଠିକ୍‌ ସେମିତି ତେଲେଙ୍ଗାନା ମଡ଼େଲ ବ୍ୟବହାର କରି ଓଡ଼ିଶାର ଉନ୍ନତି କରିବାକୁ ଇଚ୍ଛା ରଖିଛନ୍ତି। ଯେହେତୁ କେସିଆରଙ୍କ ଛବି ସବୁଠି ସ୍ୱଚ୍ଛ ରହିଛି, ତେଣୁ ଏହା ଓଡ଼ିଶାରେ କାମ କରିବ। ତେଣୁ ଏ ବାବଦରେ ଜନସାଧାରଣ ଓ ସମର୍ଥନ ଦେଉଥିବା କାର୍ଯ୍ୟକର୍ତ୍ତାଙ୍କ ସହ ଅଲୋଚନା କରାଯାଉଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ଜଣାପଡ଼ିଛି, କେସିଆରଙ୍କ ଫୋକସ୍ ବିଧାନସଭା ଆସନ ଭିତରୁ ୨୦ଟି ବିଧାନସଭା କ୍ଷେତ୍ରରେ ବହୁ ସଂଖ୍ୟାରେ ତେଲୁଗୁ ଭାଷାଭାଷୀ ଭୋଟର୍ ଅଛନ୍ତି। ସେମାନଙ୍କ ସଂଖ୍ୟା ୩୨ ଲକ୍ଷରୁ ଅଧିକ। ସେହିପରି ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଆଦିବାସୀ ଭୋଟ୍ ସବୁବେଳେ ଗୁରୁତ୍ୱ ରଖିଥାଏ। ତେଣୁ ଏ ଦୁଇ ବିନ୍ଦୁ ଉପରେ ଫୋକସ୍ କରି କେସିଆର୍ ଓଡ଼ିଶାରେ ତେଲେଙ୍ଗାନା ମଡେଲ୍ ପ୍ରୟୋଗ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି।

ସେଥିପାଇଁ ଓଡ଼ିଶାରେ ବିଆରଏସ୍ ମଙ୍ଗ ସମ୍ଭାଳିବାକୁ ସେ ଗିରିଧର ଗମାଙ୍ଗକୁ ଅଫର୍ ଦେଇଛନ୍ତି ବୋଲି ଗିରିଧରଙ୍କ ପୁଅ ଶିଶିର ଗମାଙ୍ଗ କହିଛନ୍ତି। ସେପଟେ ଦକ୍ଷିଣ ଓଡ଼ିଶାର ୫ ଜିଲ୍ଲାରେ ତେଲୁଗୁ ଓ ଆଦିବାସୀ ଭୋଟ୍ ହାରଜିତ୍‌ରେ ନିର୍ଣ୍ଣାୟକ ଭୂମିକା ନେଇଥାଏ। ଏହି ଭୋଟ୍ ଉପରେ କେସିଆରଙ୍କ ଆଖି ପଡ଼ିବା ପରେ ବଢ଼ିଛି ବିଜେଡି ଓ କଂଗ୍ରେସ୍‌ର ଚିନ୍ତା। ସେପଟେ ଉପକୂଳ ଓଡ଼ିଶାର ୩ ଜଣ ପୂର୍ବତନ ବିଧାୟକ ମଧ୍ୟ କେସିଆରଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି।

ଏନେଇ ଜୟରାମ ପାଙ୍ଗି କହିଛନ୍ତି, କେସିଆରଙ୍କ ନିମନ୍ତ୍ରଣ ପାଇବା ପରେ ସେ ତାଙ୍କୁ ଭେଟି ୩ ଘଣ୍ଟା ଆଲୋଚନା କରିଥିଲି। ଦିନକ ପରେ ସବୁକଥା ସ୍ପଷ୍ଟ ହୋଇଯିବ।

