ବିରୋଧ ସତ୍ତ୍ୱେ ୧୩ରେ ବରଗଡ଼ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କରୁଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ବିରୋଧୀଙ୍କ ବିରୋଧକୁ ଦୃଷ୍ଟିରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା କାର୍ଯ୍ୟକ୍ରମ ପାଇଁ ପ୍ରାୟ ୪ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରିଥିବା ରାଜ୍ୟ ସରକାର ବରଗଡ଼ରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ […]

Naveen Patnaik

Ordigital Desk
  • Published: Monday, 08 November 2021
  • , Updated: 08 November 2021, 10:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମମିତା ମେହେର ହତ୍ୟା ଓ ସେକ୍ସ ସ୍କାଣ୍ଡାଲ ମାମଲାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଦଳ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କରୁଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ବରଗଡ଼ ଜିଲ୍ଲା ଗସ୍ତରେ ଯିବେ ବୋଲି ଜଣାପଡ଼ିଛି। ବିରୋଧୀଙ୍କ ବିରୋଧକୁ ଦୃଷ୍ଟିରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା କାର୍ଯ୍ୟକ୍ରମ ପାଇଁ ପ୍ରାୟ ୪ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରିଥିବା ରାଜ୍ୟ ସରକାର ବରଗଡ଼ରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପଂଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ଆଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୩ତାରିଖରେ ବରଗଡ଼ ଜିଲ୍ଲାକୁ ଗସ୍ତ କରି ଜିଲ୍ଲାରେ ଏହି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ନଭେମ୍ବର ୧୨ତାରିଖରେ ବରଗଡ଼ ଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା କିନ୍ତୁ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ୧୩ତାରିଖକୁ ଘୁଂଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପୁଲିସ ମୁତୟନ ସହ ପ୍ରାୟ ୪୭୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ମମିତା ମେହେର ମାମଲାରେ ବିରୋଧୀ ଦଳ ପକ୍ଷରୁ ଗୃହମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି ହେଉଥିବା ସତ୍ତ୍ୱେ ଆଜି ଭବାନୀପାଟଣା ମିଟିଂରେ ତାଙ୍କୁ ସଭାମଂଚରେ ନିଜ ପାଖରେ ବସାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରୋକ୍ଷରେ ବିରୋଧୀ ଦଳର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହିତ ମମିତା ମେହେର ମାମଲାରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ କ୍ଲିନଚିଟ୍ ଦେଇଥିବା ଆକଳନ କରାଯାଉଛି । କାରଣ ମମିତା ମେହେର ମାମଲାରେ ମନ୍ତ୍ରୀ ବିବାଦୀୟ ହେବାରୁ ତାଙ୍କୁ ମୟୂରଭଞ୍ଜ ଓ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଏଭଳି ପରିବର୍ତ୍ତିତ ଆଚରଣକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରୁଥିଲେ ମଧ୍ୟ ଆସନ୍ତା ୧୩ତାରିଖ ବରଗଡ଼ ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସଭାମଂଚରେ ଦିବ୍ୟଶଙ୍କରଙ୍କୁ ଦେଖିବାକୁ ମିଳିବ ବୋଲି ବିଜେଡି ସୂତ୍ରରୁ ଜଣାପଡ଼ିଛି । ବିରୋଧୀ ଦଳର ଏଭଳି ହୋ-ହାଲ୍ଲାକୁ ଦୃଷ୍ଟିରେ ରଖି ବରଗଡ଼ ଓ ବାଲେଶ୍ୱର ଜିଲ୍ଲା ପରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯିବ ଏବଂ ଅନ୍ୟ ସବୁ ଜିଲ୍ଲାରେ ଭର୍ଚୁଆଲ ମୋଡରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ମିଳିଛି ।

Related story