ସେପଟେ ବିଜେଡି, ବିଜେପି ଓ କଂଗ୍ରେସ ନେତା କହିଛନ୍ତି ବିଆରଏସ୍‌ର କୌଣସି ପ୍ରଭାବ ଦକ୍ଷିଣ ଓଡ଼ିଶାରେ ନାହିଁ। ପାଲଟା କେସିଆରଙ୍କୁ ଭେଟୁଥିବା ନେତାଙ୍କୁ ସେମାନେ ସମାଲୋଚନା କରିଛନ୍ତି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏଭଳି ଭେଟଘାଟର କୌଣସି ପ୍ରଭାବ ପଡ଼ିଲା ଭଳି ଲାଗୁନି। ଦଳ ବଢ଼େଇବାକୁ ସମସ୍ତେ ଆସିବେ, ତେବେ ଓଡ଼ିଶାବାସୀ ଏହା ଉପରେ ନିଷ୍ପତ୍ତି ନେବେ। ଏଠି କେବଳ ବିଜେପି-ବିଜେଡି ଭିତରେ ଲଢ଼େଇ ସୀମିତ ଅଛି। ଜାତୀୟ ରାଜନୀତିରେ ଯେତେ ଦଳ ରାଜନୀତିକୁ ଆସିବେ ବିଜେପିକୁ ସୁବିଧା ହେବ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଯେଉଁ ନେତାମାନେ ବିଆରଏସ୍‌କୁ ଯିବା ପାଇଁ ଗୋଡ଼ ବାହାର କରିଛନ୍ତି, ତାହାର ପ୍ରଭାବ କିଛି ବି ଓଡ଼ିଶା ଭୋଟରଙ୍କ ଉପରେ ପଡ଼ିବନି। ଟିଆରଏସ୍‌ ଓଡ଼ିଶା ପାଇଁ କ’ଣ କରିଛି ଯେ ଲୋକେ ଏହି ଦଳକୁ ଭୋଟ୍ ଦେବେ। ତେଲୁଗୁ ଭୋଟ ସବୁ କଂଗ୍ରେସର। ସେମାନେ ମରିଯିବେ ପଛେ, କିନ୍ତୁ କଂଗ୍ରେସକୁ ଭୋଟ୍‌ ଦେବେ।

ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ଏହାଦ୍ୱାରା ଦକ୍ଷିଣ ଓଡ଼ିଶା ରାଜନୀତିରେ କୌଣସି ପ୍ରଭାବ ପଡ଼ିବ ନାହିଁ। ସେମାନେ ଆଉ ଆଦିବାସୀଙ୍କ ସହ ନାହାନ୍ତି, ବହୁ ପୂର୍ବରୁ ହୁଏତ ଥିଲେ। ବର୍ତ୍ତମାନ ସମୀକରଣ ବଦଳି ଯାଇଛି। ସମସ୍ତ ଆଦିବାସୀ ନେତା ଓ ଜନତା ନବୀନ ପଟ୍ଟନାୟକଙ୍କ ସହିତ ଅଛନ୍ତି।

ସେପଟେ ଜଣାପଡ଼ିଛି, ଚାଷୀ ନେତା ତଥା ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ମଧ୍ୟ ନିକଟରେ କେସିଆରଙ୍କୁ ଭେଟିଛନ୍ତି। କେସିଆର୍ ଜଣେ ଚାଷୀ ଦରଦି ନେତା ହୋଇଥିବାରୁ ତାଙ୍କ ସହ ସାକ୍ଷାତ ବେଳେ ଚାଷୀ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ଜଣାପଡ଼ିଛି। ବିଆରଏସ୍‌ ସହ ଯୋଡ଼ି ହେବା ପାଇଁ ରାଜ୍ୟର ବିଭିନ୍ନ ନେତାଙ୍କ ସହ ଅକ୍ଷୟ କୁମାର ସମନ୍ୱୟ ରକ୍ଷା କରୁଥିବା ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଓଡ଼ିଶାରେ ଦଳକୁ ବିସ୍ତାର କରିବା ପାଇଁ କେସିଆର ଏବେ ଦକ୍ଷିଣ ଓଡ଼ିଶାର ଆଦିବାସୀ ନେତାମାନଙ୍କୁ ଭେଟୁଛନ୍ତି। ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ, ତାପରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି କେସିଆରଙ୍କୁ ଭେଟିଛନ୍ତି। ଏହି ନୂଆ ସମୀକରଣ ଦ୍ୱାରା ବିଜେଡିର ଆଦିବାସୀ ଭୋଟ୍ ପ୍ରଭାବିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Related story